• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରେବତୀଙ୍କ କଥା ମନେ ଅଛି? ଯାହାଙ୍କ ଦେହ ସାରା ଲୋମ ଓ ମୁହଁରେ ଲୋମ ଥିବାରୁ ରାଜ୍ୟଠୁ ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚିତ ଥିଲେ । ଆମେ ତାଙ୍କରି କଥା କହୁଛୁ। ଏମିତିକି ତାଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ପ୍ରଶାସନ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲା । ହେଲେ ବାପା-ମାଆ ଚାଲିଯିବା ପରେ ଏବେ ତାଙ୍କ ଜୀବନ ଦୁର୍ବିସହ ହୋଇଯାଇଛି । ଓଳିଏ ଖାଇଲେ ଆର ଓଳିକୁ ଉପବାସରେ କଟୁଛି ଦିନ ।

ନୂଆଣିଆ ଚାଳଘର...ଘର ସାମ୍ନାରେ ଲାଗିଛି ଟିଣ କବାଟ । ମାଟି ଟାଇଲ କୋଉଠି ଫାଟିଗଲାଣି ତ ଆଉ କୋଉଠି ଶାଳୁଆ କାଠରେ ଉଈ ଭରି ହେଲାଣି । ନାଲିମାଟିରେ ଘର କାନ୍ଥ ତିଆରି ହୋଇଛି ସତ ହେଲେ ତା’ ଭିତରେ ବି ଅନେକ ଫାଟ । ଆଉ ଅନ୍ଧାର ନୂଆଣିଆ ଘରେ ରୋଷେଇ କରୁଛନ୍ତି ରେବତୀ । ବାପା-ମାଆ ଚାଲିଯିବା ପରେ ଏବେ ବଡ଼ କଷ୍ଟରେ ସେ ଦିନ କାଟୁଛନ୍ତି । କେମିତି ଚଳିବେ? କଣ ଖାଇବେ ସେଇ ଚିନ୍ତା ତାଙ୍କୁ ଏବେ ଘାରିଛି ।

ବାପା-ମାଆ ସେମିତି କିଛି ରଖିନାହାନ୍ତି ଯାହାକୁ ଖାଇ-ପିଇ ଚଳିଯିବେ ରେବତୀ । ସେଇଥି ଲାଗି ତ ପର ଦୁଆରେ ମୂଲ ଲାଗିବାକୁ ଅନେକ ଚେଷ୍ଟା ବି କରିଛନ୍ତି ସେ । ଖାଲି ଚେଷ୍ଟା କରିନାହାନ୍ତି ପର ଦୁଆରେ ଯାଇ କାମ ବି ମାଗିଛନ୍ତି । କିନ୍ତୁ ରେବତୀଙ୍କ ଚେହେରା ଦେଖି ତାଙ୍କୁ କାମ ଦେବାକୁ କେହି ଜଣେ ହେଲେ ବି ଆଗ୍ରହ ଦେଖାଇନାହାନ୍ତି । ତେଣୁ ପେଟ ଚାଖଣ୍ଡେକ ଲାଗି ଏବେ ଏମିତି ଗାଈ ଚରେଇ ଯାହା କିଛି ରୋଜଗାର କରୁଛନ୍ତି ସେତିକିରେ ଚଳୁଛି ପୂରା ପରିବାର ।

ଘର ଖଣ୍ଡିଏ ନଥିବାରୁ ବଡ଼ କଷ୍ଟରେ ଦିନ କାଟୁଛନ୍ତି ସେ । କେମିତି ଘର ଖଣ୍ଡିଏ ମିଳିବ ସେନେଇ ବାରମ୍ବାର ପ୍ରଶାସନ ପାଖକୁ ଦଉଡି ଦଉଡି ନିରାଶ ହେଲେ ପଛେ ଘର ଖଣ୍ଡିଏ ପାଇଲେ ନାହିଁ । ତେଣୁ ଏବେ ପ୍ରଶାସନ ପାଖକୁ ନଯାଇ ନିଜେ କେମିତି ଘର ଛପର କରିବେ ସେଥିଲାଗି ସଂଗ୍ରହ କରୁଛନ୍ତି ଟଙ୍କା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରାଜ୍ୟଠୁ ଜାତୀୟ ଗଣମାଧ୍ୟମରେ ଯାହାଙ୍କୁ ନେଇ ଏତେ ଚର୍ଚ୍ଚା ହୋଇଥିଲା ଆଜି ତାଙ୍କୁ ସରକାରୀ ସହାୟତା କହିଲେ ମିଳୁଛି ମାତ୍ର ୩୫ କିଲୋ ଚାଉଳ ଓ ୫ ଶହ ଟଙ୍କା ଭତ୍ତା । ଏତିକିରେ ଚଳିବା କେତେ କଷ୍ଟ ତାହା ସମସ୍ତଙ୍କୁ ଜଣା ।

 

୬ ବର୍ଷ ତଳେ ରେବତୀଙ୍କ ଦେହସାରା ଓ ମୁହଁରେ ଲୋମ ଥିବା କଥା ବେଶ୍‌ ଚର୍ଚ୍ଚିତ ହୋଇଥିଲା । ଏମିତିକି ତାଙ୍କୁ ଚିକିତ୍ସା କରାଇବାକୁ କଟକ ବଡ ମେଡିକାଲରେ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ସରକାର । ଚିକିତ୍ସା ହେଲା, ଘରକୁ ଫେରିଲେ ରେବତୀ । ଆଇଡିଓପେଥିକ୍‌ ଜିଞ୍ଜାଇଭାଲ ଏନଲାର୍ଜମେଣ୍ଟ ଓ ହାଇପର୍‌ଟ୍ରାଇକୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଥିବା ରେବତୀଙ୍କ ପାଖରେ ଏବେ କିନ୍ତୁ ଔଷଧ ପାନେ ଖାଇବାକୁ ବି ଟଙ୍କା ନାହିଁ ।

ରେବତୀଙ୍କର ବାପା-ମାଆ ନଥିବା ସହ ତାଙ୍କର କୌଣସି ରୋଜଗାର ନଥିବାରୁ ଏବେ ସରକାର ଓ ପ୍ରଶାସନ ତାଙ୍କୁ ସାହାଯ୍ୟ କଲେ ସେ ସୁସ୍ଥ ହେବା ସହିତ ଭଲରେ ବଞ୍ଚିପାରନ୍ତେ ବୋଲି କହିଛନ୍ତି ଗ୍ରାମବାସୀ ।

(ବୌଦ୍ଧରୁ ଦୀପକ ଆଦାର)