• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନକ ତଳେ ଯୋଉ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଥିଲେ । ଡର, ଆତଙ୍କରେ ହୋଇ ହୋଇରେ କଂପୁଥିଲା ଖଣ୍ଡମଣ୍ଡଳ । ସେଇ ହାତୀପଲ ଏବେ ନିଘୋଡ଼ ନିଦରେ । ଗୋଟିଏ କି ଦୁଇଟି ନୁହେଁ, ଏକା ବେଳକେ ପଲେ ହାତୀ । କିଏ ଆଣ୍ଠୁ ମାଡ଼ିବା ଅବସ୍ଥାରେ ତ କିଏ ପୂରା ଚାରି ଗୋଡ଼ ଖୋଲି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାରାପଡ଼ା ସେକ୍ସନ ଶିଲିପଦା ଜଙ୍ଗଲରେ ।

ଆଖପାଖ କଦଳୀ ବାଡ଼ିଠୁ ନେଇ ଧାନଫସଲ ସବୁ ଦଳ ମକଚି ବ୍ୟାପକ ଭାବେ ନଷ୍ପଭ୍ରଷ୍ଟ କରିବା ପରେ ହାତୀ ପଲଙ୍କ ଏ ସୁଖ ନିଦ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।

Also Read

ଲଗାତର ଦୁଇ ଦିନ ଧରି ହାତୀପଲ ଉତ୍ପାତରେ ଅତିଷ୍ଠ ଅଞ୍ଚଳବାସୀଙ୍କ ସମସ୍ୟା ଏବଂ ତଥାକଥିତ ପୋଚ ଖାଇ ନିଶାଗ୍ରସ୍ତ ହେବା ଖବର ପାଇ ଆମ ପ୍ରତିନିଧି ଘଟଣାସ୍ଥଳକୁ ଯାଇଥିଲା ବେଳେ ଆଜି ଠିକଣା ବଦଳେଇ ସାରିଥିଲେ ୨୪ ଟିକିଆ ହାତୀପଲ । ଶିଲିପଦା ଭଳି ବିଷ୍ଣୁପୁର ଶାଗୁଆନ୍ ବଣରେ ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ ।

କିଛି ହାତୀ ଶୋଇଥିଲେ, ଆଉ ସେମାନଙ୍କୁ ଘେରି କିଛି ହାତୀ ଜଗି ରହିଥିଲେ । ଆଉ ପାଖରେ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ହାତୀ ପଲଙ୍କୁ ଘଉଡ଼ାଇବାକୁ ଆସିଥିବା ବନ ବିଭାଗର କର୍ମଚାରୀ । ହେଲେ ହାତୀ ପୁଣି ଏମିତି ଶୋଇଛନ୍ତି କାହିଁକି ? ତଥାକଥିତ ମହୁଲି ପୋଚ ନିଶାରେ ନା, ସ୍ୱାଭାବିକ ନିଦ୍ରା ? ପାଟଣା ରେଞ୍ଜ୍ ଅଫିସରଙ୍କ କହିବା କଥା ହାତୀ ମହୁଲ ପୋଚ ଖାଇ ଶୋଇପଡ଼ିବା ସଂପୂର୍ଣ୍ଣ ମନଗଢ଼ା କାହାଣୀ । ଇଏ ସେମାନଙ୍କ ସ୍ୱାଭାବିକ ବିଶ୍ରାମ ପ୍ରକ୍ରିୟା । ହାତୀ ନିଶାଗ୍ରସ୍ତ ହେଲେ ଅଧିକ ଉତ୍ପାତ କରନ୍ତି । ତେବେ ବିଶେଷଜ୍ଞଙ୍କ ମତରେ ମହୁଲ ପୋଚ ଖାଇବା ପରେ ବି ହାତୀ ନିଶାଗ୍ରସ୍ତ ହୋଇ ନିଦ୍ରା ଯିବାର ନଜିର ଅଛି ।

ବଡ଼ କଥା ହେଲା ଏଇ ୨୪ ଟିକିଆ ହାତୀ ପଲ ଦାଉରେ ଗଲା ଦୁଇ ଦିନଧରି କଲବଲ ହେଉଥିଲେ ସ୍ଥାନୀୟ ବାସିନ୍ଦା । ଆଉ ଖଜୁରୁଡିହା, ଧାନବେଣି, ପାଟଣା, ପୁଟୁଳିଆ ପରେ ହାତୀ ଆଜି ବିଷ୍ଣୁପୁର ଅଞ୍ଚଳରେ ଉତ୍ପାତ ମଚେଇ ପୁଣି ଜଙ୍ଗଲ ମୁହାଁ ।