/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671551491.jpg)
Farmers Problem
ସାରା ରାଜ୍ୟରେ ପନିପରିବାର ଅଭାବୀ ବିକ୍ରି । ଖର୍ଚ୍ଚ ଅଧିକ ଲାଭ ଶୂନ । ଦୁଃସ୍ଥିତିରେ ରାଜ୍ୟରେ ପରିବା ଚାଷୀ । ବର୍ଷକର ହାଡ଼ଭଙ୍ଗା ପରିଶ୍ରମ ପରେ ଆଖି ଆଗରେ ଛନ୍ ଛନକା ତଟକା କୋବି । ହେଲେ ଏବେ ତାକୁ ଅମଳ କରିବ କଣ ହାତ ମାରିବାକୁ ବି ଡରୁଛି । କାହିଁକି ନା ସାର, ବିହନ, ଶ୍ରମ କଥା ଛାଡନ୍ତୁ, ଅମଳ କରି ଯେଉଁ ଗାଡିରେ ମାର୍କେଟ ନେବ ସେ ଭଡା ବି ପାଇବନି ।
ସେଥିପାଇଁ ତ ଗତକାଲି ବରଗଡର ଚାଷୀ ଟ୍ରାକ୍ଟର ଚଢାଇ ନିଜ ଜମିରେ କବର ଦେଇଦେଇଥିଲା, ତା ବର୍ଷକର ପରିଶ୍ରମକୁ । କେନ୍ଦୁଝର ରେ ବି ଚିତ୍ର ସମାନ । ନଷ୍ଟ ହେବାକୁ ବସିଲାଣି ହେଲେ ତୋଳିବାକୁ ହାତ ଯାଉନି । ଘଟଗାଁ ବ୍ଲକ ପୋଇପାଣିର ଚାଷୀ ଯୁଧିଷ୍ଠିର ମହାନ୍ତି, ଅମଳ ପାଇଁ ପ୍ରସ୍ତୁତ ଥିବା ପରିବା କିଆରିରେ ବସି ଭାବୁଛନ୍ତି ତୋଳିବା ନା ନାହିଁ । କାହିଁକି ନା ଜିଲ୍ଲାରେ କୋବି ବିକ୍ରି ହେଇଛି ଗୋଟାକୁ ୨ ଟଙ୍କା, ଅତି ବେଶିରେ ୩ ଟଙ୍କା । ଚାଷୀଙ୍କ କହିବା କଥା ୧୦ ଟଙ୍କାରୁ କମରେ ବିକିଲେ ଖର୍ଚ୍ଚ ବି ଉଠିବନି । ଆଉ ଗ୍ରୁପ କିମ୍ଭା ସୋସାଇଟିରୁ ନେଇଥିବା ଲୋନ୍ କେମିତି ଶୁଝିବେ । ସେ କଥା ଭାବିଲା ବେଳକୁ ମୁଣ୍ଡ କଣ ହେଇ ଯାଉଛି ।
ବରଗଡ଼ ରେ ବି କେବଳ ଗଂଝିଆଟିକ୍ରା ନୁହେଁ ଜମୁର୍ଡା, ସର୍ଲା, ତିଲପାଲି, ତୋରା, ସରସରା ଭଳି ଅନେକ ଅଞ୍ଚଳରେ କୋବି ପିଛା ୨ରୁ ୩ ଟଙ୍କାରେ ବିକ୍ରି ହେଉଥିବାରୁ ଅମଳ କରିବାକୁ ଅମଙ୍ଗ ଚାଷୀ । ପୁଣି ଜିଲ୍ଲାରେ ବି ଶୀତଳଭଣ୍ଡାର ନଥିବାରୁ ଅମଳ କରି ରଖିପାରୁନି । ତେବେ ଚାଷୀଙ୍କର ଏମିତି ସ୍ଥିତି ପାଇଁ ଦାୟୀ କିଏ ।
ଜିଲ୍ଲା ଜିଲ୍ଲାରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀଙ୍କର ଏମିତି ସ୍ଥିତି । ଚାଷୀ କାନ୍ଦୁଥିବା ବେଳେ ସରକାର କେବେ ମୁହଁ ଖୋଲୁଛନ୍ତି, ଆଉ ଏ ଘଟଣାରେ କେବେ ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)