• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପାଣି ଟ୍ୟାପ୍‌ ଅଛି, ପାଣି ବାହାରୁନି । ନଳକୂଅ ଅଛି ପାଣି ଆସୁନି । ଏମିତି ଦୃଶ୍ୟ କେଉଁ ଉପାନ୍ତ ଅଂଚଳର ନୁହେଁ ବରଂ ଖୋଦ୍‌ କଟକ ନିଆଳିରେ ଦେଖିବାକୁ ମିଳିଛି । ପାଣି ଯୋଗାଇ ଦେବାକୁ ପ୍ରତି ଘରକୁ ଟ୍ୟାପ କନେକ୍ସନ କରାଇ ଦେଲେ ସରକାର । ହେଲେ ପାଣି ଆସିବାର ନା ଗନ୍ଧ ଧରୁନି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

କଥାରେ ଅଛି ଦୀପ ତଳ ଅନ୍ଧାର...ଠିକ୍‌ ଏମିତି ଘଟଣା ଘଟିଛି ନିଆଳିରେ । ବ୍ଲକ୍‌ କାର୍ଯ୍ୟାଳୟ ପାଖରେ ଥିଲେ ବି ପାଣି ଟୋପାଏ ପାଇଁ ନାହିଁନଥିବାର ଅସୁବିଧାର ସାମ୍ନା କରୁଛନ୍ତି ସେଠିକାର ଲୋକେ । ପାନୀୟ ଜଳ ଯୋଗାଣ ଲାଗି ଦୁଇଦୁଇଟି ପାଣି ଟାଙ୍କି ନିର୍ମାଣ ହୋଇଛି, ପାଇପ ବି ବିଛା ଯାଇଛି । ମାତ୍ର ଅସଲ କାମ ବେଳକୁ ଫଳ ଶୂନ, ପାଣି ଯୋଗାଣ ବନ୍ଦ । ପୂର୍ବରୁ ପୁରୁଣା ଟାଙ୍କିରୁ ପାଣି ଯୋଗାଣ କରାଯାଉଥିଲା, ଏବେ ନୂଆ ଟାଙ୍କିରୁ ପାଣି ଯୋଗାଇବା ଲାଗି ନୂଆ କନେକ୍ସନ ଦିଆଗଲା । ହେଲେ ପାଣି ଭଲରେ ଆସିବ କଣ? ବନ୍ଦ ମୂଳରୁ ଠପ୍‌ ହୋଇଗଲା । ପିଇବା ପାଣି ଲାଗି ପ୍ରଶାସନ ପାଖରେ ବାରମ୍ବାର ନେହୁରା ହେବା ପରେ ବି କୌଣସି ଲାଭ ମିଳୁନି ।

ଅଧିକ ପଢ଼ନ୍ତୁ: ୧୫ ବର୍ଷ ହେଲାଣି ପାଣି ମିଳୁନି, ଖରାରେ ସିଝି ସିଝି ପାଣି ପାଇଁ ଯାଉଛନ୍ତି ମାଇଲେ ବାଟ

ପ୍ରବଳ ଖରାରେ କୂଅ, ପୋଖରୀ ସବୁ ଶୁଖିଗଲାଣି । ଏପଟେ ଟ୍ୟାପରୁ ପାଣି ବି ବାହାରୁନି । ଆଉ ଡହକବିକଳ ହେଉଛନ୍ତି ଲୋକେ । ନିଆଳୀ ପଂଚାୟତର ବାରବୋଡିଆ, ହରିସପୁର, ଦିନାସିଂହ ପାଟଣା ବ୍ଲକରେ ଶତାଧିକ ଗାଁରେ ଏବେ ପାଣି ସମସ୍ୟା ଦେଖାଯାଇଛି । ସ୍ଥାନୀୟ ଲୋକମାନେ ଗୋ-ପାଳନ କରି ରୋଜଗାର କରନ୍ତି । ହେଲେ ଏବେ ପାଣି ମିଳୁନଥିବାରୁ ଗାଇମାନେ ବି ହନ୍ତସନ୍ତ ହେଲେଣି ।

କୋଟିକୋଟି ଟଙ୍କା ବ୍ୟୟ ପରେ ବି କାହିଁକି ଜଳଯୋଗାଣ ହୋଇପାରୁନି? ପୁଣି ପୁରୁଣା ଟାଙ୍କିରୁ ବି କାହିଁକି ଜଳ ଯୋଗାଣ ବନ୍ଦ ହୋଇଛି ତାହା ଏବେ ସମସ୍ତଙ୍କୁ ବିସ୍ମିତ କରିଛି । ଦିନ ଯେତିକି ବଢୁଛି, ପାଣି ସମସ୍ୟା ବି ସେତିକି ବଢୁଛି । ତେଣୁ ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ । ସେପଟେ ପାଣି ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ହେଲେ କର୍ମଚାରୀ କହୁଛନ୍ତି, ପାଇପ ଭିଡ଼ା ହେଲେ ପାଣି ଚାଲିବ । ପିଇବା ପାଣି ଯୋଗାଇ ଦେବା ଲାଗି ରାଜ୍ୟ ସରକାର ମାଳମାଳ ଯୋଜନା କରୁଛନ୍ତି ହେଲେ ପ୍ରକୃତରେ ପାଣି କେବେ ମିଳିବ ତାହାକୁ ଅପେକ୍ଷା କରି ରହିଛନ୍ତି ଗାଁ ଲୋକେ।

  • Reported by:
  • BINAY MISHRA