/odishatv-khabar/media/post_attachments/uploadimage/library/16_9/16_9_0/s_1680836282.jpg)
Teacher Allegedly Drunk While On Duty
ମଦ ପିଇ ସାର୍ ଫୁଲ୍ ମାତାଲ୍। ଖାଲି ସାର୍ ନୁହନ୍ତି ତାଙ୍କ ସହ ଛାତ୍ରାବାସର ରୋଷେୟା ମଧ୍ୟ ମଦ ପିଇ ଗଡ଼ିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକେ ଉଭୟଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଅନ୍ତର୍ଗତ ଡିମିରିଆ ସରକାରୀ ଉପ୍ରା ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଘଟଣାକୁ ନେଇ ସମ୍ପୃକ୍ତ ଶିକ୍ଷକ ଓ ରୋଷେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷକଙ୍କୁ ନିଲମ୍ବିତ କରାଯିବା ସହ ରୋଷେୟାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ଅଧିକ ପଢ଼ନ୍ତୁ: ଆ ସୁନା ଘରୁ ବାହାରି ଆ...ପେଟେ ପିଇ ନାଚିଲେ ହେଡ୍ସାର୍
ସୂଚନା ଅନୁସାରେ, ଡିମିରିଆ ଉପ୍ରା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଆବାସିକ ଛାତ୍ରାବାସ ଦାୟିତ୍ୱରେ ସେହି ସ୍କୁଲ୍ର ଶିକ୍ଷକ ମାନ ସିଂ ମୁଣ୍ଡା ଥିବାବେଳେ ରୋଷେୟା ଭାବେ ଦେବାନନ୍ଦ ଦେହୁରୀ କାର୍ଯ୍ୟ କରୁଥିଲେ। ଉଭୟ ମଦ୍ୟପାନ କରି ନିଶାରେ ଫୁଲ୍ ମାତାଲ ଥିବାବେଳେ ଅନ୍ତେବାସୀଙ୍କ ପାଇଁ ଛୋଟ ଛୋଟ ଶିଶୁମାନେ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା।
ମହଙ୍ଗା ପଡ଼ିଲା ମଦ ପିଇ ସ୍କୁଲରେ ଶିକ୍ଷାଦାନ । ଶିକ୍ଷକ ନିଲମ୍ବିତ, ରୋଷେୟାର ଗଲା ଚାକିରି । ତେଲକୋଇ ଡିମିରିଆ ୟୁପି ସ୍କୁଲର ଶିକ୍ଷକ ନିଲମ୍ବିତ । #Keonjhar#Telkoi#OTVpic.twitter.com/jAyDOB0SR6
— ଓଟିଭି (@otvkhabar) April 7, 2023
ଏହାକୁ ସ୍ଥାନୀୟ ଯୁବକ ଦେଖିବା ପରେ ସ୍ଥାନୀୟ ସରପଞ୍ଚଙ୍କୁ ଏନେଇ ଜଣାଇଥିଲେ। ପରେ ଉଭୟଙ୍କୁ ନିଶାସକ୍ତ ଅବସ୍ଥାରେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଜଣାଯିବା ପରେ ଶିକ୍ଷକ ମାନସିଂ ମୁଣ୍ଡାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ରୋଷେୟାଙ୍କୁ ଚାକିରିରୁ ବିଦା କରାଯାଇଛି। ପୂର୍ବରୁ ଏହି ସ୍କୁଲ୍ର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିବା ନେଇ ଗିରଫ ହୋଇଥିବା ବେଳେ ଏହି ଘଟଣା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।
(ରିପୋର୍ଟ- ଚିନ୍ମୟ କୁମାର ସାହୁ, ତେଲକୋଇ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)