/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663681385.jpg)
Balasore Soro Farmers
ରାତ୍ରିର ଘନ ଅନ୍ଧକାର.. ଝିଙ୍କାରିର ଝିଁ ଝିଁ ଶବ୍ଦ । ଆଉ ଏହାରି ଭିତରେ ଗଛ ଉପରେ ମଂଚାରେ ବସିଥାଏ ମଣିଷ । ଖାଲି ବସିଛି ତାହା ନୁହେଁ ଚାଷ ଜମିକୁ ସୁରକ୍ଷା ଦେବା ଲାଗି ଅଧ ରାତିରେ ଏକ ବିରାଟ ଡ୍ରମକୁ ଢାଏଁ ଢାଏଁ ବଜାଏ । ନହେଲେ କେତବେଳେ ହାତୀ ଆସି ଫସଲ ଭିତରେ ଯଦି ପଶିଯିବ, ତେବେ କଥା ସରିଲା । ପୂରା ବରଷକ ଯାକ ଫସଲକୁ ଦଳିମକଚି ନଷ୍ଟ କରିଦେବ । ସେଇଥିପାଇଁ ତ ସାରା ରାତି ଏମିତି ଉଜାଗର ରହି ଫସଲକୁ ସୁରକ୍ଷା ଦେଉଥାଏ ଚାଷୀ ଭାଇ ।
ଗଛ ଉପରେ ବିରାଟ ମଂଚା ତିଆରି ହୋଇଥାଏ । ଆଉ ସେହି ମଂଚାରେ ମଶାରୀ ଭିତରେ ମଣିଷ ଶୋଇଥାଏ । କିଏ କିଏ ଟର୍ଚ୍ଚ ଓ ଠେଙ୍ଗା ଧରି ହେଇ ଗଲା ଗଲା ପାଟି ବି କରୁଥାନ୍ତି । ନିଜ ନିଜ ଫସଲକୁ ଜଗିବା ଲାଗି ଏମିତି ପାଳି କରି ହାତୀ ଜଗିଥାନ୍ତି ଏମାନେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବନାଞ୍ଚଳ ଔପଦାରେ । ଏଠାରେ ଏବେ ହାତୀ ଉପଦ୍ରବ ଭୟଙ୍କର ଭାବରେ ବଢିଛି l ଏହି ଅଞ୍ଚଳଟି ପାହାଡ ତଳେ ରହୁଥିବା କାରଣରୁ ପ୍ରତି ମୁହୂର୍ତ୍ତରେ ରହିଛି ହାତୀ ଉପଦ୍ରବର ଭୟ । ଖାଲି ହାତୀ ନୁହେଁ ବରଂ ପଣ୍ଡା ବି ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇଛି ।
ଏ ସମସ୍ୟା ଏବେର ନୁହେଁ ବରଂ ବହୁ ପୁରୁଣା । ପୂର୍ବରୁ ଅନେକବାର ହାତୀମାନେ ଗାଁକୁ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏବେ ଧାନ ଗଛ କ୍ଷେତରେ ଛନଛନିଆ ହୋଇ ବଢିଛି । ତେଣୁ ହାତୀ ଆସିବା ଥୟ । ହେଲେ ବର୍ଷକର ଫସଲକୁ ନଷ୍ଟ ନକରିଦେବା ପାଇଁ ଏମିତି ମଂଚା ଉପରେ ରାତି କାଟିଥାନ୍ତି ଅଂଚଳବାସୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାତୀ ଘଉଡାଇବା ଲାଗି ବନବିଭାଗ କି ପ୍ରଶାସନ କୌଣସି ପଦକ୍ଷେପ ନନେଉନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି ।
ବାରମ୍ବାର ନିବେଦନ ପରେ ବି ନିରବଦ୍ରଷ୍ଟା ହୋଇ ବସିଛି ପ୍ରଶାସନ । ଦେଖିବାକୁ ବାକି ରହିଲା ଏ ଲୋକଙ୍କ ସମସ୍ୟାର ସମାଧାନ ହେଉଛି କେବେ ?
(ରିପୋର୍ଟ- ନିରଞ୍ଜନ ବେହେରା, ସୋର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)