• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଓଃ ଭାରି କଷ୍ଟ ହେଉଛି । ବେକରେ ଏମିତି ଓଜନିଆ କାଠ ଗଣ୍ଡିଟିଏ ଏ ମଣିଷ ବାନ୍ଧି ଦେଇଛି ଯେ ମୁଁ ଚାଲିବୁଲି ପାରୁନି କି ଖାଇ ପାରୁନି। ଭୋକରେ ମୋ ପ୍ରାଣ ଛଟପଟ ହେଲାଣି । କିନ୍ତୁ ଏ ମଣିଷର ଟିକିଏ ବି ଦୟା ନାହିଁ। ଏ କାଠଗଣ୍ଡିକୁ ବୋହି ବୋହି ମୋ ବେକର ଯନ୍ତ୍ରଣା ଭୟଙ୍କର ଭାବରେ ବଢିଗଲାଣି। ରେ’ ମଣିଷ, ମତେ ଛାଡିଦେ । ମୁଁ ଆଉ କଷ୍ଟ ସହିପାରୁନି। ଯଦି ତୋ ବିଲରେ ପଶି ଧାନ ଖାଇଦେଲି ତୁ ମତେ ଘଉଡେଇ ଦେଇଥାଆନ୍ତୁ ଯେ ମୁଁ ଦଉଡି ପଳାଇଥାଆନ୍ତି । ତୁ ବିଲ ଭିତରେ ଗୋଡେଇ ଗୋଡେଇ ମାରିଲୁ, ତଥାପି ତୋ ମନ ଶାନ୍ତ ହେଲାନି ଶେଷରେ ମତେ ବାନ୍ଧି ମୋ ବେକରେ କାଠଗଣ୍ଡିକୁ ଝୁଲାଇ ଦେଲୁ । ତତେ ଧର୍ମ ସହିବନିରେ, ଧର୍ମ ସହିବନି ।’

ଯଦି ଷଣ୍ଢର ପାଟି ଫିଟୁଥାଆନ୍ତା ତାହାଲେ ଏମିତି ବୋଧହୁଏ କହିଥାଆନ୍ତା । କାରଣ କାଠ ଗଣ୍ଡିକୁ ବେକରେ ବୋହି ଚାଲିବା ଯେ କେତେ କଷ୍ଟକର ତାହା ଥରେ ଚିନ୍ତା କରନ୍ତୁ । କାଠ ଗଣ୍ଡିକୁ ଟେକି ଟେକି ଷଣ୍ଢଟି ନୟାନ୍ତ ହୋଇଗଲାଣି । କରିବ କଣ ? ଏ ଚଲାଖିଆ ମଣିଷ ଏମିତି ଭାବରେ ତା ବେକରେ କାଠ ବାନ୍ଧି ଦେଇଛି ଯେ ସେ ଇଂଚେ ବାଟ ଚାଲିବା ବି କଷ୍ଟକର । ଷଣ୍ଢର ଭୁଲ ଏଇୟା କି ବିଲରେ ପଶି ସେ ଧାନ ଗଛ ଖାଇଦେଇଛି । ତେଣୁ ମଣିଷ ତାକୁ ଏମିତି ଶାସ୍ତି ଦେଇଛି ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋଣାର୍କ ଅନସରା ଗାଁର । ଏଇ ଗାଁରେ ଦିନକୁ ଦିନ ଷଣ୍ଢର ଉତ୍ପାତ ବଢୁଥିବା କାରଣରୁ ଏଇ ଷଣ୍ଢକୁ କ୍ଷେତ ମାଲିକ ଏମିତି ଦଣ୍ଡ ଦେଇଛି । ବିଲରେ ପଶି ଧାନ ଖାଇଦେବାରୁ ଏମିତି ସଜ୍ଜା ଦେଇଛି ମଣିଷ । ଖାଲି ସଜ୍ଜା ଦେଇଛି ତାହା ନୁହେଁ ବରଂ ଗଛରେ ବାନ୍ଧି ଥିବା ଷଣ୍ଢକୁ ଖାଇବାକୁ ବି ଦେଇନାହିଁ । ଆଉ ଭୋକ ଉପାସରେ ପଡିଛି ଷଣ୍ଢ । ଯଦି ଷଣ୍ଢଟି କ୍ଷେତରେ ପଶି ଧାନ ଖାଇଦେଲା ତେବେ ମଣିଷ ତାକୁ ଘଉଡାଇ ପାରିଥାଆନ୍ତା। ଆଉ ଯଦି ବି ବାନ୍ଧିଲା ତେବେ କାଠଗଣ୍ଡି ବେକରେ ଝୁଲାଇବାର ଅର୍ଥ କଣ ? ମଣିଷ ପରା ଜୀବ ଶ୍ରେଷ୍ଠ । ହେଲେ ଏ ନିରୀହ ପଶୁଙ୍କ ପ୍ରତି ମଣିଷ ଯେଉଁଭଳି ବ୍ୟବହାର କରୁଛି ତାହା ସତରେ ବଡ ହୃଦୟବିଦାରକ ଓ ବେଦନାଦାୟକ ।

(ରିପୋର୍ଟ-ସଂଜୟ ପତି)