/odishatv-khabar/media/post_attachments/uploadimage/library/16_9/16_9_0/Baitarani_1663328127.jpg)
Baitarani
କୂଳ ଆଡକୁ ମୁହାଁଲାଣି ବୈତରଣୀ। ଚିନ୍ତାରେ ଗାଁ ଲୋକେ । ରୂପ ବଦଳାଉଛି ବୈତରଣୀ । ଦିନକୁ ଦିନ କୂଳ ଖାଉଛି.. ଗାଁ ଲୋକଙ୍କୁ ଡରାଉଛି । ନଇ ପଠା ବି ଆଉ ଦିଶୁନି। ନିଜ ପଠାକୁ ପୁରା ଗିଳି ସାରିଲାରିଣି ବୈତରଣୀ। ସ୍ଥିତି ଏମିତି ହେଲାଣି ଯେ, ଲୋକଙ୍କ ପୈତୃକ ସମ୍ପତ୍ତିରୁ ଅଧିକାଂଶ ଏବେ ବୈତରଣୀ ନଦୀ ଗର୍ଭରେ ମିଶିଗଲାଣି। ଖରାଦିନ କି ଶୀତ ଦିନେ ଯାହା ଯେମିତି ଚଳିଯାଉଛି । ହେଲେ ବର୍ଷା ଦିନେ ବୈତରଣୀ ଯେତେବେଳେ କରାଳ ରୂପ ଦେଖାଉଛି ସେତେବେଳେ ଆତଙ୍କିତ ହେଉଛନ୍ତି ଗାଁ ଲୋକେ ।
ଭଦ୍ରକ ଭଣ୍ଡାରିପୋଖରୀ ମଢିଆଳି ପଂଚାୟତର ଦୃଶ୍ୟ ଦେଖିଲେ ଆପଣ ସହଜରେ ଏହା ଅନୁମାନ କରିପାରିବେ । ପୂର୍ବରୁ ଗାଁଠାରୁ ବହୁ ଦୂରରେ ନଦୀ ପ୍ରବାହିତ ହେଉଥିବା ବେଳେ ଏବେ ଗାଁ ମୁହାଁ ହେଲାଣି ସ୍ରୋତ । ଏମିତିକି ସ୍ଥାୟୀ ପ୍ରତିକାର ନହେଲେ ମାତ୍ର କେଇ ବର୍ଷରେ ବୈତରଣୀ ନଦୀ ଗର୍ଭରେ ଲୀନ ହୋଇଯିବ ମଢିଆଳ ପଂଚାୟତ ।
ଏଇ ପଂଚାୟତର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି । ହେଲେ ପଂଚାୟତବାସୀଙ୍କ ପାଇଁ ବୈତରଣୀ ପାଲଟିଲାଣି ଅଭିଶାପ । ବାତ୍ୟା ଆଶ୍ରୟସ୍ଥଳୀଠାରୁ ଶ୍ମଶାନ ଘାଟ ଯାଏଁ ପ୍ରାୟ ୮୦୦ ମିଟର ପର୍ଯ୍ୟନ୍ତ ନଦୀ ଏବେ ଗାଁ ଆଡକୁ ମାଡି ଆସିଛି । ଉପରମୁଣ୍ଡରେ ଦୁଲାଖାପାଟଣାରୁ ବନ୍ଦାଳୋକୁ ସଂଯୋଗ କରୁଥିବା ନିର୍ମାଣାଧୀନ ସେତୁ ଓ ତଳ ମୁଣ୍ଡରେ ବାଲି ଗୁଳା ପାଇଁ ବୈତରଣୀ ନିଜର ଗତି ବଦଳାଉଥିବା କୁହାଯାଉଛି। ଏମିତିକି ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୩୦ ଫୁଟ୍ ଆଡକୁ ମାଡି ଆସିଲାଣି ବୈତରଣୀ।
ନଦୀ ମୋଡ଼ ବଦଳାଉଥିବାରୁ ଗାଁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ । ଏନେଇ ଜଳସମ୍ପଦ ବିଭାଗକୁ ମଧ୍ୟ ଅବଗତ କରାଯାଇଛି । ହେଲେ ଲାଭ କିଛି ହେଲାନି । ଏମିତିକି ଏଠାରେ ଶୌଚ ହେବାକୁ ଯାଇ ୪ ଜଣଙ୍କ ପ୍ରାଣ ଗଲାଣି । ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସୂଚନା ଫଳକଟିଏ ବି ଲଗାଯାଇନି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନଦୀକୂଳ ସୁରକ୍ଷା ଦାୟିତ୍ୱ ଯାଜପୁର ଜଳସମ୍ପଦ ବିଭାଗ ହାତରେ ରହିଥିବାରୁ ଅଧିକାରୀ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ଭଦ୍ରକ ଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ବିକଳ୍ପ ବ୍ୟବସ୍ଥା ହେବ । ତେବେ ଦେଖାଯାଉ ଏଇ ପଂଚାୟତବାସୀଙ୍କ ଦୁଃଖ କେବେ ଶୁଣୁଛି ପ୍ରଶାସନ ।
(ରିପୋର୍ଟ-ପାର୍ଥସାରଥୀ ନାୟକ, ଭଦ୍ରକ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)