• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଟକ ସହରର ଅନ୍ୟତମ ଲାଇଫଲାଇନ୍ କାଠଯୋଡ଼ି ଏବେ ବିଷାକ୍ତ । କାରଣ ବର୍ଷ ତମାମ ଏ ନଦୀରେ ମିଶୁଛି ସହର ଯାକର ଆବର୍ଜନା ପାଣି । ଲୋକେ ହେଉଛନ୍ତି ରୋଗାକ୍ରାନ୍ତ । ନଦୀକୁ ଡ୍ରେନ୍ ପାଣି ନଛାଡ଼ିବାକୁ ଗତବର୍ଷଠୁ ସିଏମ୍‌ସି ଓ ୱାଟକୋକୁ ହାଇକୋର୍ଟ ତାଗିଦ୍ କରିଥିଲେ ବି ତାହା କେହି ଶୁଣୁନାହାନ୍ତି । ତେବେ ନର୍ଦ୍ଦମା ପାଣିକୁ ବର୍ଷା ଜଳ ବୋଲି ଖୋଦ୍ ମେୟର ସଫେଇ ଦେବା ପରେ ଏବେ ସହରବାସୀ କାଠଯୋଡ଼ି ଆଉ ସ୍ୱଚ୍ଛ ହେବା ଆଶା ଛାଡ଼ି ଦେଲେଣି ।

କଟକ ଖାନନଗର ପାଖ କାଠଯୋଡ଼ିର ସ୍ୱଚ୍ଛ ଜଳରେ ମିଶୁଛି ସହର ଯାକର ଆବର୍ଜନା ପାଣି । ନଦୀରେ କେଉଁଠି ଲୋକେ ଗାଧୁଆ ପାଧୁଆ କରୁଛନ୍ତି ତ ପୁଣି କେଉଁଠି ପାଣିକୁ ଘରକୁ ନେଇ ବ୍ୟବହାର ମଧ୍ୟ କରୁଛନ୍ତି । ତାହେଲେ ଭାବନ୍ତୁ କଣ ହେଉଥିବ ସେମାନଙ୍କ ଅବସ୍ଥା ? ନାନାଦି ଚର୍ମ ଓ ପେଟ ରୋଗରେ ଆକ୍ରାନ୍ତ ହେବା ନିଶ୍ଚିତ । ତାହାଲେ ଏଭଳି ସ୍ଥିତି ପାଇଁ ଦାୟୀ କିଏ ? ଉତ୍ତରରେ ସିଧା ସିଏମ୍‌ସି ଆଡ଼କୁ ଅଙ୍ଗୁଳି ଉଠାଉଛନ୍ତି ସହର ବାସିନ୍ଦା।

କାଠଯୋଡ଼ିକୁ ସ୍ୱଚ୍ଛ ରଖିବାକୁ ଗତ ବର୍ଷ ମାର୍ଚ୍ଚ ୨୧ରେ ତାଗିଦ୍ କରିଥିଲେ ହାଇକୋର୍ଟ । ସହରର ନର୍ଦ୍ଦମା ପାଣି କାଠଯୋଡ଼ିକୁ ନଦୀକୁ ନଛାଡ଼ିବାକୁ ଉଭୟ କଟକ ମହାନଗର ନିଗମ ଓ ୱାଟକୋକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ । ହେଲେ ସେ ନିର୍ଦ୍ଦେଶକୁ ଯେମିତି ଫୁ କରି ଉଡ଼ାଇ ଦେଇଛନ୍ତି ଉଭୟ ସଂସ୍ଥା । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରି ମେୟର ସୁବାସ ସିଂ କହିଛନ୍ତି, ଖାନନଗର ଗେଟ୍ ବାଟେ ସହରର ନର୍ଦ୍ଦମା ଜଳ ନୁହେଁ ବରଂ ସେହି ଗେଟ୍ ଦେଇ କେବଳ ସହରର ବର୍ଷା ଜଳ ହିଁ ନିଷ୍କାସନ ହେଉଛି ।

କଟକ ମେୟରଙ୍କଠାରୁ ଏଭଳି ଉତ୍ତର ଶୁଣିବା ପରେ, କାଠଯୋଡ଼ି ଯେ ଆଉ ସ୍ୱଚ୍ଛ ହେବ, ସେ ଆଶା ଛାଡ଼ିଦେଲେଣି ସହରବାସୀ ।

  • Reported by:
  • Biswajit Acharya