• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତା ପୂର୍ବରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ଆଜି ଶ୍ରୀମନ୍ଦିର ପ୍ରଶାସନ ହାତରେ ପରିକ୍ରମା ପ୍ରକଳ୍ପକୁ କରିବ ହସ୍ତାନ୍ତର । ଏପଟେ ପୁରୀ ପୋଲିସ ପ୍ରଶାସନ ଆଜିଠାରୁ ପରିକ୍ରମା ପ୍ରକଳ୍ପ ଉଦଘାଟନ ସରିବା ଯାଏଁ ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବ ।

ପରିକ୍ରମା ପ୍ରକଳ୍ପ ଚାରିପଟେ ସିସିଟିଭି ସର୍ଭିଲାନ୍ସ ରହିବ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଯଜ୍ଞସ୍ଥଳ, ଚାରିଦ୍ୱାର ଆଦି ସ୍ଥାନ ବୁଲି ଦେଖିଥିଲେ ।

ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ପାର୍କିଂସ୍ଥଳର ସମୀକ୍ଷା କରିଥିଲେ । ଆସନ୍ତା ୧୬ ତାରିଖରୁ ପୁରୀକୁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ବସ ସେବା । ଏହା ଜରିଆରେ ଲୋକାର୍ପଣ ଉତ୍ସବ ପାଇଁ ପୁରୀକୁ ୬୦ଟି ବସ୍ ଗଡ଼ିବ ବୋଲି ସୂଚନା ଦେଇଥିଲେ ସୁରେଶ ଚନ୍ଦ୍ର ମହାପାତ୍ର ।

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସୁରକ୍ଷା ବଳୟ ଭିତରେ ରହିଛି ପୁରୀ ସହର । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇପାରେ । ଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇପାରେ । ପୂରା ସହରକୁ ସିସିଟିଭି ଜଗିବ । ଭିଡ଼ ପାଇଁ ଟ୍ରାଫିକ ପରିଚାଳନା ଉପରେ ମଧ୍ୟ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବ । ଲୋକାର୍ପଣକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବା ବେଳେ, ବାକିଥିବା କାମ ଜୋରସୋରରେ ଆଗେଇ ଚାଲିଛି ।

ସେପଟେ ସାଧାରଣ ନିର୍ବାଚନକୁ ୪ ମାସ ବାକି ଥିବାବେଳେ ରଥ ରାଜନୀତି ଜୋର ଧରିଛି । ମୁଖ୍ୟ ବିରୋଧୀ ବିଜେପି କଡା ସମାଲୋଚନା କରି କହିଛି ନିର୍ବାଚନ ବୈତରଣୀ ପାରି ହେବାକୁ ଜଗନ୍ନାଥଙ୍କ ନାଁକୁ ନେଇ ଶାସକ ଦଳ ରାଜନୀତି କରୁଛି । ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର, ମଠ ମନ୍ଦିର ଭଙ୍ଗା ଓ ଚାରିଦ୍ୱାର ଖୋଲା ପ୍ରସଙ୍ଗରେ ସରକାର ନିନ୍ଦିତ ହୋଇଛି ।

ଏହି କାଳିମାକୁ ଛଡ଼ାଇବା ଲାଗି ପରିକ୍ରମା ପ୍ରକଳ୍ପ ରଥ ରାଜନୀତି କରୁଛି ବିଜେଡ଼ି । କଂଗ୍ରେସ କହିଛି ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରାମଲାଲା ଓ ବିଜେଡି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି । କିନ୍ତୁ ଲୋକେ ଜାଣିଛନ୍ତି ପ୍ରକୃତ ରହସ୍ୟ । ବିଜେଡିର ସ୍ପଷ୍ଟୀକରଣ ଏଥିରେ କୌଣସି ରାଜନୀତି ନାହିଁ । ଜଗନ୍ନାଥ ପ୍ରେମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବାକୁ ଯାଉଛନ୍ତି ବୋଲି ବିଜେଡ଼ି କହିଛି ।