• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶ ବିଦେଶରୁ ନାମୀ ଦାମୀ ଭାସ୍କର୍ଯ୍ୟଶିଳ୍ପୀ ଆସିଲେ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା ଆକର୍ଷଣୀୟ କଳାକୃତି । ହକି ବିଶ୍ୱକପ୍ ପୂର୍ବରୁ ରାଜଧାନୀରେ ଓଡ଼ିଶା ର କଳା ସଂସ୍କୃତିର ଝଲକ ଦେଖାଇବା ଲାଗି ଠିକ୍ ସମୟରେ କାମ ବି ସରିଲା । ମାତ୍ର କଳାକୃତି ସବୁ ନିର୍ମାଣ ସ୍ଥଳରେ ହିଁ ଏବେ ନିର୍ବାକ ହୋଇ ପଡ଼ି ରହିଛି । ବିଶ୍ୱକପ୍ ପାଇଁ ଗୋଟିଏ ପରେ ଗୋଟିଏ ଟିମ୍ ଆସି ପହଞ୍ଚୁଥିବା ବେଳେ କଳାକୃତିଗୁଡ଼ିକୁ ସହର ଭିତରେ ସ୍ଥାନୀତ କରାଯାଇ ନାହିଁ, ଯାହାକୁ ନେଇ ଚିନ୍ତାରେ ଭାସ୍କର୍ଯ୍ୟଶିଳ୍ପୀ. ।

ରାଜଧାନୀ ଭୁବନେଶ୍ୱର ସ୍ଥିତ କଳାଭୂମିରେ ଏସବୁ କଳାକୃତି ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଯେଉଁ ଲକ୍ଷ୍ୟ ନେଇ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ଦ୍ୱାରା ଏସବୁର ନିର୍ମାଣ କରାଯାଇଥିଲା ତାହା ଏଯାଏଁ ସଂପୂର୍ଣ୍ଣ ହୋଇନାହିଁ । ହକି ବିଶ୍ୱକପ୍ ଲାଗି ରାଜଧାନୀ ରାସ୍ତାରେ ସହର ଭିତରେ ବିଭିନ୍ନ ସ୍ଥାନରେ ଏସବୁ କଳାକୃତିକୁ ସ୍ଥାନିତ କରିବାର ଥିଲା । ବିଶ୍ୱକପ୍ ହକି ଲାଗି ଅତିଥି ଆସି ଏବେ ଘରେ ପହଞ୍ଚିଲେଣି । ମାତ୍ର ଏସବୁ କଳାକୃତିକୁ ଏଯାଏଁ ସହର ଭିତରେ ସ୍ଥାନୀତ କରାଯାଇ ନାହିଁ । ହକି ବିଶ୍ୱକପକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଏହାକୁ ସଠିକ୍ ସ୍ଥାନରେ ସଜାଇ ରଖାଯିବାକୁ ନେଇ ଉଠିଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ: ବିଶ୍ୱକପ୍‌ ଆୟୋଜନ ପଛରେ ବିରୋଧୀ ବାରିଲେ ରାଜନୀତିର ଗନ୍ଧ, ଭାରତ ମ୍ୟାଚ୍‌ର ଟିକଟ୍ ନପାଇ କ୍ଷୁବ୍ଧ ଫ୍ୟାନ

ହକି ବିଶ୍ୱକପ୍ ବେଳେ ରାଜଧାନୀରେ ଓଡ଼ିଶାର କଳା ସଂସ୍କୃତିକୁ ଶୋ କେସ୍ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ । ଓଡ଼ିଶା ଲଳିତ କଳା ଏକାଡେମୀ ସହଯୋଗରେ ଦେଶ ବିଦେଶରୁ ନାମୀଦାମୀ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ଡକାଇ ପଥର ଏବଂ ଧାତୁରେ ସୁନ୍ଦର ସୁନ୍ଦର ମୂର୍ତ୍ତି ନିର୍ମାଣ କରଯାଇଥିଲା । ପ୍ରାୟ ଏକମାସ ଧରି ୫୦ ଜଣ ଭାସ୍କର୍ଯ୍ୟ ଶିଳ୍ପୀ ଏସବୁ କଳାକୃତ୍ତି ନିର୍ମାଣ କରିବା ପରେ ଏବେ ଏସବୁ ରାଜଧାନୀର କେଉଁସ୍ଥାନରେ ସ୍ଥାନିତ ହେବ ତାକୁ ଶିଳ୍ପୀମାନେ ଅପେକ୍ଷା କରି ରହିଛନ୍ତି ।

ଏପଟେ ବିଶ୍ୱକପ୍ ପୂର୍ବରୁ ରାଜଧାନୀକୁ ସୁନ୍ଦର ଭାବେ ସଜାଇବାରେ ଲାଗିଛି ବିଏମସି । ରାସ୍ତା କଡ଼ରେ ଓ୍ୱାଲ୍ ପେଣ୍ଟିଂ ସହ ବିଭିନ୍ନ ସ୍ଥାନରେ ଚାଲିଛି ଉନ୍ନତୀକରଣ କାମ । ଏସବୁ ପ୍ରକ୍ରିୟା ଭିତରେ କଳାକୃତିକୁ ସ୍ଥାନୀତ କରିବା ଲାଗି ସ୍ଥାନ ଚିହ୍ନଟ କରାସରିଛି । ବଛାବଛା ୩୫ଟି କଳାକୃତି ସହରର ବିଭିନ୍ନ ପଏଣ୍ଟରେ ଖୁବଶୀଘ୍ର ଲଗାଯିବ ବୋଲି ମେୟର କହିଛନ୍ତି ।

ଆସନ୍ତା ୧୧ ତାରିଖରେ ଉଦଘାଟିତ ହେବ ହକି ବିଶ୍ୱକପ୍ । ୧୩ରୁ ଆରମ୍ଭ ହେବ ମ୍ୟାଚ୍ । ବିଶ୍ୱକପରେ ୧୬ଟି ଦେଶ ଭାଗ ନେଉଥିବା ବେଳେ ଭାରତ ଓ ନେଦର୍ଲ୍ୟାଣ୍ଡସ ଟିମ୍ ଆସି ପହଞ୍ଚି ଗଲେଣି ।