• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମ୍ବଲପୁରରେ ଆଜିଠୁ କୋହଳ ହେଲା କର୍ଫ୍ୟୁ । ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ । ସକାଳେ ଏବଂ ଅପରାହ୍ନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ଯେଉଁ ୨ ଘଣ୍ଟିଆ କୋହଳ କରାଯାଇଥିଲା, ତାର ସମୟ ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି । ସକାଳ ସାଢ଼େ ୭ରୁ ସାଢ଼େ ୧୧ ଏବଂ ଅପରାହ୍ନରେ ସାଢ଼େ ୩ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁକୁ କୋହଳ କରାଯାଇଛି । ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ସେପଟେ ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ ତାରିଖରେ ହୋଇଥିବା ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏଯାବତ୍ ଲହି ଘଟଣାରେ ମୋଟ୍ ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି ପାଇଲାଣି ।

ହେଲେ ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଥିବା କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁର ସହରର ସ୍ଥିତି । ତଥାପି ଶାନ୍ତି ଶୃଙ୍ଖଳା ଉଦ୍ଦେଶ୍ୟରେ କର୍ଫ୍ୟୁକୁ ବଳବତ୍ତର ରଖିବା ସହ ହିଂସାରେ ସଂପୃକ୍ତ ଅଭିଯୋଗରେ ମୋଟ୍‌ ୮୫ ଜଣଙ୍କୁ ଗିରଫ କରିଛି ପୋଲିସ । ସରକାରୀ ଜମି ଉପରେ ବେଆଇନ ଭାବେ ଘର ନିର୍ମାଣ କରି ହିଂସା ଭିଆଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି କହିଛନ୍ତି । ସେପଟେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଜି ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଏକପ୍ରକାର ନିୟନ୍ତ୍ରଣାଧିନ ରହିଛି ସମ୍ବଲପୁରର ସ୍ଥିତି । ତଥାପି ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ପୋଲିସ ଛାଉଣୀ ରହିଛି । ବିଭିନ୍ନ କମ୍ପିଟେଟିଭ୍ ଏକଜାମ ଥିବାରୁ ପରୀକ୍ଷା କେନ୍ଦ୍ରକୁ ଯିବା ଓ ଆସିବା ସମୟରେ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି । ବସଷ୍ଟାଣ୍ଡ ଓ ରେଳଷ୍ଟେସନରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା ହୋଇଥିଲା ।

  • Reported by:
  • SANJAY JENA