• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାଖାପାଖି ୨୩ ଘଣ୍ଟା ପରେ ବି ସମ୍ପୂର୍ଣ୍ଣ ଆୟତ୍ତକୁ ଆସିନି ପୁରୀ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ । ଜଳିପୋଡ଼ି ଛାରଖାର ହୋଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହେଟେଲ ।

ନିଜେ ଗୃହରାଷ୍ଟ୍ରମନ୍ତ୍ରୀ ଓ ଅଗ୍ନିଶମ ଡିଜି ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଥଇଥାନ ପାଇଁ ବିଚାର କରାଯିବ ବୋଲି କହିଛନ୍ତି । ସେପଟେ ନିଆଁ ଲିଭାରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତ ବ୍ୟବସାୟୀ ଓ ପୁରୀ ବାସିନ୍ଦା ।

ଅଧିକ ପଢ଼ନ୍ତୁ: ଅଗ୍ନିକାଣ୍ଡରେ ଛାରଖାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି; କୁହୁଳା ନିଆଁରୁ ଫେରିଲା ସୁନା

ସମୟ ବୁଧବାର ସନ୍ଧ୍ୟା ପାଖାପାଖି ୮ଟା । ପୁରୀ ଶ୍ରୀମନ୍ଦିରଠାରୁ ମାତ୍ର ୩ଶହ ମିଟର ଦୂର ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସରେ ନିଆଁ ଲାଗିଥିବା ହୁରି ପଡ଼ିଗଲା । ମୋଟା କଳା ଧୂଆଁରେ ଆଚ୍ଛାଦିତ ହୋଇଥିଲା ପୂରା ପରିବେଶ । ଯାତ୍ରୀଙ୍କଠୁ ଜନସାଧାରଣ ଓ ଦୋକାନୀ ସମସ୍ତେ ଅଣନିଃଶ୍ୱାସୀ ହୋଇଯାଇଥିଲେ ।

ଖବର ପାଇ ତୁରନ୍ତ ଅଗ୍ନିଶମ ଟିମ୍ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଦୋକାନ ଘରର ନିଆଁ ଆୟତ୍ତ କରି ଚାଲି ଯାଇଥିଲେ । ହେଲେ ରାତି ୨ଟା ବେଳକୁ ପୁଣି ଧରିଥିଲା କୁହୁଳୁଥିବା ନିଆଁ । ନିଆଁ କାବୁ ପାଇଁ ଫାୟାର ଟିମ୍ ସହ ସାମିଲ ହୋଇଥିଲା ଓଡ୍ରାଫ୍ ଟିମ୍ । ନିଆଁ ଯେପରି ଅଧିକ ନବ୍ୟାପିବ ସେଥିପାଇଁ ଉପର ମହଲାରୁ ସାମାନପତ୍ର ଏମିତି ତଳକୁ ଫିଙ୍ଗା ଚାଲିଥିଲା ।

ତାସହ କଂପ୍ଲେକ୍ସ ପଛ ପଟ କାନ୍ଥ ଭାଙ୍ଗି ସେହିବାଟେ ପାଇପ୍ ନେଇ ପାଣି ମାଡ଼ କରାଯିବା ସହ ଭିତରକୁ ପଶିବା ପାଇଁ ବି ବାଟ ଖୋଲାଯାଇଥିଲା । ଯଦିଓ ଗତକାଲି କଂପ୍ଲେକ୍ସରୁ ସବୁ ଲୋକକୁ ସୁରକ୍ଷିତ ଭାବେ କାଢ଼ି ଦିଆଯାଇଥିଲା, ହେଲେ ସାମାନ ପତ୍ର କିନ୍ତୁ ସେମିତି ଥିଲା । ଏକ ଗଦି -ତକିଆ ଓ ବ୍ୟାଗ୍ ଗୋଦାମ ଥିବାରୁ ନିଆଁ ଅଧିକ ବେକାବୁ ହେଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଓ କ୍ଷତିଗ୍ରସ୍ତ ବ୍ୟବସାୟୀ ।

ତାସହ ନିଆଁ ଲିଭାରେ ବିଳମ୍ବକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଠି ପ୍ରଶ୍ନ କେମିତି ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସରେ ଲାଗିଲା ଏତେ ବଡ଼ ନିଆଁ ? ବଡ଼ଦାଣ୍ଡ ଉପରେ ଥାଇ ବି କାହିଁକି ଘଣ୍ଟା ଘଣ୍ଟା ଧରି ଜଳିଲା ଏହି ତିନି ମହଲା ବିଶିଷ୍ଟ କୋଠା ? ନିଆଁ ଲିଭା ଅପରେସନ ଓ ସ୍ଥିତି ଜାଣିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।

ଆଗେ ଧନ ଜୀବନକୁ ଗୁରୁତ୍ୱ ଓ ପରେ କ୍ଷତିଗ୍ରସ୍ତ ଦୋକାନୀଙ୍କ ଥଇଥାନ ଚିନ୍ତା କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କହିବା ସହ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ସୂଚନା ଦେଇଥିଲେ । ସେହିପରି ଅଗ୍ନିଶମ ଡିଜି କହିଥିଲେ ‘ପାରିପାର୍ଶ୍ୱିକ ସ୍ଥିତି ଯୋଗୁଁ ନିଆଁ ଲିଭାଇବାରେ ବିଳମ୍ବ ହୋଇଛି ।

ଯେହେତୁ ଅନ୍ୟ କୌଣସି ପଟୁ ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା ନାହିଁ’ ତେଣୁ ନିଆଁକୁ ଆୟତ୍ତରେ ବିଳମ୍ବ ହୋଇଛି । ନିଆଁ ଲିଭା କାମରେ ୧୨ରୁ ଅଧିକ ଅଗ୍ନିଶମ ଗାଡ଼ି ‘୯୦ ଜଣ ତାଲିମପ୍ରାପ୍ତ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ତାସହ ସାମିଲ ହୋଇଥିଲେ ନ୍ୟାସନାଲ ଫାୟାର ସର୍ଭିସ୍ କଲେଜର ଯବାନ ।

ପୁରୀ ମରିଚିକୋଟ ଛକରେ ଥିବା ତିନି ମହଲା ବିଶିଷ୍ଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ପ୍ରାୟ ୨୦ବର୍ଷ ପୁରୁଣା । କେବଳ ଗ୍ରାଉଣ୍ଡ ଫ୍ଲୋରରେ ରହିଛି ୪୩ଟି ଦୋକାନ । ଫାଷ୍ଟ ଫ୍ଲୋରରେ ଏକ ଫ୍ୟାସନ ସେଣ୍ଟର ସହ ବ୍ୟାଙ୍କ ରହିଛି । ଦ୍ୱିତୀୟ ଓ ତୃତୀୟ ମହଲାରେ ରହିଛି ଲଜିଂ ଏବଂ ହୋଟେଲ୍ ।

ଅଧିକାଂଶ ଦୋକାନ ଘରର ସଟର ବନ୍ଦ ରହିଥିବାରୁ ନିଆଁ ଭିତରେ ଭିତରେ ବ୍ୟାପିଥିବା କୁହାଯାଉଛି । ନିଆଁ ଲିଭାଇବାବେଳେ କିଛି ଅଗ୍ନିଶମ କର୍ମଚାରୀ ଅଣନିଃଶ୍ୱାସୀ ହୋଇ ପଡ଼ିଥିବାବେଳେ ୩ଜଣ ଆହତ ମଧ୍ୟ ହୋଇଛନ୍ତି ।

ପୁରୀରୁ କ୍ୟାମେରାପର୍ସନ ଗୋପାଳ, ସୋମନାଥ, ଅମୂଲ୍ୟଙ୍କ ସହ ମଧୁସୂଦନ ମିଶ୍ର, ପ୍ରଦୀପ ମହାନ୍ତି ଓ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ, ଓଟିଭି