/odishatv-khabar/media/post_attachments/uploadimage/library/16_9/16_9_0/s_1677229158.jpg)
Privilege Motion Against OTV And The New Indian Express On Jayanarayan Mishra Statement
ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବୃତ୍ତି ଉପରେ ଖବର ପ୍ରସାରଣକୁ ନେଇ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍’ ଏବଂ ‘ଓଟିଭି’ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିଛି। ଶାସକ ଦଳ ବିଧାୟକ ଅମର ଶତପଥୀ ଆଜି ଗୃହରେ ଏହି ପ୍ରସ୍ତାବ ଆଗତ କରିଛନ୍ତି। ବାଚସ୍ପତି ଏହାର ଅନୁଧ୍ୟାନ କରୁଥିବା ଅମର ଶତପଥୀ ସୂଚନା ଦେଇଛନ୍ତି।
ଗତକାଲି ଗୃହରେ ନବ ଦାସ ହତ୍ୟା ସମ୍ପର୍କିତ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୁରୁତର ଅଭିଯୋଗ ଆଣିଥିଲେ। ନବ ଦାସଙ୍କ ହତ୍ୟାର ୪ ଦିନ ଆଗରୁ ଫାଇଭ-ଟି ସଚିବ ଓ ବିଜେଡି ସଂଗଠନ ସଂପାଦକଙ୍କ ମଧ୍ୟରେ ନବୀନ ନିବାସରେ ବୈଠକ ହୋଇଥିବା ଜୟ ନାରାୟଣ ଉଲ୍ଲେଖ କରିଥିଲେ। ତାଙ୍କ ବିବୃତିରୁ 5T ସଚିବଙ୍କ ନାଁ କାଟି ଦେବା ଲାଗି ବାଚସ୍ପତି ରୁଲିଂ ଦେଇଥିଲେ।
ତେବେ ନବୀନ ନିବାସ ଶଦ୍ଦ ମଧ୍ୟ କାଟିଦେବା ଲାଗି ବାଚସ୍ପତି ରୁଲିଂ ଦେଇଥିଲେ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଫଳରେ ଅଧିକାଂଶ ଗଣମାଧ୍ୟମ ଆଜି ଏହି ଖବର ପ୍ରସାରଣ ଓ ପ୍ରକାଶନ କରିଛନ୍ତି। କେବଳ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍’ ଏବଂ ‘ଓଟିଭି’କୁ ଛାଡି ଅନ୍ୟ କାହାରି ବିରୋଧରେ ସ୍ୱାଧିକାର ପ୍ରସ୍ତାବ ଅଣାଯାଇ ନାହିଁ ।
ଆମେ ଏଠାରେ ଉଲ୍ଲେଖ କରିବାକୁ ଚାହୁଁ ଯେ ଏକ ନିରପେକ୍ଷ ଗଣମାଧ୍ୟମ ଭାବେ ବିଧାନସଭାରେ ବିରୋଧୀଙ୍କ ଅଭିଯୋଗ ଓ ଶାସକ ଦଳର ପକ୍ଷକୁ ଓଟିଭି ନିୟମିତ ପ୍ରସାରଣ କରି ଆସିଛି। ବାଚସ୍ପତିଙ୍କ ବକ୍ତବ୍ୟ ଓ ରୁଲିଂକୁ ସମ୍ମାନ ଦେଇ ଗୃହ ପରିଚାଳନା ନିୟମ ଅନୁସାରେ ହିଁ ଓଟିଭି ଖବର ପ୍ରସାରଣ କରିଥାଏ।
ସେପଟେ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଜି କହିଛନ୍ତି, କେବଳ 5T ସଚିବଙ୍କ ନାଁ ଗୃହର ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତି କହିଥିଲେ। ଏପରିକି 5T ସଚିବ ପଦବୀ ବିବରଣୀରେ ରହିଥିଲା। କିନ୍ତୁ ନବୀନ ନିବାସରେ ବୈଠକ ହେବା ପ୍ରସଙ୍ଗରେ କିଛି ବି କହିନଥିଲେ ବାଚସ୍ପତି କି ଏ ସଂପର୍କରେ କିଛି ରୁଲିଂ ଦେଇନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)