• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସିଜରିଆନ୍ ଡେଲିଭରି ବା ଅସ୍ତ୍ରୋପଚାର ପ୍ରସବ । ସିଜରିଆନ ଡେଲିଭରିକୁ ଅତିବେଶିରେ୧୫ ପ୍ରତିଶତରେ ସୀମିତ ରଖିବାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ସତ୍ତ୍ୱେ ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ ଏହି ହାର ୭୦ ପ୍ରତିଶତରୁ ଅଧିକ ରହୁଛି । ସୂଚନା ଅଧିକାର ଆଇନ ଓ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଥିବା ବେଳେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ସିଜରିଆନ୍ ଡେଲିଭରିକୁ ନିୟନ୍ତ୍ରଣରେ ଆଣିବାକୁ ପଦକ୍ଷେପ ନିଆଯାଉଛି ।

ଅସ୍ତ୍ରୋପଚାର ପ୍ରସବରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ- ୧୫ ପ୍ରତିଶତରେ ସୀମିତ ରଖ । ହେଲେ ରାଜ୍ୟର ଘରୋଇ ହସ୍ପିଟାଲରେ ଏଇ ହାର ୭୦ ପ୍ରତିଶତରୁ ଅଧିକ । ନଜର ପକାନ୍ତୁ ଜଗତସିଂହପୁର ଜିଲ୍ଲାରେ ଗତ ତିନି ବର୍ଷରେ ସିଜରିଆନ୍ ଡେଲିଭରି ତଥ୍ୟ ଉପରେ । ଗତ ତିନି ବର୍ଷରେ ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମୋଟ ୨୯ ହଜାର ୭୪୦ ଶିଶୁ ଜନ୍ମ ହୋଇଥିବା ବେଳେ ଏଥିରୁ ୧୨ ହଜାର ୮୯ ଶିଶୁ ଅର୍ଥାତ୍ ୪୦% ଶିଶୁଙ୍କୁ ଅସ୍ତ୍ରୋପଚାର ବା ସିଜେରିଆନ୍ ଜରିଆରେ ଡେଲିଭରି କରାଯାଇଛି ।

ତେବେ ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ଜଗତସିଂହପୁର ଜିଲ୍ଲାରେ ତିନି ବର୍ଷରେ ଘରୋଇ ହସ୍ପିଟାଲରେ ୧୦ ହଜାର ୮୪୦ ଶିଶୁ ଜନ୍ମ ହୋଇଥିବା ବେଳେ ଏଥିରୁ ୮ ହଜାର ୧୭୪ ଅର୍ଥାତ୍ ୭୫% ଶିଶୁଙ୍କୁ ଅସ୍ତ୍ରୋପଚାର ଜରିଆରେ ପ୍ରସବ କରାଯାଇଛି । ବିଶେଷଜ୍ଞଙ୍କ ମତରେ ପ୍ରାକୃତିକ ଉପାୟରେ ସାଧାରଣ ପ୍ରସବକୁ ଗୁରୁତ୍ୱ ଦିଆଯିବା ଉଚିତ । କେବଳ ଜଟିଳ ପରିସ୍ଥିତିରେ ସିଜରିଆନ୍ ଡେଲିଭରି କରାଯାଇପାରେ । ସେଇଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସିଜରିଆନ୍ ଡେଲିଭରିକୁ ଅତିବେଶିରେ ୧୫% ଭିତରେ ସୀମିତ ରଖିବାକୁ ପରାମର୍ଶ ଦେଇଛି । ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି କିଛି ମାଗଣା ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବା ପରେ ଏହି ସଂଖ୍ୟା ବଢ଼ିଥିବା କୁହାଯାଉଛି ।

ଅନ୍ୟପଟରେ ଜାତୀୟ ସ୍ୱାସ୍ଥ୍ୟ ପରିବାର ସର୍ଭେ ବା ଏନଏଫଏଚଏସ୍-୫କୁ ଦେଖିଲେ ୨୦୨୦ରୁ ୨୦୨୧ ଭିତରେ ଭାରତ ଏବଂ ଓଡ଼ିଶାରେ ଯଥାକ୍ରମେ ୨୧.୫% ଓ ୨୧.୬% ଶିଶୁ ଅସ୍ତ୍ରୋପଚାର ଜରିଆରେ ବା ସିଜରିଆନ୍ ପଦ୍ଧତିରେ ଜନ୍ମ ନେଇଛନ୍ତି । ତେବେ ସେଥିରୁ ଦେଶର ଘରୋଇ ହସ୍ପିଟାଲରେ ୪୭.୪% ଶିଶୁ ଅସ୍ତ୍ରୋପଚାର ଜରିଆରେ ବା ସିଜେରିଆନ୍ ପଦ୍ଧତିରେ ଜନ୍ମ ନେଇଥିବା ବେଳେ, ଓଡ଼ିଶାରେ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ବା ସଜେରିଆନ୍ ପଦ୍ଧତିରେ ୭୦.୭% ପିଲାଙ୍କ ପ୍ରସବ କରାଯାଇଛି ।

ପରିବର୍ତ୍ତିତ ଜୀବନ ଶୈଳୀ, ବିଳମ୍ବିତ ବୟସରେ ବିବାହ, ଯନ୍ତ୍ରଣା ସହଣୀର ଇଚ୍ଛାଶକ୍ତିରେ ହ୍ରାସ, ଶୀଘ୍ର ଡାକ୍ତରଖାନା ଛାଡ଼ି କାମରେ ଯୋଗ ଦେବା ଭଳି ମନୋଭାବ ପାଇଁ ଅଧିକ ଅସ୍ତ୍ରୋପଚାର ବା ସିଜେରିଆନ୍ ପଦ୍ଧତିରେ ପ୍ରସବ କରାଯାଉଛି ବୋଲି ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞମାନେ କହିଛନ୍ତି । ତେବେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା ଘରୋଇ ହସ୍ପିଟାଲରେ ସିଜରିଆନ୍ ଡେଲିଭରି ବଢୁଥିବାରୁ ସିଜରିଆନ୍ ଅଡିଟକୁ ଜୋରଦାର କରାଯାଉଛି ।