• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆନ୍ଦୋଳନରୁ ହଟିବେ କି ପ୍ରାଥମିକ ଶିକ୍ଷକ ? ନା ଜାରି ରହିବ ଆନ୍ଦୋଳନ ? କେଉଁ ନିଷ୍ପତ୍ତି ଏବେ ନେବେ ପ୍ରାଥମିକ ଶିକ୍ଷକ । କାରଣ, ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରାଥମିକ ଶିକ୍ଷକ ସଂଘକୁ ଅପିଲ୍ କରିଛନ୍ତି ସରକାର । ଆନ୍ଦୋଳନ କରୁଥିବା ପ୍ରାଥମିକ ଶିକ୍ଷକ ସଂଘ ପ୍ରତିନିଧିଙ୍କ ସହ ଗତକାଲି ଗଣଶିକ୍ଷା ବିଭାଗ ସଚିବ ଆଲୋଚନା କରିଛନ୍ତି ।

ସଂଘର ଦାବି ଉପରେ ତର୍ଜମା ପାଇଁ ୫ ଜଣିଆ ସବ୍ କମିଟି ଗଠନ କରାଯାଇଛି । ଏହି ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ତର୍ଜମା କରି ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ଜଣାଇବ । ଏହାପରେ ଶିକ୍ଷକଙ୍କ ଦାବି ବାବଦରେ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ।

ଏହା ପୂର୍ବରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସଂଘକୁ ସରକାର ଅନୁରୋଧ କରିଛନ୍ତି । ସେପଟେ ଶିକ୍ଷକ ସଂଘ ଆନ୍ଦୋଳନରୁ ଓହରିବେ କି ନାହିଁ, ତା ଉପରେ ନଜର ରହିଛି । ଆଜି ସଂଘ ଏହା ଉପରେ ନିଷ୍ପତ୍ତି ନେବ ବୋଲି ଜଣାପଡିଛି ।

ସୂଚନା ଥାଉ ଯେ, ରାଜ୍ୟର ୩୧୪ଟି ଯାକ ବ୍ଲକ୍‌ରେ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ୍ ଆଗରେ ପ୍ରତୀକାତ୍ମକ ଧାରଣା ଦେଇ ଗର୍ଜନ କରୁଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ । ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣିଙ୍କ ଜିଲ୍ଲା ବାରିପଦାଠୁ କୋରାପୁଟର ଜୟପୁର ଯାଏଁ ସବୁଠି ଶିକ୍ଷକଙ୍କ ମୁହଁରେ ଶୁଭିଛି ସରକାର ବିରୋଧୀ ନାରା ।

ସେମାନଙ୍କ ତିନି ଦଫା ଦାବି ଯଥାକ୍ରମେ- ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନସନ୍ ଓ କେନ୍ଦ୍ରୀୟ ହାର ଦରମା ଅନୁସାରେ ୪୨ଶହ ଟଙ୍କା ଗ୍ରେଡ୍ ପେ ଲାଗୁ ନହେଲେ ସ୍ଲୁଲ୍‌ରେ ତାଲା ଝୁଲାଇ ଅନିର୍ଦ୍ଦିଷ୍ଟକାଳ ଯାଏଁ ସାମୁହିକ ଛୁଟିରେ ଯିବାକୁ ବି ଧମକ ଦେଇଛନ୍ତି । ବାଲେଶ୍ୱର ବିଇଓ ଅଫିସ୍ ଆଗରେ ଜଣେ ଶିକ୍ଷୟିତ୍ରୀ ନିଜ କୁନିଝିଅକୁ କୋଳରେ ବସାଇ ଧାରଣା ଦେଉଥିବାର ଦୃଶ୍ୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ଗୋଟିଏ ପଟେ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନରେ ତ ଅନ୍ୟପଟେ ସ୍କୁଲରେ ଝୁଲୁଛି ତାଲା । ପିଲାଏ ସ୍କୁଲକୁ ଆସିଥିଲେ, ହେଲେ ସାର-ଦିଦିଙ୍କ ଷ୍ଟ୍ରାଇକ୍ କଥା ଶୁଣି ବହିବସ୍ତାନୀ ଧକି ପୁଣି ଘରକୁ ଫେରି ଯାଇଥିଲେ । ସରକାର ଶିକ୍ଷକମାନଙ୍କ ଦାବି ନଶୁଣିଲେ ପାଠପଢ଼ା ବ୍ୟାଘାତ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।