• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗୋଟିଏ ପଟେ ୪୦ ଡିଗ୍ରୀ ପାର୍ ତାତିରେ ରାଜ୍ୟବାସୀ ସନ୍ତୁଳି ହେଉଥିବାବେଳେ ଅନ୍ୟପଟେ ଜନଜୀବନକୁ କଲବଲ କରୁଛି ଘନ ଘନ ବିଜୁଳି କାଟ୍ । ଗାଁଠୁ ସହର ସବୁଠି ଦିନ ରାତି ଚାଲିଛି ଘଣ୍ଟା ଘଣ୍ଟା ଅଘୋଷିତ ପାୱାରକଟ୍ । ଏବର୍ଷ ଆଦୌ ପାୱାର କଟ୍ ହେବନି ବୋଲି ତିନିଦିନ ତଳେ ଶକ୍ତିମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଯେମିତି ଉପହାସ କରୁଛି ଗ୍ରାଉଣ୍ଡ ଜିରୋରୁ ବିଜୁଳି କାଟର ବିକଳ ଚିତ୍ର ।

ତିନି ଦିନ ତଳେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ମୁହଁରୁ ରାଜ୍ୟବାସୀ ଶୁଣିଥିବା ଟାଣ ପ୍ରତିଶ୍ରୁତି, କେତେ ଫଳପ୍ରଦ ବର୍ତ୍ତମାନର ବାସ୍ତବ ଚିତ୍ର କହିଦେଉଛି । ଆସିକା ବ୍ଲକ ହରଡ଼ାପଦର ଗାଁରେ ଘଣ୍ଟାକୁ ଘଣ୍ଟା ଛାଡ଼ି ଏଠି ଚାଲିଛି ପାୱାରକଟର ଲୁଚକାଳି ଖେଳ । ବାହାରେ ତାତି କଲବଲ କରୁଛି ତ ଘର ଭିତରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ବାଧ୍ୟ ହୋଇ ଦାଣ୍ଡ ପିଣ୍ଢା ନହେଲେ ଗଛମୂଳ ପାଲଟିଛି ବସାଉଠା ସ୍ଥାନ । ବିଶେଷକରି ବୟସ୍କ ଓ ଛୋଟ ପିଲା ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ।

ବାଲେଶ୍ୱର ଜିଲ୍ଲା ର ନୀଳଗିରି ଗାଁର ଦମୟନ୍ତୀ ରାଉତ । ଘରେ ଫ୍ୟାନ ଅଛି, ହେଲେ ଚାଲିବାକୁ ବେଳ ନାହିଁ । କାରଣ ଯେତେବେଳେ ଦେଖିବ ସେତେବେଳେ ପାୱାରକଟ୍ । ୬ମାସର କୁନି ପୁଅଟିକୁ ଧରି ରାତି କି ଦିନ, ଏମିତି ବିଞ୍ଚଣା ଖଣ୍ଡେ ଧରି ଘରରୁ ବାରି କାଖରେ ଧରି ବୁଲାଉଛନ୍ତି ଦମୟନ୍ତୀ । ସମସ୍ତଙ୍କର ସମାନ ଅଭିଯୋଗ, ଟାଟା ପାୱାର ହାତକୁ ବିଦ୍ୟୁତ୍ ବିତରଣ ସେବା ଯିବା ପରଠୁ ସମସ୍ୟା ଅତି ଦୟନୀୟ । ମାସ ଆରମ୍ଭରୁ ବିଲ୍ ମାଗିବାକୁ ଥରକୁ ଥର ଆସୁଛନ୍ତି, ଏମିତିକି ସାମାନ୍ୟ ବିଳମ୍ବ ହେଲେ ଲାଇନ୍ କାଟିବା ଧମକ ବି ଦେଉଛନ୍ତି । ହେଲେ ଗ୍ରାହକଙ୍କ ଯନ୍ତ୍ରଣା ପ୍ରତି ଯେମିତି ବିଭାଗର ଖାତିର ନାହିଁ ।.

ଗାଁ ଗହଳି କଥା ଛାଡ଼ନ୍ତୁ, ଖୋଦ୍ କଟକ ସହରରେ ବି ପାୱାରକଟ୍ ଯନ୍ତ୍ରଣାରେ ଆଉଟୁପାଉଟୁ ସାଧାରଣ ଜନତା । ଅଘୋଷିତ ବିଜୁଳି କାଟ୍ ଅସହ୍ୟ ହେବାରୁ ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରି ଜଣାଇଥିବା ଇଏ ହେଲେ କଟକ ମର୍କତନଗରର ବରିଷ୍ଠ ନାଗରିକ ସୌଭାଗ୍ୟ ସୁନ୍ଦରାୟ । ତାଙ୍କ ଅଭିଯୋଗ ନିଇତି ରାତିରେ ୪ରୁ ୫ ଥର ବିଜୁଳି କାଟ୍ ହେଉଛି ।

ବୟସ୍କ, ଅସୁସ୍ଥ ଓ ଶିଶୁମାନଙ୍କୁ ଏଥିରୁ ମୁକ୍ତି ଦେବାକୁ ସେ ନିବେଦନ କରିଛନ୍ତି । ଏପଟେ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ କହିଛି, ଓଡ଼ିଶା କୁଆଡ଼େ ବଳକା ବିଜୁଳି ରାଜ୍ୟ ବୋଲି ଡିଣ୍ଡିମ ପିଟା ଚାଲିଛି । ହେଲେ ପିକ୍ ଆୱାରରେ ଡିମାଣ୍ଡ ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ସରକାର । ବିଜୁଳି କାଟ୍ ଆଉ ହେଉନି କି ହେବନି ବୋଲି ବିଭାଗୀୟ ମନ୍ତ୍ରୀ ଯେଉଁ ବାହସ୍ଫୋଟ ମାରୁଛନ୍ତି, ତାଙ୍କୁ ଉପଭୋକ୍ତାମାନେ ବିଭିନ୍ନ ଫୋରମରେ ଜଣାନ୍ତୁ ।

ବିଜୁଳି କାଟର ଏଭଳି ବିକଳ ଚିତ୍ର ଦେଖିଲା ପରେ ପ୍ରଶ୍ନ, ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ସରକାରଙ୍କ କାଇଦା କଟକଣା ଭିତରେ ଅଛି ନା ତା ଇଚ୍ଛାରେ କାମ କରୁଛି ? ତେବେ ରାଜ୍ୟରେ ଘନ ଘନ ବିଜୁଳିକାଟ ନେଇ ଶକ୍ତି ବିଭାଗ କି ଟାଟା ପାୱାରରୁ ପ୍ରତିକ୍ରିୟା ମିଳି ପାରିନାହିଁ ।

  • Reported by:
  • KAPILENDRA PRADHAN , Biswambar Das , Manoj Muni