• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ ଜଗତପୁର ଅଞ୍ଚଳରେ ହାତୀ-ମଣିଷ ଲଢେଇ । ଆଠଗଡ଼ ବନାଞ୍ଚଳରୁ ଗତକାଲି ରାତିରେ ଚାଲି ଆସିଥିବା ୩ଟି ହାତୀ ଜଗତପୁରର ଜନବସତି ଅଞ୍ଚଳକୁ ପଶି ଆସି ୨ ଜଣଙ୍କୁ ଦଳି ମାରିବା ସହ ଏ ଅଞ୍ଚଳରେ ଆତଙ୍କ ମଚାଇଛନ୍ତି । ୩ଟି ହାତୀରୁ ଗୋଟିଏ ବଡ଼ ହାତୀ ସାତବାଟିଆ ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ବନ ବିଭାଗ ତାଙ୍କୁ ଟ୍ରାଙ୍କୁଲାଇଜ୍ କରିଛି । ସେହିଭଳି ନିମପୁର ଅଞ୍ଚଳରେ ଛୋଟ ହାତୀକୁ ଗୋଡ଼ାଇ ଗୋ଼ଡ଼ାଇ ନୟାନ୍ତ କରିଛନ୍ତି ଲୋକେ । ଆଉ ତୃତୀୟ ହାତୀଟି ଗତକାଲି ରାତିରେ ମହାନଦୀରେ ବୁଡ଼ି ତାର ମୃତ୍ଯୁ ହୋଇଥିବା ଅନୁମାନ କରାଯାଉଛି ।

ଗତକାଲି ରାତିରୁ କଟକ ଜଗତପୁର ଅଞ୍ଚଳକୁ ଚାଲି ଆସିଥିବା ଏକ ହାତୀପଲକୁ ନେଇ ଲାଗି ରହିଛି ଏଭଳି ଆତଙ୍କ ଓ ଛକାପଞ୍ଝା । ବନ ବିଭାଗର ସୂଚନା ଅନୁସାରେ ଆଠଗଡ଼ ବନାଞ୍ଚଳରୁ ଚୌଦ୍ୱାର ଦେଇ କାଲି ଦୁଇଟି ଛୁଆ ଓ ଗୋଟିଏ ବଡ଼ ହାତୀ ଜଗତପୁରର ନିମପୁର ଓ ସାତବାଟିଆ ଅଞ୍ଚଳରେ ପ୍ରବେଶ କରିଥିଲେ । ଏମାନଙ୍କ ମଧ୍ୟରୁ ସାତବାଟିଆ ଅଞ୍ଚଳରେ ବୁଲୁଥିବା ବଡ଼ ହାତୀ ଆକ୍ରମଣରେ ଦୁଇ ଜଣ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି । ଭୋରରୁ ଫୁଲ ତୋଳୁଥିବା ଜଣେ ୫୫ ବର୍ଷୀୟା ବୃଦ୍ଧା ଏବଂ କ୍ଷୀର ବିକ୍ରି ପାଇଁ ଯାଉଥିବା ୫୭ ବର୍ଷୀୟ ବୃଦ୍ଧଙ୍କୁ ଦଳି ମାରିଛି ହାତୀ । ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ କଟକ ବଡ଼ ମ଼େଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିଭଳି ହାତୀ ଆକ୍ରମଣରେ ବହୁ କାର, ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟଭ୍ରଷ୍ଟ ହୋଇଛି ।

ସାତବାଟିଆ ଅଞ୍ଚଳରେ ବୁଲୁଥିବା ବଡ଼ ହାତୀଟି ଦିନକରେ ଦୁଇଟି ଜୀବନ ନେବା ଏବେ ପରେ ଅଞ୍ଚଳବାସୀଙ୍କ ଆଖିରେ ନିଦ ନାହିଁ । ତାକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା କରି ବିଫଳ ହେବାରୁ ଶେଷରେ ତାଙ୍କୁ ଟ୍ରାଙ୍କୁଲାଇଜ୍ କରିଛି । ସେପଟେ ପଲରୁ ଅଲଗା ହେବା ପରେ କିନ୍ତୁ ଦୟନୀୟ ହୋଇପଡ଼ିଛି । ଛୋଟ ହାତୀଟିର ଅବସ୍ଥା । ହାତୀଟି ଜଗତପୁରର ନିମପୁର, ପଣ୍ଡାପୁର, ନଜରପୁର ଆଦି ଅଞ୍ଚଳରେ ଇତସ୍ତତଃ ଭାବେ ଘୁରି ବୁଲୁଛି । ଏଣେ ଛୋଟ ହାତୀଟିକୁ ଜନବସତି ଅଞ୍ଚଳରେ ପାଇ ତାକୁ ଦେଖିବା ଲାଗି ଲୋକଙ୍କ ଗହଳି ଜମୁଛି । ଏମିତିକି କିଏ ହାତୀ ପଛରେ ତ ଆଉ କିଏ ହାତୀ ପାର୍ଶ୍ୱରେ ରହି ସେଲ୍ଫି ନେଉଛନ୍ତି । ଫଳରେ ଛୋଟ ହାତୀଟି ଭୟଭୀତ ହୋଇ ଏଣେ ତେଣେ ବୁଲି ବୁଲି ହାଲିଆ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି । ସେପଟେ ହାତୀର ପଥରୋଧ ନକରିବା ପାଇଁ ବନ ବିଭାଗ ପ୍ରଚାର ଗାଡ଼ି ବୁଲାଇ ଲୋକଙ୍କୁ ସଚେତନ କରୁଛି ।

ଜଗତପୁର ଅଞ୍ଚଳରେ ବୁଲୁଥିବା ଏ ତିନି ଟିକିଆ ହାତୀ ପଲରୁ ଗତକାଲି ରାତିରେ ଗୋଟିଏ ଛୋଟ ହାତୀର ମୃତ୍ଯୁ ହୋଇଛି । କାଲି ରାତିରେ ନଦୀ ପାର ବେଳେ ସମ୍ଭବତଃ ପାଣିରେ ବୁଡ଼ି ତାର ମୃତ୍ଯୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ । ଆଜି ଯୋବ୍ରା ଆନିକଟର ୧୭ ନମ୍ବର ଗେଟରୁ ତାର ମରଶରୀର ଲାଗିଥିବା ବେଳେ ଏହାକୁ ଉଦ୍ଧାର କରାଯାଇଛି ।