/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756106813.jpg)
Suresh Pujari on Landless
ରାଜ୍ୟରେ ଆଉ କେହି ଭୂମିହୀନ ରହିବେ ନାହିଁ । ସେମାନଙ୍କୁ ଖୋଜିବେ ତହସିଲଦାର । ଘରକୁ ଘର ଯାଇ ସେବା ଯୋଗାଇବ ରାଜସ୍ୱ ବିଭାଗ । ଏଣିକି ଭୂମିହୀନଙ୍କୁ ଖୋଜି ଖୋଜି ଚିହ୍ନଟ କରିବା ସହ ପଟ୍ଟା ଯୋଗାଇଦେବେ ତହସିଲଦାର । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଅନୁଷ୍ଠିତ ସହିଦ ସ୍ମୃତି ଦିବସରେ ଯୋଗ ଦେଇ ଏକଥା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି, 'ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଆଉ ଭୂମିହୀନ କେହି ନଥିବା ସାର୍ଟିଫିକେଟ ଦେବେ ।' କେହି ବାଦ ପଡ଼ିଥିଲେ ତୁରନ୍ତ ତହସିଲଦାର କିମ୍ବା ଜିଲ୍ଲାପାଳଙ୍କ ନଜରକୁ ଆଣନ୍ତୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସେହିପରି ସେ ରାଜ୍ୟରେ ଶିକ୍ଷାନୁଷ୍ଠାନ ବି ଭୂମିହୀନ ଥିବା ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏଥିସହ ମନ୍ତ୍ରୀ କହିଛନ୍ତି, ପଟ୍ଟା ନଥିବା ସ୍କୁଲକୁ ଚିହ୍ନଟ କରି ପଟ୍ଟା ପାଇଁ ରାଜସ୍ୱ କର୍ମଚାରୀ ସ୍କୁଲକୁ ଯିବେ । ଶିକ୍ଷକଙ୍କ ସହ ଆଲୋଚନା କରି ନିଜେ ଆବେଦନ କରିବେ ଏବଂ ତହସିଲଦାରମାନେ ସ୍କୁଲକୁ ଯାଇ ଜମି ପଟ୍ଟା ପ୍ରଦାନ କରିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
ରାଜ୍ୟ ସରକାର ଓଡ଼ିଶା ଲ୍ୟାଣ୍ଡ ସେଟେଲମେଣ୍ଟ ରୁଲ୍ 1983କୁ ସଂଶୋଧନ କରିଛନ୍ତି । ଏହା ବଳରେ ୪ ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ 'ଭୂମିହୀନ' ଭାବରେ ପରିଗଣିତ ହେବା ସହ ସେମାନଙ୍କୁ ସରକାର ଜମି ଯୋଗାଇଦେବେ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ନିଜ ଜିଲ୍ଲାରେ ୪ ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଚିହ୍ନଟ କରି ତାଲିକା ଦେବାପାଇଁ କୁହାଯାଇଛି । ଘରକୁ ଘର ବୁଲି ସର୍ଭେ କରାଯିବା ସହ ଯେଉଁମାନେ ଭୂମିହୀନ ଅଛନ୍ତି ସେମାନଙ୍କୁ 'ବସୁନ୍ଧରା ଯୋଜନା'ରେ ସରକାର ଜମି ପଟ୍ଟା ଯୋଗାଇ ଦେବେ ।
ରାଜ୍ୟରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ଉତ୍ତରାଧିକାରୀ ସୂତ୍ରରେ କିଏ ୫ଡିସିମିଲ୍ ପାଇଛି ତ ପୁଣି କିଏ ଅଧା ଡିସିମିଲ୍ ଜମି ପାଇଛି । ଏଭଳି ଅସମାନତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ ୪ଡିସିମିଲ୍ ହେବା ପର୍ଯ୍ୟନ୍ତ ଯେତିକି ଜମି ଆବଶ୍ୟକ ହେବ ତାକୁ ସରକାର ଯୋଗାଇଦେବେ । ଏବେ ବି ଅନେକ ଜମି ରହିଛି ଯାହାକି ମୂଳ ଉତ୍ତରାଧିକାରୀଙ୍କ ନାମରେ ନାହିଁ । କେଉଁଠି ଅଜା ତ ପୁଣି ଆଉ କେଉଁଠି ଜେଜେ ବାପାଙ୍କ ନାମରେ ଜମି ରହିଛି । ସେପରି ଜମିର ସମସ୍ୟା ମଧ୍ୟ ସମାଧାନ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)