/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669906191.jpg)
Newly Wedded Bride
ଝିଅ ଶାଶୂଘର ଦୁଆରେ ମାଆ କାନ୍ଦୁଛି, ଝିଅକୁ ହରାଇବା ପରେ ଚେତା ହାରୁଛି । ମାଆ ଜଣକ ଭୋ ଭୋ ହୋଇ କାନ୍ଦୁଛି । ହେଲେ କାହିଁକି କାନ୍ଦୁଛନ୍ତି, ଆପଣ ଜାଣିଲେ ଆଖିରେ ପାଣି ଆସିଯିବ । ଆଉ ଆପଣ ବି କହିବେ ଦୋଷୀଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ।
ଭଦ୍ରକ ଚାନ୍ଦବାଲି ବିଜୟନଗର ଗାଁର କବିଙ୍କ ସହ ଲତାଞ୍ଜଳିଙ୍କ ଥିଲା ପ୍ରେମ ସମ୍ପର୍କ । ଆଉ ସେହି ପ୍ରେମକୁ ସାଶ୍ୱତ୍ତ କରିବାକୁ ୬ ମାସ ତଳେ ଉଭୟେ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଖାଲି ନିଷ୍ପତ୍ତି ନେଇଥିଲେ ତାହା ନୁହେଁ ବରଂ ବାହାଘର ବି ହୋଇଥିଲା। ହେଲେ ୬ ମାସ ଭିତରେ ସବୁ କିଛି ସରିଗଲା । ଯୌତୁକ ନିଆଁରେ ଲତାଞ୍ଜଳିଙ୍କ ସବୁ ସ୍ୱପ୍ନ ଛାରଖାର ହୋଇଗଲା ।
୬ ମାସ ପୂର୍ବରୁ ଯେଉଁ ଘରକୁ ସବାରୀରେ ଆସିଥିଲେ ଲତାଞ୍ଜଳି ଆଜି ସେହି ଘରୁ ଉଠୁଛି କୋକେଇ । ଆଉ ଝିଅକୁ ହରାଇ ଭୋ ଭୋ ହୋଇ କାନ୍ଦୁଛି ମାଆ । ବାହାଘରକୁ ୬ ମାସ ହୋଇଥିଲା । ପ୍ରଥମ ୪ ମାସ ସବୁକିଛି ଠିକ୍ଠାକ୍ ଥିଲା । ଲତାଂଜଳିଙ୍କୁ ଛାଡି ସ୍ୱାମୀ କବି ଜେନା ମହାରାଷ୍ଟ୍ରକୁ ଯାଇଥିଲେ । ହେଲେ ଯୌତୁକ ନିର୍ଯାତନା ଦେବାକୁ ଭୁଲିନଥିଲେ। ଖାଲି କବି କାହିଁକି? ବରଂ ଶାଶୂ-ଶ୍ୱଶୁର ବି ଲତାଞ୍ଜଳିଙ୍କୁ ଦେଉଥିଲେ ଅକଥୀୟ ନିର୍ଯାତନା। ଏନେଇ ବାପ ଘର ଲୋକଙ୍କୁ ବରାବର ଫୋନ୍ କରି ଜଣାଉଥିଲେ ଲତାଂଜଳି ।
ଅଧିକ ପଢ଼ନ୍ତୁ: ସହିପାରିଲେନି ଯୌତୁକ ନିର୍ଯାତନା, ଥାନା ଆଗରେ ବିଷ ପିଇଲେ ମହିଳା
ଆଉ ଶେଷରେ ନିର୍ଯାତନା ସହି ନପାରି ଶେଷରେ ହାରିଗଲେ ଲତା । ବନ୍ଦ ଘରୁ ତାଙ୍କର ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ । ଥାନାରେ ମାମଲା ରୁଜୁ ହେବା ପରେ ଏନେଇ ଚାନ୍ଦବାଲି ଏସଡିପିଓ କହିଛନ୍ତି, ଅଭିଯୋଗ ଭିତ୍ତିକରି ମାମଲା ରୁଜୁ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ସେପଟେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲତାଞ୍ଜଳିଙ୍କ ଶ୍ୱଶୁର । କହିଛନ୍ତି, ଘଟଣା କଣ ହୋଇଛି ମୁଁ କିଛି ଜାଣିନାହିଁ । ତେବେ ଯୌତୁକ ଜୁଇରେ ଜଣେ ନବବଧୂ ଜଳିବା ପରେ ସ୍ଥାନୀୟ ଅଂଚଳରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି ।
(ରିପୋର୍ଟର-ଭଦ୍ରକ ଚାନ୍ଦବାଲିରୁ ବାସୁଦେବ ଦାସ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)