• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଥାନା ଆଗରେ ଘଟିଲା ଅଭାବନୀୟ ଘଟଣା । ପୁଣି ଥାନା ଆଗରେ ବିଷ ପିଇଲେ ମହିଳା । ଗଞ୍ଜାମ ଜିଲା ଛତ୍ରପୁର ଥାନା ଆଗରେ ପୁଣି ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ଝିଲି ବୋଲି ଜଣାପଡିଛି । ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଝିଲିଙ୍କ ବାପା ଅଭିଯୋଗ କରିଛନ୍ତି । ସେପଟେ ଗତକାଲି ଝିଲି ଓ ତାଙ୍କ ସ୍ୱାମୀଙ୍କୁ ଥାନାକୁ ଡକାଯାଇଥିଲା ବୋଲି ଝିଲିଙ୍କ ବାପା ସୂଚନା ଦେଇଛନ୍ତି । ତେବେ ଏପ୍ରସଙ୍ଗରେ ଝିଲିଙ୍କ ଶ୍ୱଶୁର ଘର କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

ସୂଚନା ଅନୁଯାୟୀ, ଝିଲି ୨ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। ମାତ୍ର ବିବାହ ପରେ ପରେ ତାଙ୍କ ଉପରେ ଅଧିକ ଯୌତୁକ ଆଣିବାକୁ ଚାପ ପଡ଼ିଲା। ଏପରିକି ଶାଶୁ ଘର ଲୋକେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ । ଏଥିରେ ଅତିଷ୍ଠ ହୋଇ ଝିଲି ବାପଘରକୁ ଚାଲି ଆସିଥିଲେ। ବାପଘରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ ବି ଶାଶୁ ଘର ଲୋକେ ତଥା ସ୍ୱାମୀ ଦେଖିବାକୁ ଆସି ନ ଥିଲେ। ଶେଷରେ ନ୍ୟାୟ ପାଇଁ ଝିଲି ଛତ୍ରପୁର ଥାନାର ଦ୍ୱାରସ୍ଥ ହେଲେ।

ଏହି ଘଟଣାର ସମାଧାନ ପାଇଁ ଗତକାଲି ଝିଲି ଓ ତାଙ୍କ ସ୍ୱାମୀଙ୍କୁ ଥାନା ପକ୍ଷରୁ ଡକାଯାଇଥିଲା। ସେଠାରେ ଉଭୟ ପକ୍ଷ ମଧ୍ୟରେ ବୁଝାଶୁଝା ହେଉଥିଲା। ହେଲଷ ଘଟଣାର ସମାଧାନ ହୋଇ ନ ପାରିବାରୁ ଅସହାୟ ହୋଇ ପଡ଼ିଥିବା ଝିଲି ଥାନା ସମ୍ମୁଖରେ ହିଁ ବିଷ ପିଇ ଦେଇଥିଲେ। ଏହା ଦେଖି ଥାନା କର୍ମଚାରୀ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରି ଦେଇଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଏନେଇ ଝିଲିଙ୍କ ବାପା କହିଛନ୍ତି, ୨ ବର୍ଷ ହେଲା ଝିଅକୁ ବିବାହ କରିଥିଲି। ଦାବି ମୁତାବକ ୧୦ ତୋଳା ସୁନା, ୨ ଲକ୍ଷ ଟଙ୍କା  ଦେଇଥିଲି । ଏବେ ଆହୁରି ଟଙ୍କା ମାଗୁଛନ୍ତି। ମୁଁ ଆଉ ଟଙ୍କା ନ ଦେଇପାରିବାକୁ ଝିଅକୁ ଘରକୁ ନେଉ ନାହାନ୍ତି। ତେଣୁ ଝିଅ ବିଷ ପିଇ ଦେଇଛି।