• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନା ନାଁରେ ଟଙ୍କା ହରିଲୁଟ୍ । ହଜିଯାଇଛି ପ୍ରକଳ୍ପ କିନ୍ତୁ ପଡିରହିଛି ଫଳକ । ମାଟି ତଳେ ପୋତି ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବର୍ଷା ଜଳ ଅମଳ ପ୍ରକଳ୍ପ । ମାଲକାନଗିରି ପୌର ପରିଷଦର ଘାସ ଉପାଡ଼ି ଆଡେଇ ଆଡେଇ ଦେଖିଲେ ମଧ୍ୟ ଦିଶୁନି । କରୋନା କଟକଣା ବେଳେ ଦାଦନ ଶ୍ରମିକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ରୋଜଗାର ଯୋଗାଇବା ପାଇଁ ସରକାର ମୁକ୍ତା ଯୋଜନାରେ ଆରମ୍ଭ କରିଥିଲେ ବର୍ଷା ଜଳ ଅମଳ ପ୍ରକଳ୍ପ । କିନ୍ତୁ ବର୍ଷେ ଭିତରେ ଯୋଜନା ହୋଇଛି ବାଟବଣା । ପ୍ରକଳ୍ପର ଖୋଜ୍ ଖବର ନାହିଁ କେବଳ ଫଳକ ଲାଗିଛି । ଆଉ ମାଟି ଖୋଳି ନାମକୁ ମାତ୍ର ଇଟା ଯୋଡ଼ି କାର୍ଯ୍ୟ ଶେଷ କରିଦେଇଛି ମାଲକାନଗିରି ପୌର ପରିଷଦ ।

ଅଧିକ ପଢ଼ନ୍ତୁ: କାଳିଆ ଯୋଜନାରେ କେଳେଙ୍କାରୀ ! ଚାଷୀଙ୍କ ଟଙ୍କା ଲୁଟୁଛନ୍ତି ସରକାରୀ ବାବୁ

ଏହି ଗୋଟିଏ ପ୍ରକଳ୍ପ ନୁହେଁ, ମାଲକାନଗିରି ପୌର ପରିଷଦରେ ଏପରି ଶହ ଶହ ପ୍ରକଳ୍ପ ନିଖୋଜ । ପ୍ରତି ପ୍ରକଳ୍ପ ପାଇଁ ୭୦ ହଜାରରୁ ଲକ୍ଷେ ୨୦ ହଜାର ଏପରି ମୋଟ ୨୫୦ ପ୍ରକଳ୍ପ ପାଇଁ ୧ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛି । ନିମ୍ନମାନର କାମ କରି ପୌର ପରିଷଦ କର୍ମଚାରୀ ଓ କିଛି ଠିକାଦାର ଲକ୍ଷ ଲକ୍ଷ ଟଙ୍କା ମିଲିଭଗତରେ ଖାଇଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମୁକ୍ତା ପ୍ରକଳ୍ପ ପାଇଁ କାର୍ଯ୍ୟାରଦେଶ ଦିଆଯାଇଥିଲା । କିଛି ମହିଳା ମଧ୍ୟ କାମ କରିଥିଲେ । ହେଲେ କେତେ ଟଙ୍କାର କାର୍ଯ୍ୟ, କେତେ ବିଲ୍ ହେଉଛି ସେନେଇ ପଚାରିଲେ SHG ମହିଳାଙ୍କୁ ସଠିକ୍ ଉତ୍ତର ଦେଉନାହାନ୍ତି । ପୌର ପରିଷଦର କର୍ମଚାରୀ ସେମାନଙ୍କୁ ଅଳ୍ପ କିଛି ଟଙ୍କା ଦେଇ ମୋଟା ଅଙ୍କର ଟଙ୍କାକୁ ମ୍ୟୁନିସିପାଲଟି କର୍ମଚାରୀ ଓ ଠିକାଦାର ଆତ୍ମସାତ୍ କରୁଥିବା ଅଭିଯୋଗ କରିଛନ୍ତି SHG ସଦସ୍ୟ , ଯାହାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୌର ପରିଷଦ ଅଫିସ୍ ଘେରାଉ କରିଥିଲେ ।

ମୁକ୍ତା ନାଁରେ ମାଲାମାଲ ହୋଇଛନ୍ତି ମ୍ୟୁନିସିପାଲଟିର ଅଫିସର ଓ କିଛି ଠିକାଦାର ଆଉ ଯେଉଁ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା ପ୍ରକଳ୍ପ, ତାହା ବାଟବଣା ନା ଶ୍ରମିକଙ୍କୁ ରୋଜଗାର ମିଳିଲା ନା ସ୍ୱାବଲମ୍ବୀ ହେଲେ SHG ମହିଳା । ଏ ସମ୍ପର୍କରେ ପୌର ପରିଷଦର ଅଧ୍ୟକ୍ଷଙ୍କୁ ପଚାରିବାରୁ କହିଛନ୍ତି, ସରଜମିନ୍ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ।

ଯେଉଁଠି ବାଡ଼ ଖାଉଛି ଫସଲ ଅର୍ଥାତ୍ ପୌର ପରିଷଦର ଅଧିକାରୀ ଘୋଟାଲାରେ ସମ୍ପୃକ୍ତ, ସେଠି କଣ ହେବ ତଦନ୍ତ ଆଉ କଣ ହେବ କାର୍ଯ୍ୟାନୁଷ୍ଠାନ ?

(ରିପୋର୍ଟ-ଜିତେନ୍ଦ୍ର ବେଉରା, ମାଲକାନଗିରି)