• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରକାର ଚାଷୀଙ୍କୁ ଦେଉଥିବା କାଳିଆଯୋଜନା ସହାୟତା ରାଶିରେ ବିରାଟ ଚଞ୍ଚକତା । ଖୋଦ୍ ସରକାରୀ ବାବୁ ହଡପ କରୁଛନ୍ତି କାଳିଆ ଟଙ୍କା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଏକୋରି ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଚାଷୀ ଗତ ୩ ବର୍ଷ ହେବ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ପଞ୍ଚାୟତର ଯୋଗାଣ ସହାୟକ ଚାଷୀଙ୍କଠୁ ଡକ୍ୟୁମେଣ୍ଟ ଓ ଫିଙ୍ଗର ପ୍ରିଣ୍ଟ ନେଇ ସେମାନଙ୍କ ଅଜାଣତରେ ଅନ୍ୟ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଟଙ୍କା ହଡପ କରିଚାଲିଛନ୍ତି ।

ଅଧିକ ପଢ଼ନ୍ତୁ: ମାଳ ମାଳ ଯୋଜନା, ହେଲେ ଚାଷୀଙ୍କର ବଢ଼ୁନି ଆୟ ! କାଳିଆ-ବଳିଆ ନାଁକୁ ମାତ୍ର

କୋଷାଗୁମୁଡ଼ା ବ୍ଲକ ଏକୋରି ପଞ୍ଚାୟତର ଯୋଗାଣ ସହାୟକ ଜିତୁରାଜ ହରିଜନ, ଯିଏ କାଳିଆକେଳେଙ୍କାରୀର ମୁଖ୍ୟ କାର୍ପଟଦାର । ଏକୋରି ପଞ୍ଚାୟତର ଶତାଧିକ ନିରକ୍ଷର ଚାଷୀଙ୍କୁ ରାସନ୍ କାର୍ଡ କଟିଯିବ କହି ସେମାନଙ୍କଠୁ ଡକ୍ୟୁମେଣ୍ଟ ଏବଂ ଟିପ ଚିହ୍ନ ହାତେଇଥିଲେ । ଏହାପରେ ICICI ଏବଂ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ ଜରିଆରେ ଫେକ୍ ଆକାଉଣ୍ଟ ଖୋଲି କାଳିଆ ଟଙ୍କାକୁ ଚଳୁ କରିଛନ୍ତି ଜିତୁରାଜ ହରିଜନ ।

ସେହିପରି ଏକୋରି ପଞ୍ଚାୟତ ଅଲେଖଗୁଡ଼ା ଗାଁର ମହିଳା କୁସୁମା ଭତରା । ସେ ଖୋଲିଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ୨୦୧୯ ପର୍ଯ୍ୟନ୍ତ କାଳିଆ ଟଙ୍କା ଠିକଠାକ୍ ଆସୁଥିଲା । କିନ୍ତୁ ଅଚାନକ୍ ଆସିବା ବନ୍ଦ ହୋଇଯିବାରୁ ସେ ବ୍ୟାଙ୍କ ଯାଇ ପଚାରିଥିଲେ । ଶେଷରେ ଜାଣିବାକୁ ପାଇଥିଲେ, ତାଙ୍କ ନାଁରେ ଆସୁଥିବା ଟଙ୍କା ICICI ଆକାଉଣ୍ଟକୁ ଯାଉଛି । ସମାନ କାହାଣୀ ସୁନାମଣି ଜାନି ଓ ମୂଲା ପୂଜାରୀଙ୍କର । ସେମାନେ ବି ୨୦୧୯ ପରଠୁ କାଳିଆ ଟଙ୍କା ପାଇବାରୁ ବଞ୍ଚିତ । ଟଙ୍କା ICICI ଆକାଉଣ୍ଟକୁ ଯାଉଛି । ସେମାନଙ୍କ ଅଜାଣତରେ ICICI ବ୍ୟାଙ୍କରେ କେବେ ଆକାଉଣ୍ଟ ଖୋଲାହେଲା, ସେନେଇ ଚାଷୀମାନେ କିଛି ଜାଣିନଥିବା କହିଛନ୍ତି ।

ଚାଷୀମାନେ କେବେବି ICICI ବ୍ୟାଙ୍କ ଯାଇନାହାନ୍ତି କି ଆକାଉଣ୍ଟ ଖୋଲିନାହାନ୍ତି । କିନ୍ତୁ ତାଙ୍କ ଅଜାଣତରେ ଯୋଗାଣ ସହାୟକ ଜିତୁରାଜ ହରିଜନ ନିଜ ପରିବାର ଲୋକଙ୍କ ନାଁରେ ଥିବା କିଓସ୍କରେ ଜାଲ୍ ଆକାଉଣ୍ଟ ଖୋଲି ଗରିବ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଚାଲିଛି । ଏକୋରି ପଞ୍ଚାୟତ ନୁନପାଣି ଗାଁର ବିହାରୀ ଭତରା, କମଲସିଂ ଭତରାଙ୍କ ଭଳି ଅନେକ ଚାଷୀ କାଳିଆ ଟଙ୍କା ପାଉନାହାନ୍ତି । ପୂର୍ବରୁ ସେମାନେ ଖୋଲିଥିବା ଷ୍ଟେଟ୍ ବ୍ୟାଙ୍କକୁ ଟଙ୍କା ଆସୁଥିଲା । କିନ୍ତୁ ଏବେ ଏୟାରଟେଲ୍ ପେମେଣ୍ଟସ ବ୍ୟାଙ୍କକୁ ଆସୁଛି ଯୋଗାଣ ସହାୟକ ଏହି ଚଞ୍ଚକତାର ମୁଖ୍ୟ ସୂତ୍ରଧର ବୋଲି ଚାଷୀଙ୍କ ଅଭିଯୋଗ ।

ଜଣେ ଚାଷୀଙ୍କର ୩ ବର୍ଷର ଟଙ୍କା ହିସାବ କଲେ ଶହ ଶହ ଚାଷୀଙ୍କର ୨୦ ଲକ୍ଷରୁ ଅଧିକ ଟଙ୍କା ଖାଇଯାଇଛନ୍ତି ସରକାରୀ ବାବୁ । ଏନେଇ ଚାଷୀମାନେ କୋଷାଗୁମୁଡ଼ା ବିଡିଓ ଏବଂ କୋଡ଼ିଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସମ୍ପୃକ୍ତ ସରକାରୀ ବାବୁଙ୍କ ବିରୋଧରେ ଥାନାରେ ଏତଲା ଦେଇ ନ୍ୟାୟ ମାଗିଛନ୍ତି । ଏହାପରେ ନିଜେ ବିଡିଓ ଏବଂ ଜିଲ୍ଲା ପ୍ରଶାସନର ଏକ ଟିମ୍ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରିଥିଲେ । କିନ୍ତୁ ଯେଉଁ ସରକାରୀ ବାବୁଙ୍କ ବିରୋଧରେ ଅଭିଯୋଗ, ତାଙ୍କୁ ଡାକି ପଚରାଉଚରା କରିନାହାନ୍ତି ଏନେଇ ସମ୍ପୃକ୍ତ ଯୋଗାଣ ସହାୟକଙ୍କୁ ପଚାରିବାରୁ ସେ ହଡ଼ବଡ଼େଇ ଯାଇଥିଲେ ।

ଏଠି ପ୍ରଶ୍ନ ଉଠୁଛି, କାହିଁକି ଯୋଗାଣ ସହାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ? କାହିଁକି ଚାକିରିରୁ ବରଖାସ୍ତ କରାଯାଉନାହିଁ ? ବ୍ଲକ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ରହିଛି କି ସଲାସୁତୁରା ?

ବିଡିଓଙ୍କ ନିକଟରେ ଚାଷୀଙ୍କ ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲେ ମଧ୍ୟ ଯୋଗାଣ ସହାୟକଙ୍କ ବିରୋଧରେ କାହିଁକି ନିଆଯାଉନି କାଯର୍ୟାନୁଷ୍ଠାନ, ତାକୁ ନେଇ ଉଠିଛି ପ୍ରଶ୍ନ ବିଡିଓ କହିଛନ୍ତି ଅଭିଯୋଗ ଆସିଛି, କାର୍ଯ୍ୟାନୁଷ୍ଠାନ ନିଆଯିବ ।

କରିତର୍ମା ଯୋଗାଣ ସହାୟକଙ୍କୁ କେବେ ତଦନ୍ତ ପରିସରଭୁକ୍ତ କରାଯିବ ଏବଂ ଚାଷୀମାନେ କେବେ ପାଇବେ କାଳିଆ ଟଙ୍କା, ଏବେ ତା ଉପରେ ନଜର ।

(ରିପୋର୍ଟ- ନବଘନ ବିଷୋୟୀ, ନବରଙ୍ଗପୁର)