• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ ନିଶ୍ଚିନ୍ତକୋଇଲି ବ୍ଳକ କେରିଲୋ ପଞ୍ଚାୟତରେ ରାସ୍ତା କାମରେ ଫଲ୍ସ ବିଲ୍ । କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଟଙ୍କା ବିଲ୍ ହୋଇଛି, ଖର୍ଚ୍ଚ ହୋଇଥିବା ମଧ୍ୟ ସରକାରୀ ଦସ୍ତାବିଜରେ ଦର୍ଶାଯାଇଛି, ହେଲେ କାମ ହୋଇନି । ଲୁଣା ନଦୀ ପଠାରେ ଥିବା ମା ରାମଚଣ୍ଡୀଙ୍କ ପୀଠକୁ ଯିବା ପାଇଁ ମଞ୍ଜୁର ଅର୍ଥ ବାଟମାରଣା ହୋଇଛି ।

କଟକ ନିଶ୍ଚିନ୍ତକୋଇଲି ବ୍ଲକ ବାହାରବମ୍ପୁ ଗାଁରେ ମାଆ ରାମଚଣ୍ଡୀଙ୍କ ପୀଠକୁ ଯିବା ପାଇଁ ୧୦୦ ମିଟର ରାସ୍ତା ଲାଗି ମଞ୍ଜୁର ହୋଇଥିଲା ଟଙ୍କା । ପଞ୍ଚଦଶ ଅର୍ଥ କମିଶନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଲ୍ ହୋଇଥିଲା ୧ ଲକ୍ଷ ୯୪ ହଜାର ଟଙ୍କା । ନିଶ୍ଚିନ୍ତକୋଇଲି ବ୍ଲକର ଜେଇ ବନ୍ୟା ମହାନ୍ତିଙ୍କ ନାଁରେ ୱାର୍କ ଅର୍ଡର ହୋଇଥିଲା ଏବଂ ଗତବର୍ଷ ମେ ମାସରୁ ବିଲ୍ ହୋଇସାରିଛି ହେଲେ ରାସ୍ତା ହୋଇନି ।

ଅଧିକ ପଢ଼ନ୍ତୁ: ଚେକଡ୍ୟାମ୍ କାମରେ ମହାଦୁର୍ନୀତି : ପାଣିରେ ପଡିଲା ପ୍ରାୟ ୩୨ ଲକ୍ଷ ଟଙ୍କା

ମାଆ ରାମଚଣ୍ଡୀଙ୍କ ପୀଠକୁ ଯିବା ପାଇଁ ରହିଛି ଏହି ସରୁ ପାଦ ଚଲା ମାଟି ରାସ୍ତା । ଅର୍ଥାତ୍ ଏହି କଚ୍ଚା ରାସ୍ତା ହିଁ ପୀଠକୁ ଆସିବାକୁ ଏକମାତ୍ର ରାସ୍ତା ବର୍ଷାଦିନେ ଅତ୍ୟନ୍ତ ଶୋଚନୀୟ ହୋଇଯାଏ । ସେଥିପାଇଁ ଅନେକ ଦିନ ଧରି ଏ ରାସ୍ତାକୁ କଂକ୍ରିଟ୍ କରିବାକୁ ଦାବି କରୁଥିଲେ ଅଞ୍ଚଳବାସୀ । ଟଙ୍କା ମଞ୍ଜୁର ହେଲା, କିନ୍ତୁ ରାସ୍ତା ହେଲାନି । ଏହି ପୀଠରେ କଂକ୍ରିଟ୍ କହିଲେ କେବଳ ଗୋଟିଏ ଛୋଟ ପିଣ୍ଡିଟିଏ ହୋଇଛି । ତେଣୁ ୧ ଲକ୍ଷ ୯୪ ହଜାର ଟଙ୍କା ଏହି ପିଣ୍ଡିରେ ଖର୍ଚ୍ଚ ହୋଇଥିବା ମନେ କରାଯାଉଛି ।

ରାସ୍ତା ନାଁରେ ମଞ୍ଜୁର ହୋଇଥିବା ଅର୍ଥ ତୋଷାରପାତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଜିଲ୍ଲାପାଳଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଲିଖିତ ଜଣାଇଥିବା କହିଛନ୍ତି । ତେବେ ସେ ଟଙ୍କା ଖର୍ଚ୍ଚ ନହୋଇ କାହା ପକେଟକୁ ଗଲା, ଏବେ ତାକୁ ନେଇ ପ୍ରଶ୍ନ ଉଠିଛି ।

୧୦୦ ମିଟର ରାସ୍ତା ପାଇଁ ମଞ୍ଜୁର ଲକ୍ଷେ ୯୪ ହଜାର ଟଙ୍କା ଆତ୍ମସାତ୍ ନେଇ ନିଶ୍ଚିନ୍ତକୋଇଲି ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ପଚରାଯାଇଥିଲା । ସେ ପୂର୍ବରୁ ଅଭିଯୋଗ ପାଇନାହାନ୍ତି ଏବେ ତଦନ୍ତ କରିବେ ବୋଲି କହିଛନ୍ତି । ଯେଉଁ ରାସ୍ତା ପାଇଁ ଟଙ୍କା ଆସିଲା, ସେ ରାସ୍ତା କାହିଁକି ହେଲାନି ? ପୁଣିଥରେ ଅଲଗା ସ୍କିମରେ ଟଙ୍କା ବିଲ୍ ପାଇଁ ଯୋଜନା ଚାଲିଛି କି ? ତଦନ୍ତ ହେଲେ ହିଁ ସାମ୍ନାକୁ ଆସିବ ସତ ।