• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୩୨ ଲକ୍ଷ ଟଙ୍କାରେ ତିଆରି ହେଲା ଆଡ଼ିବନ୍ଧ । କିନ୍ତୁ ୨ ବର୍ଷ ପରେ ସାଇଟ୍ ୱାଲ ଭାଙ୍ଗିବା ସହିତ ବନ୍ଧ ଶୁଖିଲା ପଡିଛି । ଚେକ୍ ଡ୍ୟାମ୍ ଉପର ମୁଣ୍ଡରେ ପାଣି ରହିବା ବଦଳରେ ତଳେ ରହୁଛି ପାଣି । ଫଳରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଓ ଏହାକୁ ଲାଗିଥିବା ଚରଦା ପଞ୍ଚାୟତର ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଚାଷୀଙ୍କ ଅଭିଯୋଗ, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଅତି ନିମ୍ନମାନର କାମ ହୋଇଥିବାରୁ ଚେକଡ୍ୟାମରେ ପାଣି ଅଟକୁନାହିଁ, ଯେଉଁଥିପାଇଁ ବାଧାପ୍ରାପ୍ତ ହେଉଛି ଚାଷ କାମ ।

ସୁବର୍ଣ୍ଣପୁର ଜିଲ୍ଲା ଚରଦା ପଞ୍ଚାୟତ ଫୁଲମୁଠିରେ ନିର୍ମାଣ ହୋଇଥିବା୧ ନମ୍ବର ଚେକଡ୍ୟାମ୍, ଯାହା ୨୦୧୮ରେ ଆରମ୍ଭ ହୋଇଥିଲା । ହେଲେ କାମ କେବେ ଶେଷ ହୋଇଛି, ତାହା ଫଳକରେ ଜାଣିଶୁଣି ସ୍ଥାନିତ କରାଯାଇନି । ସୁବର୍ଣ୍ଣପୁର ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର କାମ, ଯାହାକୁ ଠିକାଦାର ନନ୍ଦଲାଲ ନେଗୀ କରିଥିଲେ । ତେବେ ଏହି ଚୌକିଯୋର ଆଡ଼ିବନ୍ଧକୁ ନେଇ ଏବେ ଚିନ୍ତାରେ ଚାଷୀ । କାରଣ ଡ୍ୟାମ୍ ଉପର ମୁଣ୍ଡରେ ପାଣି ରହିବା ବଦଳରେ ଡ୍ୟାମ୍ ତଳେ ରହୁଛି ପାଣି । ଧାନ ଚାଷ ଆରମ୍ଭ ସମୟରୁ ମାଟି ଫାଟି ଆଁ କରିଥିବା ବେଳେ ଚୌକିଯୋରରେ ବସିଥିବା ୩୦ଟି ଉଠା ଜଳସେଚନ ପ୍ରକଳ୍ପର ପାଣି ପମ୍ପ ଅଚଳ । ଫଳରେ ବିନିକା ସହରର ଜବ୍ଦା, ନୂଆପାଲି, ଗିରିପାଲି ଏବଂ ଚରଦା ପଞ୍ଚାୟତର ଫୁଲମୁଠି, ଚରଦା ଆଦି ଗାଁର ଶହ ଶହ ଚାଷୀଙ୍କ ଭାଳେଣି ପଡିଛି, କେମିତି ସେମାନଙ୍କ ଚାଷ ଜମିକୁ ମାଡ଼ିବ ପାଣି ।

ଚାଷୀଙ୍କ କାମରେ ଆସୁନି ଫୁଲମୁଠି-୧ ଆଡିବନ୍ଧ । ବିନିକା ଏନ୍ଏସି ଓ ଏହା ନିକଟ ଚରଦା ପଞ୍ଚାୟତର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ୨ ବର୍ଷ ତଳେ ନିର୍ମାଣ ହୋଇଥିଲା ଚେକଡ୍ୟାମ୍ । ତେବେ ନିମ୍ନମାନର କାମ ଯୋଗୁଁ ଆଡ଼ିବନ୍ଧର ସାଇଟ୍ ୱାଲ ଭାଙ୍ଗିଯାଇଛି । ଚାଷୀଙ୍କ ଅଭିଯୋଗ, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସଲାସୁତୁରାରେ ଟଙ୍କା ଆତ୍ମସାତ୍ ହୋଇଛି । ହେଲେ ଚେକଡ୍ୟାମରେ ଅଟକୁନାହିଁ ପାଣି । ଏନେଇ ବାରମ୍ବାର ଅଭିଯୋଗ କଲା ପରେ ବି ଚାଷୀଙ୍କ କଥା କେହି ଶୁଣୁନାହାନ୍ତି ।

ଆଡ଼ିବନ୍ଧର ସାଇଟ୍ ୱାଲ ଭାଙ୍ଗିଯାଇଥିବାରୁ ବର୍ଷା ଦିନେ ବନ୍ୟାପାଣି ଆସିଲେ ପାଣି ଘେରରେ ରହିଥାନ୍ତି ବିନିକା ଏନ୍ଏସି ୧୨ ନମ୍ବର ୱାର୍ଡର କୋଲପଡ଼ା ବାସିନ୍ଦା । ୫୦ଟି ପରିବାର ଭୟ ଓ ଆଶଙ୍କା ଭିତରେ ଦିନ କାଟିଥାନ୍ତି । ତେଣୁ ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଗୋଟେ ପଟେ ସରକାର ଚାଷୀଙ୍କ ଧାନ ବିଲକୁ ପାଣି ଯୋଗାଇ ଯୋଗାଇ ଦେବା ପାଇଁ ଆଡ଼ିବନ୍ଧ ନିର୍ମାଣ କଲେ ଅନ୍ୟପଟେ ଠିକାଦାର, ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ପିସି କାରବାର ଯୋଗୁଁ ନିର୍ମାଣକୁ ୨ ବର୍ଷ ନପୂରୁଣୁ ସାଇଟ୍ ୱାଲ ଭାଙ୍ଗିଗଲାଣି , ପାଣି ଟୋପାଏ ବି ରହୁନାହିଁ । ତହସିଲଦାରଙ୍କୁ ପଚାରିବାରୁ ସେ ବିଭାଗୀୟ ଅଧିକାରୀଙ୍କ ସହ କଥା ହେବେ ବୋଲି କହିଛନ୍ତି । ସେପଟେ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ କହିଛନ୍ତି, ଚେକଡ୍ୟାମକୁ ଯାଇ ଚେକ୍ କରିବେ ଏସଡିପିଓ ।

ଚାଷୀଙ୍କ ଜମିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଯଦି ଆଡ଼ିବନ୍ଧ ହେଲା, ତେବେ କାହିଁକି କାମରେ ଆସୁନି ? କାହିଁକି ମରାମତି ହେଉନି ଗାର୍ଡ ୱାଲ? ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଏହା ଉପରେ ଦୃଷ୍ଟି ଦେବେ କି ?