• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗ୍ରାମାଞ୍ଚଳ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା । ଏଥିମଧ୍ୟରୁ ବସୁଧା ଯୋଜନା ଗୋଟିଏ । ହେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଏହି ଯୋଜନା ବାଟ ହୁଡିଛି । ବଣପାହାଡ ଘେରା ଆଦିବାସୀ ଗାଁର ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ରାୟଗଡ ବ୍ଲକ ଢେପାସାହି ଗାଁ ଲୋକେ ପାଣି ଟୋପାଏ ପାଇଁ ଯାଉଛନ୍ତି ମାଇଲ ମାଇଲ ଦୂର ।

ଗଜପତି ଜିଲ୍ଲା ରାୟଗଡ ବ୍ଲକ ତାଳମୁଣ୍ଡି ପଂଚାୟତର ଢେପସାହି ଗାଁ । ଏଠାରେ ୩୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ଗାଁରେ ଥିବା ଏକମାତ୍ର କୂଅ ଗତ ୨୦୧୮ ତିତିଲି ବାତ୍ୟାରେ ଭୁଷୁଡି ପଡିଥିଲା । ସେହିଦିନ ଠାରୁ ଏହି କୂଅ ଆଉ ଲୋକଙ୍କ କାମରେ ଆସୁନି । ବ‍ର୍ତ୍ତମାନ ମାଟି ଅତଡା ଖସି ଏକ ପ୍ରକାର କୂଅ ପୋତି ହୋଇଗଲାଣି । ତେଣୁ ଏଠାକାର ଲୋକେ ପାଣି ଟୋପାଏ ପାଇବା ପାଇଁ ପ୍ରତିଦିନ ୨ କିଲୋମିଟର ପାହାଡ ଚଢୁଛନ୍ତି । ଝରଣା ପାଣି ସଂଗ୍ରହ କରି ପିଉଛନ୍ତି। ଅନେକ ସମୟରେ ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ପ୍ରକାର ରୋଗରେ ପଡୁଛନ୍ତି । ଯେତେ ଗୁହାରି କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ରହିଛି ବସୁଧା ଯୋଜନା । ଆଦିବାସୀଙ୍କ ବିକାଶ ପାଇଁ ମଧ୍ୟ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏହାର ସୁଫଳ ଆଦିବାସୀଙ୍କୁ କେତେ ମିଳୁଛି । ଏହାର ନଗ୍ନ ଉଦାହରଣ ହେଉଛି ଏହି ଗାଁ । ତେବେ ଏନେଇ ବିଭାଗୀୟ ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି । ଏପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁଠି ପାଣି ସମସ୍ୟା ରହିଛି, ସେଠାରେ ଟ୍ୟାଙ୍କର ଯୋଗେ ପାଣି ପହଂଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ହେଲେ ଆଦିବାସୀ ଅଞ୍ଚଳର ପାନୀୟ ଜଳ ସମସ୍ୟା ଯୋଜନାକୁ ଉପହାସ କଲା ଭଳି ମନେ ହୋଇଛି ।

ଗଜପତିରୁ ଆଦର୍ଶ ଦାଶଙ୍କ ରିପୋର୍ଟ