• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗୋଟିଏ ପଟେ ପିଇବା ପାଣି ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ପ୍ରକଳ୍ପ । ତ ଅନ୍ୟପଟେ ନଳକୂଅ ପାଖେ ବାଲଟିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା । ଧର୍ମଶାଳା ବ୍ଲକ କମାଗଡ଼ ପଞ୍ଚାୟତର ଖରାଦିନ ଆରମ୍ଭରୁ ଏମିତି ଜଳକଷ୍ଟରେ ସନ୍ତୁଳି ହେଉଛନ୍ତି ଭରତପୁର ଗାଁର ପ୍ରାୟ ୮୦ ପରିବାର । କେହି କେହି ପାଖ ଯୋରକୁ ମାଇଲିଏ ବାଟ ଚାଲି ଚାଲି ଏମିତି ଗରା-ବାଲ୍ଟି ମୁଣ୍ଡେଇ ବି ପାଣି ବୋହୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଗାଁର ସମସ୍ତ ୭୭ ଘରକୁ ୨୦୨୧ ମାର୍ଚ୍ଚରୁ କିନ୍ତୁ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଜଳ ଯୋଗାଣ ଚାଲିଥିବା ସରକାରୀ ତଥ୍ୟ କହୁଛି । ଏଥିପାଇଁ ୪୭ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ପ୍ରକଳ୍ପ ହୋଇଛି, ହେଲେ ତାର ଇଏ ବାସ୍ତବ ସ୍ଥିତି ।

ଟାଙ୍କି ତିଆରି ହୋଇଛି, ଟ୍ୟାପ୍ ବି ଲାଗିଛି ହେଲେ ପାଇପ୍ ସଂଯୋଗ ହୋଇନି । କଥା ଏଇଠି ସରିନି ପ୍ରକଳ୍ପରୁ ଜଳଯୋଗାଣ ପାଇଁ ପମ୍ପ ଚାଲୁଛି ଓ ସେ ବାବଦରେ ମାସକୁ ମାସ ଇଲେକ୍ଚ୍ରି ବିଲ୍ ବି ଆସୁଛି । ଯାହାର ଆଖି ତରାଟିଲା ଭଳି ତଥ୍ୟ ହାସଲ କରିଛନ୍ତି ସ୍ଥାନୀୟ ଅଞ୍ଚଳର ସୂଚନା ଅଧିକାରକର୍ମୀ ସର୍ବେଶ୍ୱର ବେହୁରା । ପ୍ରକଳ୍ପ ବାବଦରେ ବଡ଼ ହରିଲୁଟ୍ ଚାଲିଥିବା ସେ ଅଭିଯୋଗ କରିଛନ୍ତି ।

ସେପଟେ ପାଇପ୍ ପାଣି ନପାଇ ବି ତୁଛାରେ ହିତାଧିକାରୀ ଭାବେ ଗଣାଯାଉଥିବା ଭରତପୁର ଗାଁ ଲୋକେ ବି ଖପ୍ପା । ସିଧା ଧର୍ମଶାଳା ବିଡିଓଙ୍କୁ ଲିଖିତ ଭାବେ ସବୁ କଥା ଜଣାଇଛନ୍ତି । ଆଉ ପ୍ରକଳ୍ପ ବାବଦରେ ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରେ, ସେ ସବୁ ଦୋଷ ହିତାଧିକାରୀଙ୍କ ଉପରକୁ ଠେଲି ଥିବାବେଳେ ୭ଦିନ ଭିତରେ ପାଣି ଚାଲିବ ବୋଲି କହୁଛନ୍ତି । ତାସହ ମାସକୁ ମାସ ବିଦ୍ୟୁତ୍ ବିଲ୍ ଆସୁଥିବା କଥାକୁ ଖଣ୍ଡନ କରିଛନ୍ତି ।

ବାଟବଣା ବସୁଧା ଯୋଜନାର ଇଏ ଆଉ ଏକ ଜୀବନ୍ତ ଚିତ୍ର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାଭାବେ ଗାଁରେ ଗାଁଟି ସମୁଦ୍ର କୂଳ ଲୁଣାବନ୍ଧ ପାଖରେ ଥିବାରୁ ଏଠାକାର ପାଣି ପିଇବା ଉପଯୋଗୀ ନୁହେଁ । ସେଥିପାଇଁ ଦେଢ଼ ବର୍ଷ ତଳୁ ୮୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପାନୀୟଜଳ ପ୍ରକଳ୍ପ । ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭର ହେଡ୍ ଟାଙ୍କି ସହ ଗାଁ ଭିତରେ ସ୍ଥାନେ ସ୍ଥାନେ ଟ୍ୟାପ୍ ବି ବସିଛି । କିଛି ଦିନ ଠିକ୍‌ରେ ଚାଲିଲା, ହେଲେ ଆଜିକୁ ପ୍ରାୟ ୭ ମାସ ହେଲାଣି ବନ୍ଦ ପ୍ରକଳ୍ପ ଗେଟ୍‌ରେ ଝୁଲୁଛି ତାଲା ।

ଏଣେ ଏକମାତ୍ର ନଳକୂପ ପାଖରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବାବେଳେ ପାନୀୟ ଜଳ ପ୍ରକଳ୍ପ କାହିଁକି ତିଆରି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ଉତ୍ତର ଜାଣିବାକୁ ତାଙ୍କ ସହ ଯୋଗାଯୋଗ ହୋଇଥିଲେ ବି ଅସୁସ୍ଥତା କାରଣ ଦର୍ଶାଇ ସେ ପ୍ରତିକ୍ରିୟା ଦେଇନାହାନ୍ତି ।