• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ । ଉତ୍କଳ ଦିବସରେ  ଅନୁଗୁଳ ପୌର ପ୍ରଶାସନ ସହରର ନବକୃଷ୍ଣଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିଛି । ତେବେ ସେଥିରେ ନବକୃଷ୍ଣ ଚିର ପରିଚିତ ଧୋତି-କୁର୍ତ୍ତା ବଦଳରେ ତାଙ୍କୁ ଇଂଗ୍ରେଜୀ ସାହେବ ଢଙ୍ଗରେ କୋଟ୍ ଓ ପ୍ୟାଣ୍ଟ ପିନ୍ଧାଯାଇଥିବାରୁ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ଖୋଦ୍ ନବକୃଷ୍ଣଙ୍କ ଝିଅ ଏହାର ନିନ୍ଦା କରିଛନ୍ତି । ସେପଟେ ନିଜ ତ୍ରୁଟି ସ୍ୱୀକାର କରିଛନ୍ତି ଅନୁଗୁଳ ପୌର ପରିଷଦ କର୍ତ୍ତୃପକ୍ଷ ।

ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନାଁରେ ସେମାନଙ୍କ ପ୍ରତି ଅବଜ୍ଞା ଓ ଅବହେଳା । ସାଧାରଣ ଜୀବନରେ ସେମାନେ ଯେମିତି ନୁହଁନ୍ତି, ସେମିତି ଭାବେ ଚିତ୍ରଣ କରିବାର ଅପଚେଷ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ସେଭଳି ପରିସ୍ଥିତି । ଏପ୍ରିଲ ପହିଲା ଉତ୍କଳ ଦିବସରେ ଅନୁଗୁଳରେ ପ୍ରତିଷ୍ଠା ହୋଇଛି ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ।

ଅଧିକ ପଢ଼ନ୍ତୁ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଧୋତି ବଦଳରେ ପ୍ୟାଣ୍ଟ ପିନ୍ଧାଇଲା କିଏ?

ହେଲେ ଏ ପ୍ରତିମୂର୍ତ୍ତିରେ ନବକୃଷ୍ଣ ଚୌଧୁରୀ ତାଙ୍କ ଜୀବନ କାଳ ଭିତରେ ଯେଉଁ ପୋଷାକ କେବେ ବି ପିନ୍ଧିନାହାନ୍ତି, ତାଙ୍କୁ ସେଭଳି ପୋଷାକରେ ଚିତ୍ରଣ କରାଯାଇଛି । ସାରା ଜୀବନ ଗାନ୍ଧିଜୀଙ୍କ ନୀତିରେ ଅନୁପ୍ରାଣିତ ନବକୃଷ୍ଣ କେବଳ ଧୋତି ଓ କୁର୍ତ୍ତା ପିନ୍ଧୁଥିବା ବେଳେ ଅନୁଗୁଳ ପୌରପାଳିକା ପକ୍ଷରୁ ସ୍ଥାପନ ହୋଇଥିବା ଏ ମୂର୍ତ୍ତିରେ ଇଂରେଜମାନେ ପିନ୍ଧୁଥିବା ଫୁଲ ପ୍ୟାଣ୍ଟ୍, ଜୋତାରେ ଦେଖିବାକୁ ମିଳୁଛନ୍ତି ନବକୃଷ୍ଣ । ଯେଉଁ ବେଶ ପୋଷାକ ଓ ପରିଧାନକୁ ଆଦୌ ଗ୍ରହଣ କରିପାରିନାହାନ୍ତି, ନବକୃଷ୍ଣଙ୍କ କନ୍ୟା କ୍ରିଷ୍ଣା ମହାନ୍ତି । ସେହିଭଳି ଅନୁଗୁଳର ସ୍ୱାଧୀନଚେତା ନାଗରିକ, ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ ଏହାର ଘୋର ବିରୋଧ କରିଛନ୍ତି।

୧୯୫୦ରୁ ୧୯୫୬ ଯାଏଁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଥିବା ନବକୃଷ୍ଣ ଚୌଧୁରୀ ଅତି ସାଧାରଣ ଓ ନିରାଡ଼ମ୍ବର ଜୀବନଚର୍ଯା ପାଇଁ ବେଶ୍ ପରିଚିତ । ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ ନବକୃଷ୍ଣ ଚୌଧୁରୀ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ମଧ୍ୟ କେବଳ ଖଦି ଓ ଧୋତି ଭଳି ସାଧାରଣ ବେଶଭୂଷାକୁ ପସନ୍ଦ କରୁଥିଲେ । ତାଙ୍କ ଭଳି ଜଣେ ସର୍ବଜନବିଦିତ ଓ ଅତି ପରିଚିତ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ତିଆରି ବେଳେ ପ୍ରଶାସନ କିଭଳି ତ୍ରୁଟି କେମିତି କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପଟେ ଏ ଘଟଣାକୁ ନେଇ ବିବାଦ ବଢିବା ପରେ ଏହାକୁ ଅନିଚ୍ଛାକୃତ ତ୍ରୁଟି ବୋଲି ସ୍ୱୀକାର କରିବା ସହ ଏହାର ସଂଶୋଧନ କରାଯାଉଛି ବୋଲି ଅନୁଗୁଳ ପୌରପରିଷଦ ଜଣାଇଛି ।

ପୂର୍ବରୁ ଅନୁଗୁଳ ପୌରପାଳିକା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିଥିବାରୁ ଏହାକୁ ନେଇ ବିବାଦ ଛିଡ଼ା ହୋଇଥିଲା । ପରେ ଏ ତ୍ରୁଟିକୁ ସୁଧାରି ନେଇଥିଲା ପୌରପାଳିକା କର୍ତ୍ତୃପକ୍ଷ ।

ଅନୁଗୁଳରୁ ବିରଜା ପ୍ରସାଦ ଦାସ ଓ ଖୋର୍ଦ୍ଧାରୁ ବଳରାମ ଲେଙ୍କାଙ୍କ ରିପୋର୍ଟ, ଓଟିଭି