• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଗକୁ ନିର୍ବାଚନ ! ସାରା ରାଜ୍ୟରେ ସରଗରମ ହେଲାଣି ରାଜନୈତିକ ମାହୋଲ । ଶିକ୍ଷକଙ୍କଠାରୁ ଆରମ୍ଭ କରି ଡ୍ରାଇଭର ସଂଘ ପର୍ଯ୍ୟନ୍ତ ସମସ୍ତେ ଆନ୍ଦୋଳନକୁ ଓହ୍ଲାଇଲେଣି । କିଏ ପେଟ ପାଇଁ ତ କିଏ ନିଜ ହକ୍‌ ପାଇଁ ଏବେ ରାଜରାସ୍ତାରେ ଚିତ୍କାର କଲେଣି । ଏମିତିକି ଆଜି ରାଜ୍ୟର ସବୁ ସରପଞ୍ଚ ରାଜରାସ୍ତାକୁ ଓହ୍ଲାଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବାର ଚେତାବନୀ ଦେଇଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଲା, ଆମକୁ ଆମ ହକ୍ ମିଳୁ ।

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଯିଏ ବି ଆନ୍ଦୋଳନ କରୁଛନ୍ତି ସମସ୍ତଙ୍କ ମୁହଁରେ କେବଳ ସରକାର ବିରୋଧୀ ନାରା ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଲା, ଆଜି ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟର ମାନେ ମଧ୍ୟ କରିଛନ୍ତି ପ୍ରତିବାଦ । ସେମାନଙ୍କ ମୁହଁରେ ବି ସରକାର ବିରୋଧୀ ନାରା । ଆଉ ଏହି ଇଞ୍ଜିନିୟର ମାନେ ଏକ ଅଭିନବ ଢ଼ଙ୍ଗରେ ନିଜର ପ୍ରତିବାଦ ଜଣାଇଛନ୍ତି । ଆଉ ସରକାରଙ୍କୁ ପାଟି ନଖୋଲି ବଡ଼ ସମାଲୋଚନା କରିଛନ୍ତି ।

 

ଇଞ୍ଜିନିୟର୍ସ ଡେ’ରେ ଆନ୍ଦୋଳନରତ ଯୁବ ଇଞ୍ଜିନିୟରମାନେ ଲୋୟର ପଏମ୍‌ଜିରେ ଜୋତା ପଲିସ କରିଛନ୍ତି । ଆଉ କେହି କେହି କଦଳୀ ବିକ୍ରି କରିବା ସହ ସେଓ ମଧ୍ୟ ବିକ୍ରି କରିଛନ୍ତି । ସେମାନେ ଏକ ଟଙ୍କାରେ ଜୋତା ପଲିସ କରୁଥିବା ବେଳେ ସେଓ କିଲୋ ୨୦ ଓ କଦଳୀ କିଲୋ ୩୦ ଟଙ୍କାରେ ବିକ୍ରି କରିଛନ୍ତି । ଇଞ୍ଜିନିୟରମାନଙ୍କ ଏଭଳି ଅଭିନବ ପ୍ରତିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଏଭଳି ଅଭିନବ ପ୍ରତିବାଦର ମୂଳ ଉଦେଶ୍ୟ ହେଲା, ଇଞ୍ଜିନିୟରିଂ ପଢ଼ି ସାରି, କାମ ନପାଇ ଆମେ ଜୋତା ପଲିସ କରୁଛୁ । ତାହା ସରକାର ଦେଖନ୍ତୁ । ଆଉ ଇଞ୍ଜିନିୟରଙ୍କ ଦୁଃଖ ବୁଝନ୍ତୁ ।

ଖାଲି ସେତିକି ନୁହେଁ, ରାଜ୍ୟରେ ଖାଲି ପଡ଼ିଥିବା ଇଂଜିନିୟରିଂ ପଦବୀ ପୂରଣ ପାଇଁ ଦାବି କରିବା ସହ ଗେଟ୍‌ ପରୀକ୍ଷାକୁ ବିରୋଧ କରି ପ୍ରତିବାଦ କରିଛନ୍ତି ଆଶାୟୀ । ଇଞ୍ଜିନିୟରଙ୍କ ଏଭଳି ଅଭିନବ ପ୍ରତିବାଦକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।