/odishatv-khabar/media/post_attachments/uploadimage/library/16_9/16_9_0/mango_1685463786.jpg)
mango
ଓଡ଼ିଶା ଆମ୍ବ ବଜାରରେ ମାନ୍ଦାବସ୍ଥା । ହଳଦିଆ କଟକଟ ବାଇଗଣ ପଲେଇ ଆମ୍ବ ଠେଲାରେ ସଜେଇ ବ୍ୟବସାୟୀ ଅପେକ୍ଷା କରିଛନ୍ତି । ହେଲେ ଗ୍ରାହକଙ୍କର କିଣିବାକୁ ଆଗ୍ରହ ନାହିଁ । ପୁରୀ ଜିଲ୍ଲା ନୟାହାଟ ଅଞ୍ଚଳରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଗୋଦାମରେ ଧିରେ ଧିରେ ସଢ଼ିବା ଆରମ୍ଭ ହେଲାଣି ଆନ୍ଧ୍ରରୁ ଆସିଥିବା ବାଇଗଣ ପଲେଇ ଆମ୍ବ। ଯେଉଁଠି ପ୍ରତିବର୍ଷ ଏଇ ସିଜିନରେ ଏଠିକାର ବ୍ୟବସାୟୀ ୪୦ରୁ ୫୦ ଟ୍ରିପ୍ ବାଇଗଣ ପଲେଇ ଆମ୍ବ ବିକ୍ରି କରନ୍ତି, ଏବର୍ଷ କିନ୍ତୁ ଏଯାଏଁ ୫ଗାଡ଼ି ବି ଆସିନି । ତା’ସହ ସାବିତ୍ରୀ ଅମାବାସ୍ୟା ସମୟରେ ଯେଉଁ ଆମ୍ବ ଆଣିଥିଲେ, ତାହା ବି ଠିକରେ ବିକ୍ରି ନହେବାରୁ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିବା କହିଛନ୍ତି ବ୍ୟବସାୟୀ । ଯେହେତୁ ଓଡ଼ିଶା ବଜାରରେ ଏବର୍ଷ କମ୍ ଦରରେ ଏଯାଏଁ ଦେଶୀ ଆମ୍ବର ରାଜୁତି ସରିନି, ତେଣୁ ପ୍ରବଳ ବାଇଗଣ ପଲେଇ ବିକ୍ରି ପୁରା ମାନ୍ଦା ।
କାହିଁକି ଓଡ଼ିଶା ବଜାରରେ ଏବର୍ଷ ଘାଟା ଖାଇଲା ବାଇଗଣ ପଲେଇ ଆମ୍ବ ? ଦର ଅଧିକ ନା ଅଧିକ ଆମଦାନୀ ଅଧିକ ? ଏ ପ୍ରଶ୍ନ ଭିତରେ ବ୍ୟବସାୟୀଙ୍କ ମତ- ଚଳିତବର୍ଷ ଆମ ରାଜ୍ୟର ଆଠଗଡ଼, ଢେଙ୍କାନାଳ, ଅନୁଗୁଳ, ପାଲଲହଡ଼ା, ତାଳଚେର, ବଲାଙ୍ଗୀର, ରାୟଗଡ଼ା ଓ କାଶୀପୁର ଆଦି ଅଞ୍ଚଳରୁ ପ୍ରଚୁର ପରିମାଣର ସୁଆଦିଆ ଦେଶୀ ଆମ୍ବ ବଜାରକୁ ଆସୁଛି ।
ସେସବୁ କିସମ ଗୁଡ଼ିକ ହେଲା ଆମ୍ରପାଲି, ମଲ୍ଲିକା, ଦୋସାରି, ଲେଙ୍ଗଡ଼ା । ଏସବୁ ଆମ୍ବ କିଲୋ ୧୦ରୁ ୨୦ ଟଙ୍କାରେ ମିଳୁଛି । ସେପଟେ ଆନ୍ଧ୍ର, ତାମିଲନାଡୁ ଓ କର୍ଣ୍ଣାଟକରୁ ଆସୁଥିବା ବାଇଗଣ ପଲେଇ ଆମ୍ବ ପରିବହନ ଖର୍ଚ୍ଚ ସହ ଗୋଦାମରେ ୨୦ରୁ ୩୦ ଓ ବଜାରରେ ବିକ୍ରି ହେଲା ବେଳକୁ କିଲୋପିଛା ୪୦ରୁ ୫୦ଟଙ୍କା ପଡ଼ି ଯାଉଥିବାରୁ ଗ୍ରାହକ ୟାକୁ କିଣିବା ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।
ସେପଟେ ଆମ୍ବ ଚାଷୀଙ୍କ କ୍ଷୋଭ, ରାଜ୍ୟ ସରକାର ପ୍ରୋତ୍ସାହନ ଦେଉନଥିବାରୁ ଦେଶୀ ଆମ୍ବ ଓଡ଼ିଶାରୁ ବାହାରକୁ ଯାଇପାରୁନି । ତେବେ ବଜାରରୁ ଦେଶୀ ଆମ୍ବ ସରିବା ପରେ ରଜ ବେଳକୁ ବାଇଗଣ ପଲେଇ ଆମ୍ବର ଚାହିଦା ବଢ଼ିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।
କୋଣାର୍କରୁ ସଞ୍ଜୟ ପତିଙ୍କ ସହ ଭୁବନେଶ୍ବରରୁ ଚନ୍ଦନ ପାଇକରାୟ ଓ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)