• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାହାଘରକୁ ନେଇ ପ୍ରାୟ ସମସ୍ତେ କିଛି ସ୍ୱପ୍ନ ଦେଖିଥା’ନ୍ତି । ନିଜ ବାହାଘରକୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥା’ନ୍ତି । ବାହାଘରର ବହୁ ପୂର୍ବରୁ ପ୍ରସ୍ତୁତି ମଧ୍ୟ କରାଯାଇଥାଏ । ବିବାହ ଉତ୍ସବ ପାଇଁ ସୁନ୍ଦର ତୋରଣ, ଆକର୍ଷଣୀୟ ସାଜସଜ୍ଜା ଏବଂ ଭୋଜିରେ ଅତିଥିମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ହୋଇଥାଏ । ଯାହାକୁ ନିମନ୍ତ୍ରିତ ଅତିଥିମାନେ ଖୁବ୍‌ ଉପଭୋଗ କରିଥା’ନ୍ତି ।

ସେହିପରି ବିବାହ ପୂର୍ବରୁ ବାଜା, ବାଣ, ପୋଷାକ ଓ ସାଜସଜା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ବର-କନ୍ୟା ଉଭୟ ଯାଆ-ଆସ ପାଇଁ ସ୍ୱତନ୍ତ୍ର ନଜର ରଖିଥା’ନ୍ତି ଉଭୟ ପରିବାର ପକ୍ଷ ।

ହେଲେ ବର୍ତ୍ତମାନ ଆମେ ଏପରି ଏକ ବିବାହ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଟିକିଏ ଅଲଗା ଲାଗିବ । କାରଣ ଏଠାରେ ବର-କନ୍ୟାଙ୍କ ଯାତ୍ରା ପାଇଁ କୌଣସି ଗାଡ଼ିର ବ୍ୟବସ୍ଥା କରାଯାଇନାହିଁ । ବାହାଘର ପାଇଁ ବଳଦଗାଡ଼ିରେ ବର ଆସିଥିବାବେଳେ ବରଯାତ୍ରୀମାନେ ଓଟ ଉପରେ ବସି ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: କନ୍ୟାର ଅଜବ ନିୟମ ! ‘ମୋ ବାହାଘରରେ ଯୋଗଦେଲେ ପିଇବେ କେବଳ ପାଣି’

ରାଜସ୍ଥାନ ଦୌସା ଜିଲ୍ଲାର ଏହି ବାହାଘର ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ବର ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରିକି ଏହି ଶୋଭାଯାତ୍ରାକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମିଥିବା ଦେଖିବାକୁ ମିଳିଥିଲା । କନ୍ୟା ଘରେ ବର ସହ ବରଯାତ୍ରୀ ପହଞ୍ଚିବା ସମୟରେ ଶହଶହ ସ୍ଥନୀୟ ଅଞ୍ଚଳବାସୀ କନ୍ୟା ଘରେ ପହଞ୍ଚିଥିଲେ ।

ଗୁଜରାଟର ଅହମ୍ମଦାବାଦରେ ବ୍ୟବସାୟ କରନ୍ତି ବରଙ୍କ ବାପା ପ୍ରହ୍ଲାଦ ମୀନା । ତେଣୁ ବର ଘର ଲୋକ ବଡ଼ ଦାମୀ ଗାଡ଼ିରେ ଆସିବେ ବୋଲି କନ୍ୟାଘର ଲୋକ ଓ ସ୍ଥାନୀୟବାସିନ୍ଦା ଭାବିଥିଲେ । ହେଲେ ଏପରି ବିବାହ ଶୋଭାଯାତ୍ରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପ୍ରହ୍ଲାଦ ନିଜ ପୁଅଙ୍କ ବିବାହରେ କିଛି ଅଲଗା କରିବାକୁ ଚାହୁଁଥିଲେ । ତେଣୁ ବର ଓ ବରଯାତ୍ରୀ ବାବଦକୁ ୭ଟି ବଳଦଗାଡ଼ି, ୧୦ଟି ଓଟ ଓ ୧୦ଟି ଘୋଡ଼ାର ବ୍ୟବସ୍ଥା କରିଥିଲେ । ଯେଉଁଥିରେ ବର ଘର ଲୋକ କନ୍ୟାଘରେ ପହଞ୍ଚିଥିଲେ । ବରଯାତ୍ରୀଙ୍କୁ କନ୍ୟା ଘରେ ପହଞ୍ଚିବା ପାଇଁ ୩ ଘଣ୍ଟା ସମୟ ଲାଗିଥିଲା । ଡିଜେର ତାଳେ ତାଳେ ବରଯାତ୍ରୀମାନେ ବରକୁ ଧରି କନ୍ୟା ଘରେ ପହଞ୍ଚିଥିଲେ । ପରେ ପରେ ରୀତିନୀତି ଅନୁସାରେ ବର-କନ୍ୟାଙ୍କ ବିବାହ ଶେଷ ହୋଇଥିଲା ।

ଖାଲି ସେତିକି ନୁହେଁ, ବର ସାଜିଥିବା ବିନୋଦ ଓ ତାଙ୍କ ବାପା କନ୍ୟା ଘରୁ କୌଣସି ଯୌତୁକ ନେବାକୁ ଚାହିଁନଥିଲେ । କେବଳ ଯୌତୁକ ବାବଦକୁ ଏକଟଙ୍କା ଏବଂ ଗୋଟିଏ ନଡ଼ିଆ ନେଇଥିଲେ । ସବୁଠାରୁ ବଡ଼ କଥା ହେଉଛି କନ୍ୟା ପାଇଁ ବରଘର ନିଜ ପକ୍ଷରୁ ଗହଣା ନେଇଥିଲେ । କନ୍ୟାକୁ ଗହଣା ପିନ୍ଧାଇ ଘରକୁ ଅଣାଯାଇଥିଲା ।

ଶେଷରେ ବିନୋଦ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ, ସେ କହିଥିଲେ କି ସମାଜରେ ଯୌତୁକ ଏକ କଳଙ୍କିତ ପ୍ରଥା । ଏହି ପ୍ରଥାକୁ ଭାଙ୍ଗି ସେ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ।