• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବେପରୱା ନିର୍ମାଣ କାମ ପାଇଁ କଟକ ସହରରେ ୨ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଅସନ୍ତୋଷ । ବାରମ୍ବାର ଏଭଳି ମନୁଷ୍ୟକୃତ ଅଘଟଣ ପାଇଁ ଆଜି ମେୟର ଓ କମିଶନରଙ୍କୁ ଘେରି ଲୋକେ ଜବାବ ମାଗିଛନ୍ତି । ପ୍ରଶ୍ନବାଣରେ ଛନ୍ଦିଛନ୍ତି । ଅପରପକ୍ଷେ ଗତକାଲିର ଅଘଟଣରେ ପ୍ରାଣ ହରାଇଥିବା ମୃତ ଛାତ୍ରୀଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯିବା ସହ କାର୍ଯ୍ୟରେ ଅବହେଳା ପାଇଁ ୨ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କରାଯାଇଛି ।

ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ । ସ୍ଥାନୀୟ ଲୋକଙ୍କ ସହ ମିଶି ପ୍ରଶ୍ନବାଣରେ ଛନ୍ଦି, ହଲାପଟା କରିଥିଲେ କଂଗ୍ରେସ ନେତା ଓ କର୍ପୋରେଟର ।

୧୭ ବର୍ଷର ଝିଅ ଏନ୍.ମୋହିନୀ । ବାପା ସାଇକେଲରେ ବୁଲି ଚପଲ ବିକନ୍ତି । ମା’ ପର ଘରେ ପାଇଟି କରନ୍ତି । ଅଭାବୀ ସଂସାରରେ ବଢୁଥିବା ଏ ଝିଅଟି ଇମର୍ତ୍ତି ଦେବୀ କଲେଜରେ ପ୍ଲସ୍ ଟୁ ପଢିବା ସହ ନିଜେ ବି କୁଆଡ଼େ ଘର ଚଳାଇବାକୁ ଛୋଟ ମୋଟ କାମ କରୁଥିଲେ । ହେଲେ କଟକ ସହରକୁ ସୁନ୍ଦର କରି ଗଢ଼ି ତୋଳିବାକୁ ବର୍ଷ ବର୍ଷ ଧରି ଚାଲିଥିବା ବ୍ୟବସ୍ଥା, କାଲି ତାଙ୍କ ଜୀବନ ନେଇଗଲା । ଡ୍ରେନ୍ ପାଇପ ତଳେ ଘଣ୍ଟାଏ କାଳ ଚାପି ହୋଇ ଛଟପଟ ହେବା ପରେ ହସପିଟାଲରେ ଅବେଳରେ ଆଖି ବୁଜିଦେଲା ଗରିବ ପରିବାରର ସ୍ୱପ୍ନା । ଆଉ ବ୍ୟବଚ୍ଛେଦ ପରେ ଆଜି ଘରକୁ ଝିଅର ଡେଡବଡି ଫେରିଥିଲା । କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାହି, ପରିବାର ।

କଟକ ସହରରେ ଯନ୍ତ୍ରଣାର ଅନ୍ୟ ନାଁ ପାଲଟିଥିବା ଜାଇକା ପାଇଁ ଲମ୍ବି ଚାଲିଛି ଜୀବନହାନିର ତାଲିକା । ହେଲେ ସମସ୍ତେ ଯେମିତି ବେପରୱା, ବେଫିକର । ସହରରେ ୧୦ ବର୍ଷ ତଳୁ ଜାଇକା ଆରମ୍ଭ କରିଥିବା ବକ୍ସ ଡ୍ରେନ୍ କାମ ଏବେ ବି ଚାଲିଛି । କାମ ଚାଲିଥିବାବେଳେ ବ୍ୟାରିକେଡ୍ ଓ ସୂଚନା ଫଳକ ସହ ସୁରକ୍ଷାକର୍ମୀ ନିୟୋଜିତ କରିବାକୁ ଏସଓପି ଅଛି । ହେଲେ ଅଭିଯୋଗ ଏସବୁ କାଗଜ କଲମରେ । ନା କିଏ ଏସଓପିକୁ ମାନୁଛି, ନା ତାହା ପାଳନ ହେଉଛି କି ନାହିଁ ତାର କିଏ ତଦାରଖ କରୁଛି । ଏପରିକି ଆଜି କ୍ଷେତ୍ର ପରିଦର୍ଶନ ପରେ ଖୋଦ୍ ଟ୍ରାଫିକ୍ ଏସିପି ଏସ୍ଓପି ପାଳନ ହୋଇନଥିବା କହିଛନ୍ତି । ଆଉ ଏସବୁ ସବୁ କାରଣ ପାଇଁ ୨୯ ତାରିଖରେ ତାଳଦଣ୍ଡା କେନାଲକୁ କାର୍ ଖସି ଜଣଙ୍କ ମୃତ୍ୟୁ ହେବା ପରେ କାଲି ଚାଲିଗଲା ଛାତ୍ରୀ ଏନ୍. ମୋହିନୀଙ୍କ ଜୀବନ । ହେଲେ ମେୟର ଏନ୍.ମୋହିନିଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିବା ସହ ଆଗକୁ ଯେଭଳି ଏମିତି ଘଟଣା ନଘଟେ ସେଥିପାଇଁ ସଜାଗ ରହିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

ଏପଟେ ଛାତ୍ରୀ ମୃତ୍ୟୁ ଘଟଣାରେ କଟକ ମହାନଗର ନିଗମର ୨ ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁଙ୍କୁ ସସ୍ପେଣ୍ଡ କରାଯାଇଛି । ଡ୍ୟୁଟିରେ ଖିଲାପୀ ପାଇଁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ନଗର ଉନ୍ନୟନ ବିଭାଗ ।

  • Reported by:
  • PRAVAT BISOI