• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କଟକ ବଡ଼ମ୍ବା ସିଂହନାଥ ପୀଠରେ ଦଳାଚକଟା ଘଟଣା ପରେ ୧୪୪ ଧାରା ଲାଗିଛି। ଆଜି ଓ ଆସନ୍ତାକାଲି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବାରଣ କରାଯାଇଛି। ମେଳାରେ ପଡ଼ିଥିବା ଦୋକାନୀଙ୍କୁ ଘରକୁ ଯିବା ପାଇଁ ପ୍ରଶାସନ କହିଛି। ଏହାସହ ଘଟଣାସ୍ଥଳରେ ଅଧିକ ଫୋର୍ସ ମୁତୟନ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। 

T-ସେତୁରେ ଦଳାଚକଟା ପରେ ଏବେ ଘଟଣାର ଅନୁଧ୍ୟାନ ଚାଲିଛି।  କେଉଁ ଭଳି ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା, ଲୋକଙ୍କ ଭିଡ଼କୁ କିପରି ଏଡ଼ାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି। ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ,କଟକ SCB ମେଡିକାଲ୍‌ରେ ଚାଲିଛି ଗୁରୁତରଙ୍କ ଚିକିତ୍ସା। ବଡ଼ମ୍ବା ମେଡିକାଲ୍‌ରେ ବି ଅନେକ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ବଡ଼ମ୍ବା ଟି-ବ୍ରିଜରେ ଦଳାଚକଟା ପାଇଁ ଦାୟୀ କିଏ: ପବ୍ଲିକ୍ ନା ପୋଲିସ୍ ?

ସୂଚନାଥାଉ କି, ଗତକାଲି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି T-ସେତୁ ଉପରେ ଦଳାଚକଟା ହୋଇଥିଲା। ସିଂହନାଥ ପୀଠରେ ପ୍ରବଳ ଜନସମାଗମ ହୋଇଥିଲା। ଆଶାତୀତ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

କାହିଁକି ଘଟିଲା ଏମିତି ଅଘଟଣ ?

ମକର ମେଳାରେ ବଡ଼ମ୍ବା ସିଂହନାଥ ପୀଠକୁ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଆଶାତୀତଠୁ ଅଧିକ ଲୋକ ଆସିଯିବାରୁ ଅଧିକ ଭିଡ଼ ହୋଇଥିବା ଆଠଗଡ଼ ଉପଜିଲ୍ଲାପାଳ କହିଛନ୍ତି। ମେଳାକୁ ଦେଢ଼ରୁ ୨ ଲକ୍ଷ ଲୋକ ଆସିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପଟେ ଲୋକଙ୍କ ତୁଳନାରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୋଲିସ ବାହିନୀର ଅଭାବରୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ମେଳାରେ ଭିଡ଼ ନିୟନ୍ତ୍ରଣ ପାଇଁ ମାତ୍ର ୩ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଥିଲା। ସଂକୀର୍ଣ୍ଣ ସେତୁକୁ ସ୍ୱଳ୍ପ ପୋଲିସ ବ୍ୟବସ୍ଥା ଯୋଗୁ ପ୍ରଥମେ ଲୋକ ଗହଳି ଓ ପରେ ଦଳାଚକଟା ଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି।

ଘଟଣା ପାଇଁ ଦାୟୀ କିଏ ?

ବଡ଼ମ୍ବା ସିଂହନାଥ ପୀଠରେ ଦଳାଚକଟା ଘଟଣା ପରେ ଅନେକ ପ୍ରଶ୍ନ ଉଠିଛି। ଏ ଘଟଣା ପାଇଁ ଦାୟୀ କିଏ ? ସିଂହନାଥ ପୀଠ T-ସେତୁରେ କାହିଁକି ହେଲା ଦଳାଚକଟା ? ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହୋଇଛି କି ? ଏ ସ୍ଥାନକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ନେଇ ପୂର୍ବରୁ ହୋଇନଥିଲା କି ଆକଳନ ? କାହିଁକି ମୁତୟନ ହୋଇନଥିଲେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ? ଏତେବଡ଼ ମକରମେଳା ପରିଚଳନାରେ ପ୍ରଶାସନ ଫେଲ୍ ମାରିଲା କି ବୋଲି ପ୍ରଶ୍ନ ଉଠିଛି।