ସମାଜ ସେବାକୁ ବ୍ରତ କରିଛନ୍ତି କଟକର ଜଣେ ଅଟୋ ଚାଳକ । ସପ୍ତାହରେ ଗୋଟିଏ ଦିନ ସେ ନିଜ ଅଟୋରେ ରୋଗୀ ଏବଂ ସେମାନଙ୍କ ସାଙ୍ଗରେ ଆସିଥିବା ଲୋକଙ୍କୁ ବସାଇ କଟକ ବଡ଼ ମେଡ଼ିକାଲରେ ଛାଡ଼ିଥାନ୍ତି । ଆଉ ମେଡ଼ିକାଲରୁ ମଧ୍ୟ ରୋଗୀଙ୍କୁ ଆଣି ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ିଥାନ୍ତି । କଟକ ସହରରେ ଏହି ନିଆରା ସେବା କରୁଥିବା ଅଟୋ ଚାଳକଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
କଟକର ବିଷ୍ଣୁ ପାତ୍ର ଜଣେ ସାଧାରଣ ଅଟୋ ଚାଳକ ହୋଇପାରନ୍ତି, କିନ୍ତୁ ତାଙ୍କ ହୃଦୟ ବିଶାଳ । ସେ ପ୍ରତିଦିନ ଅଟୋ ଚଳାଇ ପରିବାର ଚଳାଉଛନ୍ତି । କିନ୍ତୁ ସପ୍ତାହରେ ଗୋଟିଏ ଦିନ ଗରିବ ରୋଗୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ରୋଗୀଙ୍କୁ ଯୋଗାଇ ଦେଉଛନ୍ତି ମାଗଣା ଅଟୋ ସେବା । ସପ୍ତାହରେ ସେ ୭ ଦିନ ଖଟନ୍ତି । କୌଣସି ଦିନ ତାଙ୍କର ବିଶ୍ରାମ ନାହିଁ । କିନ୍ତୁ ୭ ଦିନରୁ ଗୋଟିଏ ଦିନ ସେବା ପୂରା ମାଗଣା । ସକାଳୁ ଅଟୋରେ ତେଲ ଲୋଡ୍ କରି ବାହାରିପଡନ୍ତି । ରୋଗୀଙ୍କୁ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରୁ ନେଇ କଟକ ବଡ଼ ମେଡିକାଲ୍ ଯାଆନ୍ତି । ପୁଣି ବଡ଼ ମେଡିକାଲରୁ ନେଇ ସେମାନଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ଦିଅନ୍ତି । ଏଇଥିରେ ସେ ପାଆନ୍ତି ଆନନ୍ଦ । ଗୁରୁବାର ସେ ରୋଗୀଙ୍କୁ ଦିଅନ୍ତି ମାଗଣା ସେବା ।
ତାଙ୍କ ଅଟୋର ଆଗପଟେ ଓ ପଛପଟରେ ଲେଖା ଯାଇଛି ମାଗଣା ସାପ୍ତାହିକ (ଗୁରୁବାର) ଅଟୋ ସେବା। ଦୁଇ ବର୍ଷରୁ ଅଧିକ ସମୟ ଧରି ସେ ଏହି ସେବା ଯୋଗାଇ ଆସୁଛନ୍ତି । ବିଷ୍ଣୁ ଦୀର୍ଘ ବର୍ଷ ହେବ ପ୍ରତେକ ଗୁରୁବାର ଦିନ ସକାଳୁ ଉଠି ଲାଗିପଡ଼ନ୍ତି ରୋଗୀଙ୍କ ସେବାରେ।
ଅଧିକ ପଢ଼ନ୍ତୁ: ଦୁଇ ହାତ ନ ଥିଲେ ବି ହାର ମାନି ନାହାନ୍ତି ରମେଶ; ଗୋଡରେ ଗାଧାନ୍ତି, ବୋଲିଂ ବି କରନ୍ତି
ପ୍ରତେକ ଦିନ କଟକ ବଡ ମେଡିକାଲକୁ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଗରିବ ଲୋକଙ୍କୁ ଏହି ସେବା ଯୋଗାଇ ଦେବାକୁ ସେଠାରେ ତୁରନ୍ତ ହାଜର ହୋଇଯାଆନ୍ତି ବିଷ୍ଣୁ ।
ପଚାରନ୍ତି, କେଉଁଠିକି ଯିବ ? ଗାଡିରେ ବସ । ତା ପରେ ସେ ରୋଗୀଙ୍କ ଦାୟିତ୍ୱ ବିଷ୍ଣୁଙ୍କର । ଯାହାକୁ ଯେଉଁଠି ପହଞ୍ଚାଇବା କଥା ସୁବିଧାରେ ପହଞ୍ଚାଇ ଦିଅନ୍ତି । ଏହି ସେବା ପାଇଁ ସେ ବିଷ୍ଣୁ ଭାଇ ନାମରେ ପରିଚିତ ହୋଇଗଲେଣି । ଏହି ସେବା ପାଇଁ ତାଙ୍କ ପତ୍ନୀ ଓ ପରିବାର ଲୋକ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି । ସେବା ପାଇଁ ଉତ୍ସାହିତ କରୁଛନ୍ତି । କିଏ କେଉଁ ବାଟରେ ଲୋକଙ୍କ ସେବା କରୁଛନ୍ତି, କିନ୍ତୁ ବିଷ୍ଣୁ ନିଜର ସାଧ୍ୟମତେ ଯେଉଁ ସେବା କରୁଛନ୍ତି, ତାହା ବେଶ୍ ପ୍ରଶଂସନୀୟ ବୋଲି କହୁଛନ୍ତି ତାଙ୍କୁ ଜାଣିଥିବା ଲୋକମାନେ ।
ବିଷ୍ଣୁ ପ୍ରଥମେ ଏକ ଦୋକାନରେ କାମ କରୁଥିଲେ । କିନ୍ତୁ ପରିବାର ଠିକରେ ଚଲାଇ ପାରିଲେନି । ପରେ ଅଟୋ ରିକ୍ସାଟିଏ କରି ଗୁଜୁରାଣ ମେଣ୍ଟାଇଲେ । ୨୦୦୪ ମସିହାରେ ବିଷ୍ଣୁଙ୍କର ଏକ ସଡ଼କ ଦୁର୍ଘଟଣାରେ ଗୋଡ ଭାଙ୍ଗି ଯାଇଥିଲା । ସୁସ୍ଥ ହେବାକୁ ତାଙ୍କୁ କିଛି ମାସ ଲାଗିଥିଲା । ପରେ ସେ ନିଜ ଗୋଡରେ ନିଜେ ଛିଡା ହେଇପାରିଛନ୍ତି । ଅଟୋ ଚଲାଇ ସେ ଘରଭଡା ଠାରୁ ଆରମ୍ଭ କରି ନିଜ ପିଲାଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି। ତାଙ୍କର ଏହି ନିଆରା ସମାଜ ସେବା ସମସ୍ତଙ୍କୁ ପ୍ରେରଣା ଦେଉଛି ।
ଅଧିକ ପଢ଼ନ୍ତୁ: 'ଡାକ୍ତର ଦାଦି'ଙ୍କ ମହାନତା; ଗରିବ ମହିଳାଙ୍କ ପ୍ରସବ ପାଇଁ ନେଉଥିଲେ ଟଙ୍କାଟିଏ
- Reported by:
- Biswajit Acharya