• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶକ୍ତିଶାଳୀ ବଙ୍କର ଭିତରେ ଅଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି । ଗୋଳାବାରୁଦ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବୋମା ବିସ୍ଫୋରଣ, ଏୟାର ଆଟାକ୍‌ କିଛି ବି କରିପାରିବନି । ଏପରିକି ପରମାଣୁ ଆକ୍ରମଣ ମଧ୍ୟ ପ୍ରଭାବହୀନ ହୋଇଯିବ । ଯୁଦ୍ଧ ଆଶଙ୍କା କରି ପୂର୍ବରୁ ପ୍ରସ୍ତୁତ ଥିଲା ୟୁକ୍ରେନ୍‌ । ଜେଲେନସ୍କି ଥିବା ବଙ୍କରକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ।

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଜାରି ରହିଥିବା ବେଳେ ଋଷିଆ କ୍ରମାଗତ ଭାବରେ ଦାବି କରୁଛି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ପୋଲାଣ୍ଡକୁ ପଳାୟଳ କରିଛନ୍ତି । ଅନ୍ୟପଟେ ଜେଲେନସ୍କି ଏକଥାକୁ ଖଣ୍ଡନ କରିବା ସହ ୟୁକ୍ରେନରେ ଥିବା କଥା କହିଛନ୍ତି । ଏହି ଦାବିଗୁଡିକ ମଧ୍ୟରେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଆଜାରୋଭ ନୂଆ ଖୁଲାସା କରିଛନ୍ତି । ଜେଲେନସ୍କି ଦେଶବାସୀଙ୍କୁ ଛାଡ଼ି କୁଆଡ଼େ ଯାଇନାହାନ୍ତି, ବରଂ କିଭରେ ହିଁ ଅଛନ୍ତି ବୋଲି କହିଛନ୍ତି ।

Live Updates:Russia-Ukraine War Day-10

ଭୋଲୋଡିମିର ଜେଲେନସ୍କି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ସେ ୟୁକ୍ରେନ୍‌ରେ ହିଁ ଅଛନ୍ତି । ୟୁକ୍ରେନର ରାଜଧାନୀ କିଭ୍‌ରେ ଜେଲେନସ୍କି ଏକ ସୁରକ୍ଷିତ ବଙ୍କର୍ ଭିତରେ ଅଛନ୍ତି । ଯେଉଁ ବଙ୍କରରେ ଜେଲେନସ୍କି ଅଛିନ୍ତି, ତାହା ଏତେ ଶକ୍ତିଶାଳୀ ଯେ ପରମାଣୁ ଆକ୍ରମଣ ମଧ୍ୟ ସେଠାରେ ପ୍ରଭାବ ପକାଇବ ପାରିବ ନାହିଁ ବୋଲି ସେ କହିଛନ୍ତି ।

ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ଛାଡି ପୋଲାଣ୍ଡରେ ଆଶ୍ରୟ ନେଇଥିବା କଥା ଋଷିଆର ସରକାରୀ ମିଡିଆ ଦାବି କରିଥିଲା । ଏହା ପରେ ଜେଲେନସ୍କି ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ୟୁରୋପୀୟ ଦେଶମାନଙ୍କ ଉଦ୍ଦେଶ୍ୟରେ ସେ ଏହି ଭିଡିଓ ବାର୍ତ୍ତା ଦେଇଥିଲେ । ୟୁକ୍ରେନକୁ ସମର୍ଥନ ନକଲେ ଋଷ ୟୁରୋପୀୟ ଦେଶ ଗୁଡ଼ିକୁ ମଧ୍ୟ ଆକ୍ରମଣ କରିବ ବୋଲି କହିଥିଲେ ।

ଆଉ ସେହି ସମୟରେ ୟୁକ୍ରେନର ଜଣେ ସଂସଦ ମଧ୍ୟ ଏନେଇ ସ୍ପଷ୍ଟୀକରଣ ରଖିଥିଲେ । ରାଷ୍ଟ୍ରପତି ଜେଲେନସ୍କି ଏବେ ମଧ୍ୟ କିଭରେ ଅଛନ୍ତି । ଋଷିଆ ଆକ୍ରମଣ ପରଠାରୁ ଜେଲେନସ୍କି ଲଗାତାର କହୁଛନ୍ତି, ସେ ନିଜ ଦେଶ ଛାଡି ପଳାୟନ କରିବେ ନାହିଁ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ କିଭ୍‌ରେ ହିଁ ରହିବେ, ନିଜ ସେନାର ମନୋବଳ ବଢ଼ାଇବେ ଓ ନିଜେ ମଧ୍ୟ ଯୁଦ୍ଧ ମଇଦାନକୁ ଓହ୍ଲାଇବେ ।

ଟାଇମ୍ସ ଅଫ୍ ଲଣ୍ଡନ ରିପୋର୍ଟ ଅନୁସାରେ ଫେବୃଆରୀ ୨୪ ତାରିଖ ପରଠାରୁ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ୩ଥର ବିଫଳ ଉଦ୍ୟମ କରାଯାଇଛି । ଅର୍ଥାତ୍ ଜେଲେନସ୍କିଙ୍କ ଉପରେ ୩ ଥର ଆକ୍ରମଣ କରାଯାଇଛି । ଗଣମାଧ୍ୟମ ରିପୋର୍ଟରେ ଅନୁସାରେ ଋଷିଆର କମାଣ୍ଡୋ ସ୍କ୍ୱାର୍ଡ ଏବଂ ଚେଚନ୍‌ ଆର୍ମି ଜେଲେନସ୍କିଙ୍କୁ ତନ୍ନ ତନ୍ନ କରି ଖୋଜୁଛନ୍ତି ।

ସେପଟେ ଜେଲେନସ୍କି ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିବାକୁ କ୍ରମାଗତ ଭାବରେ ନାଟୋ ଏବଂ ୟୁରୋପୀୟ ଦେଶମାନଙ୍କ ନିକଟରେ ଦାବି କରିଆସୁଛନ୍ତି । ତେବେ ବାରମ୍ବାର ଦାବି ପରେ ମଧ୍ୟ ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଭାବେ ଘୋଷଣା କରାଯାଉନାହିଁ । ଆଉ ଏନେଇ ୟୁରୋପୀୟ ଦେଶମାନଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ଜେଲେନସ୍କି । ୟୁରୋପୀୟ ଦେଶଗୁଡିକୁ ସମାଲୋଚନା କରିବା ସହ ସେ କହିଛନ୍ତି ପଶ୍ଚିମୀ ସୈନ୍ୟ ସଂଗଠନ ଏପରି ନକରିବା ଦ୍ୱାରା ଋଷିଆ ଆକ୍ରମଣକୁ ସବୁଜ ସଙ୍କେତ ଦେଉଛନ୍ତି ।