• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଇସ୍ରାଏଲ ଅକ୍ଟୋବର ୭ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଗାଜାର ଲାଡେନ ନାମରେ ଜଣାଶୁଣା ହମାସ ମୁଖ୍ୟ ୟାହ୍ୟା ସିନୱାରଙ୍କୁ ହତ୍ୟା କରିଛି । ଇସ୍ରାଏଲର ସାମରିକ ବାହିନୀର ମୁଖପାତ୍ର କହିଛନ୍ତି ଯେ ଗୁରୁବାର ଦିନ ଏକ ଅପରେସନରେ ସିନୱାରଙ୍କୁ ହତ୍ୟା କରାଯାଇଛି । ଇସ୍ରାଏଲ୍ ସେନାଠୁ ରକ୍ଷା ପାଇବାକୁ ଏକ ବିଲ୍ଡିଂରେ ଲୁଚି ରହିଥିଲା ସିନୱାର । ତେବେ ଇସ୍ରାଏଲ୍‌ ଫୋର୍ସ ଏହି ବିଲ୍ଡିଂକୁ ଯେତେବେଳେ ଧ୍ୱଂସ କରିଦେଇଥିଲା ସେତେବେଳେ ୟାହ୍ୟା ସିନୱାରଙ୍କ ମୃତ୍ୟୁ ହୋଇଥିଲା ।

ଇସ୍ରାଏଲ୍ ସେନା ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ସିନୱାରଙ୍କ ଏକ ଭିଡିଓ କ୍ୟାମେରାରେ କଏଦ କରିଥିଲା । ଶେଷ ମୁହୁର୍ତ୍ତରେ ତାଙ୍କ ଅବସ୍ଥା ଏହି ଭିଡିଓରେ ଦେଖିବାକୁ ମିଳୁଛି । ଇସ୍ରାଏଲ୍ ଫୋର୍ସ ଦ୍ୱାରା ଛଡ଼ା ଯାଇଥିବା ଏହି ଭିଡିଓରେ ସିନୱାର ଏକ ସୋଫା ଉପରେ ଏକ ବାଡ଼ି ଧରି ବସି ରହିଥିବାର ଦେଖିବାକୁ ମିଳୁଛି।

ଅଧିକ ପଢ଼ନ୍ତୁ: 'ଜଷ୍ଟିନ ଟ୍ରୁଡୋଙ୍କ ଯୋଗୁ ଭାରତ-କାନାଡ଼ା ସଂପର୍କ ଖରାପ ହେଉଛି'

ବୁଧବାର ଦିନ ପ୍ରାୟ ୧୦ଟାରେ ଆରମ୍ଭ ହୋଇଥିଲା ଏହି ଅପରେସନ । ଯେତେବେଳେ ଇସ୍ରାଏଲର ୪୫୦ତମ ବାଟାଲିଅନର ଜଣେ ସୈନିକ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ କୋଠା ଭିତରକୁ ଯାଇ ବାହାରକୁ ଯାଉଥିବାର ଦେଖିବାକୁ ପାଇଥିଲେ । ଏହି ଖବର ସେ ତାଙ୍କ ସେନାଧ୍ୟକ୍ଷଙ୍କୁ ଜଣାଇଥିଲେ । ଯାହା ପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅପରାହ୍ନ ୩ଟାରେ ଆଇଡିଏଫ୍ ଡ୍ରୋନ୍ ମାଧ୍ୟମରେ ଦେଖିଲେ ଯେ ତିନି ଜଣ ଲୋକ ଗୋଟିଏ ଘରୁ ଅନ୍ୟ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି । ତୃତୀୟ ବ୍ୟକ୍ତି ପଛରେ ଥିବାବେଳେ ଦୁଇଜଣ ବ୍ୟକ୍ତି କମ୍ବଳରେ ଘୋଡ଼ି ହୋଇ ଆଗକୁ ଯାଉଥିଲେ ।

ତେବେ ଇସ୍ରାଏଲ କମାଣ୍ଡର ଏହି ତିନିଜଣଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କୁ ଅଲଗା କରିଦେଲେ । ଦୁଇ ଆତଙ୍କବାଦୀ ଏକ କୋଠାକୁ ପଳାଇଥିଲେ ଏବଂ ତୃତୀୟ ବ୍ୟକ୍ତି ଅନ୍ୟ ଏକ ଅଲଗା ବିଲ୍ଡିଂରେ ପ୍ରବେଶ କରିଥିଲେ । ଏହି ତୃତୀୟ ବ୍ୟକ୍ତି ଜଣକ ଥିଲେ ୟାହ୍ୟା ସିନୱାର । ଅବଶ୍ୟ, ସେତେବେଳେ ଇସ୍ରାଏଲ୍ ସୈନିକମାନେ ଜାଣି ନ ଥିଲେ ଯେ ସେମାନେ ସିନୱାରକୁ ଘେରି ରହିଥିଲେ। ଏହି ସମୟରେ ସିନୱାର ବିଲ୍ଡିଂର ଦ୍ୱିତୀୟ ମହଲାକୁ ଯାଇଥିଲେ । ଆଇଡିଏଫ୍ ଟ୍ୟାଙ୍କ ସାହାଯ୍ୟରେ ତାଙ୍କ ଉପରକୁ ଗୁଳି ଚଳାଇଥିଲା ।

ଯେତେବେଳେ ଇସ୍ରାଏଲ ସେନା ବିଲ୍ଡିଂ ନିକଟରେ ପହଞ୍ଚିଲେ, ତାଙ୍କ ଉପରକୁ ବିଲ୍ଡିଂ ଭିତରୁ ଦୁଇଟି ଗ୍ରେନେଡ୍‌ ଫିଙ୍ଗି ଥିଲେ । ଏହାପରେ ସୈନିକମାନେ ବିଲ୍ଡିଂ ନିକଟରୁ ପଛକୁ ଫେରି ଏକ ଡ୍ରୋନ୍‌ ପଠାଇଥିଲେ । ଡ୍ରୋନ୍‌ ମାଧ୍ୟମରେ ଇସ୍ରାଏଲ ସେନା ବିଲ୍ଡିଂ ଭିତରେ ଜଣେ ଆହତ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ । ଯାହାର ମୁହଁ ଆଚ୍ଛାଦିତ ହୋଇଥିଲା । ସେ କୋଠରୀରେ ଥିବା ଭଗ୍ନାବଶେଷ ମଧ୍ୟରେ ଥିବା ଏକ ସୋଫାରେ ବସିଥିଲେ ଏବଂ ତାଙ୍କ ହାତରେ ଏକ ବାଡ଼ି ଥିଲା । ଯେତେବେଳେ ଡ୍ରୋନ୍‌ ତାଙ୍କ ପାଖରେ ପହଞ୍ଚିଥିଲା, ସେତେବେଳେ ସେ ବାଡ଼ି ଫିଙ୍ଗି ଡ୍ରୋନ୍‌ ଖସାଇ ଦେବାକୁ ଚେଷ୍ଟା କରିଥିଲେ । ତେବେ ଏହା ପରେ ଆଇଡିଏଫ୍‌ ଟ୍ୟାଙ୍କ୍‌ ସାହାଯ୍ୟରେ ବିଲ୍ଡିଂ ଉପରେ ଆକ୍ରମଣ ହୋଇଥିଲା ।

ଇସ୍ରାଏଲର ଗଣମାଧ୍ୟମ ଅନୁଯାୟୀ, ଗୁରୁବାର ସକାଳେ ଯେତେବେଳେ ସୈନିକମାନେ ବିଲ୍ଡିଂରେ ଖୋଜାଖୋଜି ଆରମ୍ଭ କରିଥିଲେ, ସେତେବେଳେ ସେମାନେ ଦେଖିଲେ ଯେ ୟାହ୍ୟା ସିନୱାର ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ସେହି ବିଲ୍ଡିଂରେ ପଡ଼ିଛନ୍ତି । ଏହା ପରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା ଏବଂ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଡିଏନ୍ଏ ଏବଂ ଅନ୍ୟାନ୍ୟ ପରୀକ୍ଷା ଆଧାରରେ ଏହା ନିଶ୍ଚିତ ହୋଇଥିଲା ଯେ ହତ୍ୟା କରାଯାଇଥିବା ଆତଙ୍କବାଦୀ ପ୍ରକୃତରେ ସିନୱାର । ତାଙ୍କ ମୃତଦେହକୁ ସେହି ବିଲ୍ଡିଂର ଭଗ୍ନାବଶେଷରୁ ଇସ୍ରାଏଲକୁ ଅଣାଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now