Advertisment

Israel-Iran Tension: ଇସ୍ରାଏଲ-ଇରାନ ଯୁଦ୍ଧ ବଢ଼ିଲେ କ’ଣ ହେବ ? ଭାରତରେ ତୈଳ ଦର ପ୍ରଭାବିତ ହେବା ଆଶଙ୍କା

ଇରାନରୁ ସିଧାସଳଖ ଆମଦାନୀ କମ୍ ହେଲେ ବି ବିବାଦ ଯୋଗୁଁ ବିଶ୍ୱସ୍ତରରେ ଦରଦାମ ବୃଦ୍ଧି ଅଶୋଧିତ ତୈଳ ଆମଦାନୀର ମୂଲ୍ୟ ବୃଦ୍ଧି କରିବ। ବିଶ୍ୱ ତୈଳର ପ୍ରାୟ ୨୦% ହର୍ମୁଜ ପ୍ରଣାଳୀ ବା ଜଳପଥ ଦେଇ ଗତିକରେ । ଏପରି ସ୍ଥିତିରେ ଏହି ପ୍ରଣାଳୀକୁ ଇରାନ ଦ୍ୱାରା ଅବରୋଧ କରାଗଲେ ପରିବହନ ଆହୁରି ପ୍ରଭାବିତ ହେବ।

author-image
Pragyan Paramita Behera
petrol

petrol

ମଧ୍ୟପ୍ରାଚ୍ୟରେ ମହାସଙ୍କଟ । ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନା କ୍ରମଶଃ ଯୁଦ୍ଧର ମୋଡ଼ ନେଇଛି । ଇସ୍ରାଏଲର 'ଅପରେସନ୍ ରାଇଜିଂ ଲାୟନ୍' ଅଧୀନରେ ଇରାନର ପରମାଣୁ ଏବଂ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି, ଯେଉଁଥିରେ ୯ ଜଣ ଇରାନୀ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି। ଏହାର ଜବାବରେ ଇରାନ ଆରମ୍ଭ କରିଛି 'ଅପରେସନ୍ ଟ୍ରୁ ପ୍ରମିଜ୍ ଥ୍ରୀ' ଏବଂ ଇସ୍ରାଏଲ ଆଡ଼କୁ ୧୫୦ ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

Advertisment

ଇସ୍ରାଏଲ-ଇରାନ ଯୁଦ୍ଧ ସାରା ବିଶ୍ୱ ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି । ଉଭୟ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ନହେଉଣୁ ଅଶୋଧିତ ତୈଳର ମୂଲ୍ୟରେ ବୃଦ୍ଧି ଘଟିଛି ଏବଂ ଏହି ବୃଦ୍ଧି ଭବିଷ୍ୟତରେ ମଧ୍ୟ ଜାରି ରହିବାର ଅନେକ ସମ୍ଭାବନା ରହିଛି । ଏହା ବିଶ୍ୱର ସେୟାର ବଜାରକୁ ମଧ୍ୟ ପ୍ରଭାବିତ କରିଛି । ଆଗାମୀ ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବଢ଼ିଲେ ବିଶ୍ୱ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇପାରେ, ଫଳରେ ବିଶ୍ୱ ସ୍ତରରେ ଦରଦାମ ବୃଦ୍ଧିର ଅନେକ ଆଶଙ୍କା ରହିଛି । ସେପଟେ କିଛି ଦେଶର ଅର୍ଥନୀତି ମନ୍ଥର ମଧ୍ୟ ହୋଇପାରେ ।

ଉଭୟ ଇସ୍ରାଏଲ ଓ ଇରାନ ସହିତ ଭାରତର ବଡ଼ ବ୍ୟାବସାୟିକ ସମ୍ପର୍କ ରହିଛି । ଆମ ଦେଶ ଉଭୟ ଦେଶରୁ ଅନେକ ଜିନିଷ ଆମଦାନୀ କରେ । ଅନ୍ୟପକ୍ଷରେ ଯୁଦ୍ଧ ପାଇଁ ବିଶ୍ୱ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେଲେ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ଦେଖାଯିବ । ଭାରତରେ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହେବା ଯୋଗୁଁ ଦରଦାମ ଆହୁରି ବୃଦ୍ଧି ପାଇପାରେ। ଏହାଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତ ସିଧାସଳଖ ଭାବରେ ଇରାନରୁ ପ୍ରଚୁର ପରିମାଣରେ ଅଶୋଧିତ ତୈଳ ଆମଦାନୀ କରୁନଥିଲେ ସୁଦ୍ଧା ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବା ଯୋଗୁଁ ରପ୍ତାନି ମହଙ୍ଗା ହୋଇପାରେ।

Advertisment

ଷ୍ଟକ ମାର୍କେଟରେ ହଇଚଇ

ଶୁକ୍ରବାର ଦିନ ଭାରତୀୟ ଷ୍ଟକ ମାର୍କେଟରେ ହ୍ରାସ ଦେଖିବାକୁ ମିଳିଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଯୋଗୁଁ ନିବେଶକମାନେ ଭୟଭୀତ ହୋଇ ସେମାନଙ୍କର ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି । ସେନସେକ୍ସ ଏବଂ ନିଫ୍ଟି ଉଭୟ ୦.୭% ହ୍ରାସ ପାଇଛି । ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହୋଇଛି। ଟଙ୍କାର ମୂଲ୍ୟ ୦.୬% ହ୍ରାସ ପାଇ ୮୬.୦୯ ରେ ପହଞ୍ଚିଛି ।

ଭାରତ ପାଇଁ ଟେନସନ କାହିଁକି ?

ବିଶ୍ୱର ଅଶୋଧିତ ତୈଳର ୩% ଉତ୍ପାଦନ କରେ ଇରାନ । କିନ୍ତୁ ଇରାନ ଏବଂ ମଧ୍ୟପ୍ରାଚ୍ୟ ରାସ୍ତା ଦେଇ ଅନେକ ସାମଗ୍ରୀ ଭାରତକୁ ଆସେ। ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଭାରତର ରପ୍ତାନି ୪୦ ରୁ ୫୦ ପ୍ରତିଶତ ମହଙ୍ଗା ହୋଇପାରେ ।

ମହଙ୍ଗା ହୋଇପାରେ ପେଟ୍ରୋଲ ଏବଂ ଡିଜେଲ

ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟ ୧୨% ବୃଦ୍ଧି ପାଇ ବ୍ୟାରେଲ ପିଛା ୭୮.୫ ଡଲାରରେ ପହଞ୍ଚିଥିଲା। କିନ୍ତୁ ପରେ ମୂଲ୍ୟ ହ୍ରାସ ପାଇ ପ୍ରତି ବ୍ୟାରେଲ ୭୫ ଡଲାର ତଳକୁ ଖସି ଆସିଥିଲା । ଇସ୍ରାଏଲ ଇରାନର ତୈଳ ଠିକଣା ଉପରେ ଆକ୍ରମଣ କରିଥିବା ଖବର ଆସିବା ପରେ ଏହି ହ୍ରାସ ଦେଖିବାକୁ ମିଳିଥିଲା। ଇସ୍ରାଏଲ କେବଳ ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ କରିଥିବା ଖବର ଆସିଛି।

ଭାରତ ୮୫ ପ୍ରତିଶତ ଅଶୋଧିତ ତୈଳ ବିଭିନ୍ନ ଦେଶରୁ ଆମଦାନୀ କରେ। ଇରାନରୁ ସିଧାସଳଖ ଆମଦାନୀ କମ୍ ହେଲେ ବି ବିବାଦ ଯୋଗୁଁ ବିଶ୍ୱସ୍ତରରେ ଦରଦାମ ବୃଦ୍ଧି ଅଶୋଧିତ ତୈଳ ଆମଦାନୀର ମୂଲ୍ୟ ବୃଦ୍ଧି କରିବ। ବିଶ୍ୱ ତୈଳର ପ୍ରାୟ ୨୦% ହର୍ମୁଜ ପ୍ରଣାଳୀ ବା ଜଳପଥ ଦେଇ ଗତିକରେ । ଏପରି ସ୍ଥିତିରେ ଏହି ପ୍ରଣାଳୀକୁ ଇରାନ ଦ୍ୱାରା ଅବରୋଧ କରାଗଲେ ପରିବହନ ଆହୁରି ପ୍ରଭାବିତ ହେବ। ଏଥିପାଇଁ ସାରା ବିଶ୍ୱର ନଜର ଏବେ ହର୍ମୁଜ ଜଳପଥ ଉପରେ।

ହର୍ମୁଜ ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ସଂଯୋଗ କରୁଥିବା ଏକ ଜଳପଥ। ଏହାର ଉତ୍ତରରେ ଇରାନ ଏବଂ ଦକ୍ଷିଣରେ ଓମାନ ଅବସ୍ଥିତ। ଏହି ପ୍ରଣାଳୀ ୧୬୭ କିଲୋମିଟର ଲମ୍ବା ଏବଂ ଏହାର ପ୍ରସ୍ଥ ୩୩ ରୁ ୬୦ କିଲୋମିଟର । ଏହା ଏକ ସଂକୀର୍ଣ୍ଣ କିନ୍ତୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଜଳପଥ । ହର୍ମୁଜ ଜଳପଥ ଦେଇ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ଓ ତୈଳଜାତ ସାମଗ୍ରୀ ପରିବହନ ହୁଏ । ଅନ୍ୟପଟେ ହର୍ମୁଜ୍ ଜଳପଥ ଦେଇ ପ୍ରତିଦିନ ପ୍ରାୟ ୨୦ ନିୟୁତ ବ୍ୟାରେଲ ତୈଳ ଏବଂ ତୈଳ ଉତ୍ପାଦ ଆମଦାନୀ ଓ ରପ୍ତାନୀ କରାଯାଏ । ତେଣୁ ଏହି ଜଳପଥକୁ ଅବରୋଧ କରାଯିବା ଅର୍ଥ ବିଶ୍ୱ ବଜାର ମହଙ୍ଗା ହୋଇଯିବା ସହ ଅର୍ଥନୀତି ଦୁର୍ବଳ ହୋଇଯିବ।

ପୂର୍ବରୁ ଯେତେବେଳେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା, ଏହାର ପ୍ରଭାବ ସିଧାସଳଖ ଦରଦାମ ଉପରେ ପଡ଼ିଥିଲା । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସିଧାସଳଖ ଇନ୍ଧନ ଖର୍ଚ୍ଚ ବୃଦ୍ଧି ଏବଂ ମାଲ ପରିବହନ ମୂଲ୍ୟ ବୃଦ୍ଧିକୁ ବୁଝାଏ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଯଦି ଦୀର୍ଘ ସମୟ ଧରି ଜାରି ରହେ କିମ୍ବା ଯୁଦ୍ଧରେ ପରିଣତ ହୁଏ, ତେବେ ଏହାର ପ୍ରଭାବ ଗ୍ୟାସ ଏବଂ ତୈଳ ବଜାର ଉପରେ ଦୀର୍ଘକାଳୀନ ପଡିବ।

ଅଧିକ ପଢ଼ନ୍ତୁ: କାଶିମ ସୋଲେମାନିଙ୍କ ହତ୍ୟା ପରେ ତେହରାନର ବଡ ଟାର୍ଗେଟ ଡୋନାଲ୍ଡ ଟ୍ରମ୍ପ: ନେତାନ୍ୟାହୁଙ୍କ ବଡ ବୟାନ

ତେବେ ଇରାନରୁ ଉତ୍ପନ୍ନ ହେଉଥିବା ଅଧିକାଂଶ ତୈଳ ରପ୍ତାନି କରାଯାଏ ଏବଂ ଏହି ଜଳପଥ ଦ୍ୱାରା ଇରାନ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଆମଦାନୀ କରେ। ଏହାକୁ ବନ୍ଦ କରିବା ଦ୍ୱାରା ଇରାନର ନିଜସ୍ୱ ଅର୍ଥନୀତି ଦୁର୍ବଳ ହେବ ଏବଂ ଚୀନ୍ ଭଳି ପ୍ରମୁଖ ଅଂଶୀଦାର ହାତଛଡ଼ା ହୋଇଯାଇପାରନ୍ତି । ଇରାନରୁ ପ୍ରାୟ ୭୫% ରୁ ଅଧିକ ଅଶୋଧିତ ତେଲ କିଣେ ଚୀନ । ଇରାନ ପୂର୍ବରୁ ଅନେକ ଥର ଜଳପଥ ବନ୍ଦ କରିବା ପାଇଁ ଧମକ ଦେଇଛି, କିନ୍ତୁ କେବେ ଅବରୋଧ କରିନାହିଁ।

ବିମାନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ

ପାକିସ୍ତାନର ଆକାଶପଥ ଭାରତ ପାଇଁ ପୂର୍ବରୁ ବନ୍ଦ ହୋଇସାରିଛି । ଯୁଦ୍ଧ ପାଇଁ ଇରାନ ଆକାଶପଥ ବନ୍ଦ କରିଦେଲେ ବିମାନ ଖର୍ଚ୍ଚ ମଧ୍ୟ ଶତ ପ୍ରତିଶତ ବୃଦ୍ଧି ପାଇବ । ଯଦ୍ୱାରା ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପ୍ରଭାବିତ ହେବେ ଏବଂ ଯାତ୍ରୀମାନଙ୍କ ପାଇଁ ଟିକେଟ ମହଙ୍ଗା ହୋଇପାରେ।

ଇରାନ ଓ ଇସ୍ରାଏଲ ସହିତ ଭାରତର ବ୍ୟବସାୟ କେତେ ?

ବାଣିଜ୍ୟ ଦୃଷ୍ଟିରୁ ଭାରତ ପାଇଁ ଉଭୟ ଇରାନ ଏବଂ ଇସ୍ରାଏଲ ଗୁରୁତ୍ୱପୂର୍ଣ୍ଣ । ଭାରତର ଏହି ଦୁଇ ଦେଶ ସହ ଭଲ ବାଣିଜ୍ୟିକ କାରବାର ରହିଛି । ୨୦୨୫ ଆର୍ଥିକ ବର୍ଷରେ ଭାରତ ଇସ୍ରାଏଲକୁ ୨.୧ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିବା ବେଳେ ୧.୬ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଛି । ସେହିପରି ଭାରତ ଇରାନକୁ ୧.୨ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି ଏବଂ ୪୪୧.୯ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଛି । ଭାରତ ଉଭୟ ଦେଶ ସହିତ ପ୍ରତିବର୍ଷ ପ୍ରାୟ ୫ ବିଲିୟନ ଡଲାର ମୂଲ୍ୟର

ବାଣିଜ୍ୟ କରେ।

ଇସ୍ରାଏଲରୁ କ’ଣ କ’ଣ ଆମଦାନୀ କରେ ଭାରତ?

ଇସ୍ରାଏଲରୁ ବହୁ ପରିମାଣର ସାମରିକ ଅସ୍ତ୍ରଶସ୍ତ୍ର ଆମଦାନୀ କରେ ଭାରତ । ଇସ୍ରାଏଲ ହେଉଛି ଭାରତର ୩୨ତମ ବୃହତ ବାଣିଜ୍ୟିକ ଅଂଶୀଦାର ଏବଂ ଏକ ପ୍ରମୁଖ ପ୍ରତିରକ୍ଷା ଯୋଗାଣକାରୀ । ଗତ ୧୦ ବର୍ଷ ମଧ୍ୟରେ ଇସ୍ରାଏଲରୁ ପ୍ରାୟ ୩ ବିଲିୟନ ଡଲାର ମୂଲ୍ୟର ସାମରିକ ହାର୍ଡୱେୟାର ଆମଦାନୀ କରିଛି ଭାରତ, ଯେଉଁଥିରେ ରାଡାର, ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସାମିଲ ରହିଛି । କେବଳ ଏତିକି ନୁହେଁ ଇସ୍ରାଏଲରୁ ମୁକ୍ତା, ମୂଲ୍ୟବାନ ପଥର, ଇଲେକ୍ଟ୍ରୋନିକ୍ସ ଉପକରଣ, ସାର, ରାସାୟନିକ ଉତ୍ପାଦ ମଧ୍ୟ ଆମଦାନୀ କରେ ଭାରତ । ଅନ୍ୟପକ୍ଷରେ ଭାରତ ଇସ୍ରାଏଲକୁ ହୀରା, ଅଳଙ୍କାର, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ଯୋଗାଇଥାଏ।

ଭାରତ ଇରାନରୁ କଣ ଆମଦାନୀ କରେ?

ଇସ୍ରାଏଲ ବ୍ୟତୀତ ଭାରତର ଇରାନ ସହିତ ମଧ୍ୟ ବାଣିଜ୍ୟିକ ସମ୍ପର୍କର ରହିଛି । ଅଶୋଧିତ ତୈଳ, ରାସାୟନିକ ପଦାର୍ଥ ଏବଂ କାଚ ସାମଗ୍ରୀ ଇରାନରୁ ଭାରତକୁ ଆସେ । ସେହିପରି ଭାରତରୁ ଇରାନକୁ ବାସୁମତୀ ଚାଉଳ ରପ୍ତାନୀ କରାଯାଏ । ଇରାନ ବାସୁମତୀ ଚାଉଳର ଏକ ବଡ଼ ଆମଦାନୀକାରୀ। ବାସୁମତୀ ଚାଉଳ ବ୍ୟତୀତ, ଭାରତ ଇରାନକୁ ଚା, କଫି ଏବଂ ଚିନି ମଧ୍ୟ ରପ୍ତାନି କରେ।

ଅଧିକ ପଢ଼ନ୍ତୁ: ସବୁଠୁ ବଡ଼ ସୁନା ଖଣିର ସନ୍ଧାନ, ବିଶ୍ବ ମାଇନିଂ ବଜାରରେ ହଲଚଲ

Tension Israel India-Iran Relationship
Advertisment
Advertisment