Sunita Williams: ସୁନୀତାଙ୍କ ଘରବାହୁଡ଼ା ପରେ ଆଶ୍ୱସ୍ତ ବିଶ୍ୱ; ଏମିତି କଟିବ ସୁନୀତାଙ୍କ ଆଗାମୀ ୪୫ ଦିନ

ସୁନୀତା ୱିଲିୟମ୍ସ ଓ ଅନ୍ୟ ୩ ମହାକାଶଚାରୀଙ୍କୁ ଧରି ଉଲ୍‌କା ଭଳି ଖସିଥିଲା କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ । ଆକାଶର ଛାତି ଚିରି କ୍ଷୀପ୍ର ଗତିରେ ଅଗ୍ନିପିଣ୍ଡ ଭଳି ଖସିଥିଲା ପ୍ରାୟ ୧ ଟନ୍ ଓଜନର ମହାକାଶଯାନ ।

ଫେରିଲେ ସୁନୀ ଡେଇଁଲେ ଡଲଫିନ୍ ।

ସୁନୀତାଙ୍କ ଘରବାହୁଡ଼ା ପରେ ଆଶ୍ବସ୍ତ ବିଶ୍ବ । ୯ ମାସ ମହାକାଶରେ କାଟିବା ପରେ ପୃଥିବୀକୁ ସୁରକ୍ଷିତ ଫେରି ଆସିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଏବଂ ଅନ୍ୟ ୩ ମହାକାଶଚାରୀ ।

ନିର୍ଦ୍ଧାରିତ ଯୋଜନା ମୁତାବକ ୧୭ ଘଣ୍ଟାର ମହାକାଶ ଯାତ୍ରା ସାରି, ଫ୍ଲୋରିଡ଼ା ତଟରେ ଭାରତୀୟ ସମୟ ଭୋର୍ ପ୍ରାୟ ସାଢ଼େ ୩ଟାରେ ସଫଳ ହେଲା ସ୍ପେଶ୍ କ୍ୟାପସୁଲର ଲ୍ୟାଣ୍ଡିଂ । ସୁନୀତା ଫେରିବା ପରେ ଭାରତର ବିଭିନ୍ନ ସ୍ଥାନରେ ସେଲିବ୍ରେସନ୍ ଦେଖିବାକୁ ମିଳିଥିବା ବେଳେ, ଖୁବଶୀଘ୍ର ସେ ଭାରତକୁ ଆସିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଆସନ୍ତୁ ଜାଣିବା ସୁନୀତାଙ୍କ ପୃଥିବୀକୁ ଫେରିବାର ପୂରା ଘଟଣା ଏବଂ କେମିତି କଟିବ ଆଗାମୀ ସ୍ବତନ୍ତ୍ର ୪୫ ଦିନ...

ଭଲରେ ଫେରିଲେ,ମୁରୁକି ହସିଲେ, ହାତ ହଲାଇ ଖୁସି ଜାହିର କଲେ ସୁନୀତା ।ସୁନୀତା ୱିଲିୟମ୍ସ ଓ ଅନ୍ୟ ୩ ମହାକାଶଚାରୀଙ୍କୁ ଧରି ଉଲ୍‌କା ଭଳି ଖସିଥିଲା କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ । ଆକାଶର ଛାତି ଚିରି କ୍ଷୀପ୍ର ଗତିରେ ଅଗ୍ନିପିଣ୍ଡ ଭଳି ଖସିଥିଲା ପ୍ରାୟ ୧ ଟନ୍ ଓଜନର ମହାକାଶଯାନ । ପ୍ରାୟ ୧୮ହଜାର ଫୁଟ୍ ଉଚ୍ଚତାରେ, ଏହାର ବେଗ କମାଇବାକୁ ଖୋଲିଥିଲା ୨ଟି ଛୋଟ ଡ୍ରଗ୍ ପାରାସୁଟ୍ । କିଛି ସମୟ ପରେ ସେ ଦୁଇଟି ଅଲଗା ହୋଇ , ୬ହଜାର ଫୁଟ୍ ଉଚ୍ଚତାରେ ଖୋଲିଥିଲା ୪ଟି ବିଶାଳ ମେନ୍ ପାରାସୁଟ୍ ।

ଅଧିକ ପଢ଼ନ୍ତୁ: ସ୍ୱାଧୀନତା ପରେ କେମିତି ହୋଇଥିଲା ସେନା ବିଭାଜନ ? ଭାରତକୁ ମିଳିଲା କେତେ ସୈନିକ, କେତେ ଯାଇଥିଲେ ପାକିସ୍ତାନକୁ

ଧିରେ ଧିରେ ଏହା ସମୁଦ୍ରରେ ଖସି ପାଣିରେ ଭାସିବା ବେଳକୁ, ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ଅନ୍ତରୀକ୍ଷ ପରୀ ସୁନୀତାଙ୍କୁ ସ୍ବାଗତ କରିଥିଲେ ଅଥଳ ସମୁଦ୍ରର ଦୂତ ଡଲଫିନ୍ । ସତେ ଯେମିତି ମହାକାଶର ହାଲଚାଲ୍ ପଚାରିବାକୁ ଚାହୁଁଥିଲେ ମହାସାଗରର ଏହି ବୁଦ୍ଧିଆ ଜୀବ । ଆମେରିକା ଫ୍ଲୋରିଡ଼ାର ଟାଲାହାସି ତଟରେ ଭାରତୀୟ ସମୟ ଭୋର୍ ପ୍ରାୟ ସାଢ଼େ ୩ଟାରେ ସଫଳ ହୋଇଥିଲା ସଫ୍ଟ ଲ୍ୟାଣ୍ଡିଂ । ତୁରନ୍ତ ସେହି ସ୍ଥାନକୁ ଛୁଟି ଯାଇଥିଲା ରେସ୍କ୍ୟୁ ଭେସେଲ୍ । ଉଦ୍ଧାରକାରୀମାନେ ପ୍ରଥମେ ଏକ ଛୋଟ ବୋଟ୍‌ରେ ଯାଇ ସମୁଦ୍ର ମଝିରୁ ସ୍ପେଶ୍ କ୍ୟାପସୁଲକୁ ଟାଣିଟାଣି ଜାହାଜକୁ ଆଣିଥିଲେ । ଆଉ ତା'ପରେ ସେଥିରୁ ହସହସ ମୁହଁରେ ବାହାରିଥିଲେ ଜଣଙ୍କ ପରେ ଜଣେ ମହାକାଶଚାରୀ ।

୯ ମାସ ମହାଶୂନ୍ୟରେ ଭାସିବା ପରେ, ପୃଥିବୀ ଆକର୍ଷଣର ପ୍ରଥମ ଅନୁଭବ ପାଇଲେ ସୁନୀତା । ଯେମିତି କୁହାଯାଉଥିଲା, ଠିକ୍ ସେମିତି ହେଲା । ଏକ ଷ୍ଟ୍ରେଚରରେ ବସାଇ ସୁନୀତାଙ୍କ ସମେତ ୪ ମହାକାଶଚାରୀଙ୍କୁ ଉଦ୍ଧାର କରାଯାଇଥିଲା । କାରଣ ମହାକାଶରୁ ପୃଥିବୀକୁ ଆସିବା ପରେ, ସେମାନଙ୍କ ପକ୍ଷେ ଚାଲିବା ତ ଦୂରର କଥା ଠିଆ ହେବା ବି ସମ୍ଭବ ନଥିଲା ।

ପୃଥିବୀରେ ଚଳପ୍ରଚଳ ପାଇଁ ସ୍ବାଭାବିକ ହେବାକୁ ହ୍ୟୁଷ୍ଟନରେ ତାଙ୍କୁ ୪୫ ଦିନ ରିହାବିଲିଟେସନ୍ ପିରିୟଡ୍ କାଟିବାକୁ ପଡ଼ିବ । ଦିନକୁ ୨ ଘଣ୍ଟା ଲେଖାଏଁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ କରିବାକୁ ଚେଷ୍ଟା କରିବେ ଆଷ୍ଟ୍ରନଟ୍ ଷ୍ଟ୍ରେଙ୍ଗଥ୍, କଣ୍ଡିସନିଂ ଆଣ୍ଡ୍ ରିହାବିଲିଟେସନ୍-ASCR ସ୍ପେଶାଲିଷ୍ଟ୍ । ମହାକାଶଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ, ଆବଶ୍ୟକତା ଅନୁଯାୟୀ ପ୍ରଥମେ ଠିଆ ହେବା, ଚଳପ୍ରଚଳ କରିବା ଏବଂ ମାଂସପେଶୀର ବଳ ଫେରାଇ ଆଣିବା ଉପରେ ଗୁରୁତ୍ବ ଦିଆଯିବ ।

ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ବ୍ୟାୟାମ ଓ ରକ୍ତ ସଞ୍ଚାଳନ ସ୍ବାଭାବିକ କରିବା ଉପରେ ଫୋକସ୍ ରହିବ । ତୃତୀୟ ପର୍ଯ୍ୟାୟ ସବୁଠୁ ଲମ୍ବା ଅବଧି । ଏଥିରେ ମହାକାଶଚାରୀମାନେ ଯେପରି ଦୈନନ୍ଦିନ ତଥା ବୃତ୍ତିଗତ କାର୍ଯ୍ୟ କରିପାରିବେ । ସେଥିପାଇଁ ସେମାନଙ୍କୁ ପୂରା ଫିଟ୍ କରାଯିବ ।

ଅପରପକ୍ଷେ ଏହି ଭାରତୀୟ ବଂଶୋଦ୍ଭବଙ୍କ ସୁରକ୍ଷିତ ପୃଥିବୀ ପ୍ରତ୍ୟାବର୍ତ୍ତନ ପରେ, ଭାରତର ବିଭିନ୍ନ ସ୍ଥାନରେ ହୋଇଛି ସେଲିବ୍ରେସନ୍ । ବାଣ ଫୁଟିଛି, ବାଜା ବାଜିଛି, ନାଚଗୀତରେ ଝୁମିଛନ୍ତି ସୁନୀଙ୍କ ଶୁଭେଚ୍ଛୁ । ଖାସ୍ କରି ସୁନୀତାଙ୍କ ମୂଳ ଗାଁ ଗୁଜରାଟର ମହେସାଣାରେ ଉତ୍ସବମୁଖର ପରିବେଶ । ସ୍ପେଶ୍ ଏକ୍ସ ନିର୍ମିତ କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲରେ ସୁନୀତା ପୃଥିବୀକୁ ଫେରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ପେଶ୍ ଏକ୍ସ ମୁଖ୍ୟ ଏଲନ୍ ମସ୍କ । ହ୍ବାଇଟହାଉସ୍ ପକ୍ଷରୁ ସୋସିଆଲ ମିଡିଆରେ ଆମେ କଥା ଦେଲୁ ଓ କଥା ରଖିଲୁ ବୋଲି କୁହାଯାଇଛି ।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ୍ ମିଡିଆ Xରେ କ୍ରୁ ନାଇନକୁ ସ୍ବାଗତ କରି ଲେଖିଛନ୍ତି , ଏହା ସେମାନଙ୍କ ଧୈର୍ଯ୍ୟ, ସାହସ ଓ ଅସୀମ ଭାବନାର ପରୀକ୍ଷା ଥିଲା । କ୍ରୁ ନାଇନ୍ ମହାକାଶଚାରୀମାନେ ପୁଣିଥରେ ଏହା କରି ଦେଖାଇଛନ୍ତି ଯେ, ଦୃଢ଼ତାର ପ୍ରକୃତ ଅର୍ଥ କ'ଣ । ବିଶାଳ ଅଜଣା ପରିସ୍ଥିତିର ସାମ୍ନାରେ ସେମାନଙ୍କ ଅଟଳ ନିଷ୍ଠା ସର୍ବଦା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ହେବ । ଇସ୍ରୋ ମଧ୍ୟ ୱେଲକମ୍ ବ୍ୟାକ୍ ବୋଲି ଲେଖିଛି । ଏସବୁ ଭିତରେ ଚର୍ଚ୍ଚା ହେଉଛି ଯେ, ଖୁବଶୀଘ୍ର ଭାରତକୁ ଆସିପାରନ୍ତି ସୁନୀତା ୱିଲିୟମ୍ସ ।

ଅଧିକ ପଢ଼ନ୍ତୁ: ୯ ମାସ ପରେ ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ, ଭାରତ ଆସିବା ପାଇଁ ମୋଦିଙ୍କ ଆମନ୍ତ୍ରଣ