• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମସ୍କୋ: ପୁଣି ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ । ବ୍ଲାଷ୍ଟ ହେଲା କାର୍‌ର ଆଗ ଚକା । ଧୁଆଁ ମୟ ହୋଇଗଲା ପରିବେଶ । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଛନ୍ତି । ସେ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ତାଙ୍କ କାର୍‌ର ଆଗ ଚକା ବ୍ଲାଷ୍ଟ ହୋଇଥିଲା । ପରେ ଚାରିଆଡ଼େ ଧୁଆଁ ବ୍ୟାପି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ ପୁଟିନ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଏନେଇ ବ୍ରିଟେନ୍‌ ଗଣମାଧ୍ୟମ ଦ ମିରରରେ ଖବର ପ୍ରକାଶ ପାଇଛି ।

ପୂର୍ବରୁ ମଧ୍ୟ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିବା କିଛି ଅଭିଯୁକ୍ତଙ୍କୁ ପୁଟିନ୍‌ଙ୍କ ସୁରକ୍ଷାକର୍ମୀମାନେ ଗିରଫ ମଧ୍ୟ କରିଛନ୍ତି । ଏହି ଦୁର୍ଘଟଣା ଚଳିତ ସପ୍ତାହର । ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।

ତିନି ନମ୍ବର ଗାଡ଼ିରେ ଥିଲେ ପୁଟିନ୍

ସୁରକ୍ଷା ଦୃଷ୍ଟିରୁ ପୁଟିନଙ୍କୁ ଏକ ଅଜଣା ତାରିଖରେ ତାଙ୍କର ସରକାର ବାସଭବନକୁ ନିଆଯାଉଥିଲା । ଏଥିପାଇଁ ୫ଟି କାର ବାହାରିଥିଲା । ୩ ନମ୍ବର କାର୍‌ରେ ପୁଟିନ୍‌ ବସିଥିଲେ । ତେବେ ରାସ୍ତାରେ ଯାଉଥିବା ବେଳେ ଅଚାନକ ଏକ ଆମ୍ବୁଲାନ୍ସ ଆସି ପ୍ରଥମ କାର୍‌କୁ ବ୍ଲକ୍‌ କରିଥିଲା । ଏହା ଦେଖି ଦ୍ୱିତୀୟ କାର୍‌ ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଖଟାଇ, ଗାଡ଼ିକୁ ନଅଟକାଇ ଏଣେ ତେଣେ ଚଲାଇବାକୁ ଲାଗିଲା ।

ଏହାର ମାତ୍ର କିଛି ମିନିଟ୍‌ ଭିତରେ ପୁଟିନ୍‌ ବସିଥିବା ତିନି ନମ୍ବର କାର୍‌ର ଆଗ ପଟର ବାମ ଚକା ହଠାତ୍‌ ବ୍ଲାଷ୍ଟ ହୋଇଥିଲା । ଏହାପରେ ପୁରା ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା । ଏହି ଘଟଣା ପୁଟିନ୍‌ଙ୍କ ଆବାସଠାରୁ ମାତ୍ର କିଛି କିଲୋମିଟର ଦୂରରେ ଘଟିଥିଲା । ତେବେ ଏହି ଆକ୍ରମଣ ପରେ ମଧ୍ୟ ପୁଟିନ୍‌ ସୁରକ୍ଷିତ ଭାବେ ନିଜ ଆବାସରେ ପହଞ୍ଚିସାରିଛନ୍ତି । ଏହି ଘଟଣା ପରେ ପୁଟିନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କିଛି କର୍ମୀଙ୍କୁ ଓ ଟିମ୍‌ ମୁଖ୍ୟଙ୍କୁ ଅଟକ ରଖାଯାଇଛି ।

ପୂର୍ବରୁ ମଧ୍ୟ ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ସୂଚନାଯୋଗ୍ୟ, ଋଷରେ ଏବେ ଧିରେ ଧିରେ ରାଜନୈତିକ ଅସ୍ଥିରତା ଦେଖାଦେଲାଣି । ଗୋଟିଏ ପଟେ ଦୀର୍ଘ ଦିନ ଧରି ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଏବେ ଶୁଣିବାକୁ ମିଳୁଛି ଯେ, ଋଷର ଅନେକ ସରକାରୀ ଅଧିକାରୀ ପୁଟିନ୍‌ଙ୍କ ଇସ୍ତଫା ଦାବି କରୁଛନ୍ତି । ୬୫ରୁ ଅଧିକ ମୁନିସିପାଲ ପ୍ରତିନିଧି ମଧ୍ୟ ପୁଟିନ୍‌ଙ୍କଠାରୁ ଇସ୍ତଫା ଦାବି କରିଛନ୍ତି ।

ସେମାନେ କହିଛନ୍ତି ଯେ, ୟୁକ୍ରେନର କାଉଣ୍ଟର ଆଟାକ୍‌ ଫଳରେ ଦେଶକୁ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି । ଯୁଦ୍ଧ ଫଳରେ ଦେଶ ଉପରେ ଅନେକ କୁପ୍ରଭାବ ପଡ଼ିଛି । ଆର୍ଥିକ ସ୍ଥିତିରେ ଋଷ ଦୁର୍ବଳ ହେବାକୁ ବସିଛି ବୋଲି ଅନେକ ଦାବି କଲେଣି ।

ଗତ ମାସରେ ଏକ କାରରେ ବୋମା ବିସ୍ଫୋରଣ ଫଳରେ ପୁଟିନଙ୍କ ଜଣେ ବନ୍ଧୁଙ୍କ ଝିଅର ମୃତ୍ୟୁ ହୋଇଥିଲା । ପୁଟିନଙ୍କ 'ଯୁଦ୍ଧ ମାଷ୍ଟରମାଇଣ୍ଡ' ଆଲେକ୍ସଜାଣ୍ଡାର୍ ଡୁଗିନ୍‌ଙ୍କ ଝିଅ ଡାରିଆ ଡୁଗିନାଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କ ପିତା ଏହି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଛନ୍ତି।