• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଭାରତ-ଆମେରିକା ସମ୍ପର୍କଠାରୁ ଆରମ୍ଭ କରି ୟୁକ୍ରେନ-ରୁଷ ଯୁଦ୍ଧ, ବାଣିଜ୍ୟ ଶୁଳ୍କ, ବେଆଇନ ଶରଣାର୍ଥୀ ପ୍ରତ୍ୟର୍ପଣ ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭାରତ-ଆମେରିକା ସମ୍ପର୍କରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ଏହି ସମ୍ପର୍କ ଆହୁରି ଦୃଢ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ ଓ ମୋଦି । 

ଏହି ଅବସରରେ ପିଏମ୍ ମୋଦି କହିଛନ୍ତି, ଭାରତ-ଆମେରିକା ସମ୍ପର୍କ ଅତୁଟ । ଭାରତର ସ୍ବାର୍ଥ ପ୍ରଥମେ, ତାପରେ ଯାହା । ତା'ସହ ରୁଷ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ମୋଦି କହିଛନ୍ତି, ବର୍ତ୍ତମାନ ଯୁଗ ଯୁଦ୍ଧର ସମୟ ନୁହଁ । ଦୁଇ ଦେଶ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ଏମିତିକି ଏ କଥା ସେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଭାରତ ସାରା ବିଶ୍ବରେ ଶାନ୍ତି କାମନା କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପଢନ୍ତୁ ଏହି ଖବର: ଆମେରିକାର ଶରଣ ପଶୁଛନ୍ତି ଭାରତୀୟ, ୫ ବର୍ଷରେ ବଢ଼ିଛି ଏତିକି ହଜାର

ଏପଟେ ଖୁବଶୀଘ୍ର ଯୁଦ୍ଧ ସମାପ୍ତ କରିବା ଲାଗି ଆଗକୁ ବଢୁଛୁ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସେହିପରି ବାଣିଜ୍ୟ ଶୁଳ୍କ ପ୍ରସଙ୍ଗ ବି ଦ୍ୱିପାକ୍ଷିକ ଆଲୋଚନାରେ ସ୍ଥାନ ପାଇଛି । ଯେଉଁ ଦେଶ ଆମେରିକା ଉପରେ ଯେତିକି ଶୁଳ୍କ ଲଗାଉଛନ୍ତି, ସେହି ଦେଶ ଉପରେ ସମାନ ପନ୍ଥା ଆପଣାଇବାକୁ କହିଛନ୍ତି ଟ୍ରମ୍ପ । 

ମୋଦିଙ୍କୁ ଆଲିଙ୍ଗନ କଲେ ଟ୍ରମ୍ପ:  

ଏହି ଅବସରରେ ପିଏମ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଛି । ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଇଛି । ଏମିତିକି ଏହି ସମୟରେ ଟ୍ରମ୍ପ ବାରମ୍ବାର ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆମେ ତୁମକୁ ବହୁତ ମିସ୍ କରୁଥିଲୁ । ଆମେରିକା ହେଉଛି ବିଶ୍ବରେ ସବୁଠୁ ପୁରୁଣା ଗଣତନ୍ତ୍ର ରାଷ୍ଟ୍ର । ହେଲେ ଭାରତ ହେଉଛି ବିଶ୍ବର ସବୁଠୁ ବଡ ଗଣତନ୍ତ୍ର ରାଷ୍ଟ୍ର । ତେଣୁ ଯେତେବେଳେ ଭାରତ ଓ ଆମେରିକା ଏକାଠି ହେବେ ସେତେବେଳେ ୱାନ ପ୍ଲସ ଓ୍ୱାନ ଦୁଇ ନୁହେଁ, ୧୧ ହୋଇଯିବ । ଏହା ହେଉଛି ପାଓ୍ୱାର ଅଫ୍ ଇଲେଭେନ ବୋଲି ମୋଦି କହିଛନ୍ତି । ତେଣୁ ସମୃଦ୍ଧି ପାଇଁ ଉଭୟ ଦେଶ ଆଗକୁ ବଢିବା ନେଇ ଆଶା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୨୦୩୦ ସୁଦ୍ଧା ଆମେରିକା-ଭାରତ ବାଣିଜ୍ୟ କାରବାର ଦୁଇଗୁଣା: 

ଏଥିସହ ମେକ ଆମେରିକା ଗ୍ରେଟ୍ ଏଗେନ ମାନେ ମାଗା । ଆମେରିକା ଲୋକ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ମୋଟୋ MAGA ସହ ପରିଚିତ । ଭାରତର ଲୋକ ବି ବିକାଶ ନେଇ ଗତିଶୀଳ । ଦିକ୍ଷିତ ଭାରତ ଅର୍ଥ ମେକ ଇଣ୍ଡିଆ ଗ୍ରେଟ୍ ଏଗେନ ବା ମିଗା । ମାଗା ପ୍ଲସ ମିଗା ଯେତେବେଳେ ମିଶିଯିବେ ସେତେବେଳେ ସମୃଦ୍ଧି ଲାଗି ମେଗା ପାର୍ଟନରସିପ ହୋଇଯିବ । ଆସନ୍ତା ୨୦୩୦ ସୁଦ୍ଧା ଆମେରିକା ଭାରତ ମଧ୍ୟରେ ବାଣିଜ୍ୟ କାରବାର ଦୁଇଗୁଣା କରାଯିବାକୁ ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଜଣାଇଛନ୍ତି । 

ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ଏହା ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ । ଗତକାଲି ରାତିରେ ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟି ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ପିଏମ୍ ମୋଦି । ଗତ ଜାନୁୟାରୀ ୨୦ ତାରିଖରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଶପଥ ନେବାର ମାସେ ମଧ୍ୟରେ ଆମେରିକା ଓ ଭାରତ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । 

 ବେଆଇନ ଇମିଗ୍ରେସନ ପ୍ରସଙ୍ଗରେ ଆଲୋଚନା: 

ବେଆଇନ ଇମିଗ୍ରେସନ ପ୍ରସଙ୍ଗରେ ମୋଦି କହିଛନ୍ତି ଯେ, ଯେଉଁମାନେ ବେଆଇନ ଭାବେ ଅନ୍ୟ ଦେଶରେ ରହୁଛନ୍ତି, ସେମାନଙ୍କର କୌଣସି ଆଇନଗତ ଅଧିକାର ନାହିଁ ।  ଯଦି ସେମାନେ କୌଣସି ଭାରତୀୟ ଶରଣାର୍ଥୀ ବେଆଇନ ଭାବେ ଆମେରିକାରେ ରହୁଛନ୍ତି, ତେବେ ଭାରତ ସେମାନଙ୍କୁ ନେବାକୁ ପ୍ରସ୍ତୁତ । ସେମାନଙ୍କୁ ବଡ ବଡ ସ୍ବପ୍ନ ଦେଖାଇ କେହି ସେଠାକୁ ନେଇଛନ୍ତି । ତେଣୁ ମିଳିତ ଭାବେ ଏ କ୍ଷେତ୍ରରେ ଭାରତ ଓ ଆମେରିକାର ପ୍ରୟାସ ରହିବା ଉଚିତ । 

 ଭାରତ ଆସିବ ୨୬/୧୧ ଅଭିଯୁକ୍ତ: 

ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ଭାରତ ସହ ଭଲ ସଂପର୍କ ଥିଲା ବୋଲି ମୁଁ ଭାବୁନି । ଏହା କହିଛନ୍ତି ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏମିତିକି ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀଙ୍କ କଥା ମଧ୍ୟ ସେ ଉଠାଇଛନ୍ତି । ୨୬/11 ମୁମ୍ବାଇ ବିସ୍ଫୋରଣ ଘଟଣାରେ ଅନ୍ୟତମ ଅଭିଯୁକ୍ତ ତହଓ୍ୱର ରାଣାଙ୍କୁ ମଧ୍ୟ ଭାରତକୁ ପ୍ରତ୍ୟାର୍ପଣ ନେଇ କହିଛନ୍ତି ଟ୍ରମ୍ପ । 

ଭାରତକୁ ସାମରିକ ସହାୟତା ଯୋଗାଇବ ଆମେରିକା:

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଚଳିତ ବର୍ଷଠାରୁ ଆମେରିକା ଭାରତକୁ ଅନେକ କୋଟି ଡଲାରରେ ସାମରିକ ଜିନିଷ ଯୋଗାଇବ । F35 ଷ୍ଟିଲଥ୍ ଫାଇଟର ସାମରିକ ବିମାନ ଯୋଗାଇବ । 

ତେବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହଁନ୍ତି, ବୈଦେଶିକ ବ୍ୟାପାର ଏସ. ଜୟଶଙ୍କରଙ୍କ ସହ ଭାରତରୁ ପ୍ରତିନିଧି ମଣ୍ଡଳୀ ଆମେରିକା ଗସ୍ତ କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଆମେରିକାର ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ବାତ୍ରା ପ୍ରମୁଖଙ୍କୁ ହ୍ବାଇଟ ହାଉସରେ ଦେଖିବାକୁ ମିଳିଥିଲା । 

ପରିବାର ସହ ପିଏମ୍ ମୋଦିଙ୍କୁ ଭେଟିଲେ ମସ୍କ:

ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ଭିଭିଆଇପିଙ୍କ ସହ ପିଏମ୍ ମୋଦିଙ୍କ ଭେଟଘାଟ ହୋଇଥିଲା । ୱାସିଂଟନ୍ ଡିସିର ବ୍ଲେୟାର ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଟେସଲା ପ୍ରତିଷ୍ଠାତା ତଥା ସୋସିଆଲ ମିଡିଆ ଏକ୍ସ ମୁଖ୍ୟ ଏଲନ ମସ୍କ । ମୋଦି ବ୍ଲେୟାର ହାଉସରେ ରହିଥିବା ବେଳେ ମସ୍କ ନିଜ ପରିବାର ସହ ଯାଇ ସାକ୍ଷାତ କରିଥିଲେ ।  ମହାକାଶ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗରେ ମସ୍କଙ୍କ ସହ ଆଲୋଚନା କରିଛନ୍ତି ମୋଦି ।  ଏସବୁ କ୍ଷେତ୍ରରେ ଉତ୍ସାହ ରଖିଥିବା ମସ୍କଙ୍କ ସହ ଭଲ ଆଲୋଚନା ହୋଇଛି ବୋଲି ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି ଉଲ୍ଲେଖ କରିଛନ୍ତି । 

ସେହିପରି ଆମେରିକା ଗସ୍ତ ଅବସରରେ ପିଏମ୍ ମୋଦି ରିପବ୍ଲିକାନ୍ ନେତା ତଥା ପ୍ରବାସୀ ଭାରତୀୟ ବିବେକ ରାମାସ୍ବାମୀଙ୍କୁ ଓ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଟଜଙ୍କୁ ବି ଭେଟିଛନ୍ତି । ଏହି ବୈଠକ ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବି ଉପସ୍ଥିତ ଥିଲେ । ଏହା ପୂର୍ବରୁ ମୋଦି ଆମେରିକାର ଜାତୀୟ ଗୁଇନ୍ଦା ସଂସ୍ଥା ନିର୍ଦ୍ଦେଶକ ତୁଲସୀ ଗବାର୍ଡଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । 

ମୋଦିଙ୍କୁ ବହି ଭେଟି ଦେଲେ ଟ୍ରମ୍ପ: 

ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବହି ଉପହାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ବହିଟିର ନାଁ ରହିଛି ଆଓ୍ୱାର ଜର୍ଣ୍ଣି ଟୁଗେଦର୍ । ଓ୍ୱାସିଂଟନ ଡିସିରେ ମୋଦିଙ୍କୁ ଏହି ପୁସ୍ତକ ପ୍ରଦାନ କରିଛନ୍ତି ଟ୍ରମ୍ପ । ଏଥିରେ ଦୁଇ ବନ୍ଧୁଙ୍କ ବିଭିନ୍ନ ସମୟର ଫଟୋ ରହିଛି । ହାଓ୍ୱଡି ମୋଦି ଓ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସମୟରେ ଦୁଇ ନେତାଙ୍କର ସ୍ମରଣୀୟ ଫଟୋ ସ୍ଥାନ ପାଇଛି । ଏହାଛଡ଼ା ବହିଟିରେ ନିଜ ହସ୍ତାକ୍ଷର ସହ ଟ୍ରମ୍ପ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି- ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍ ।   

ପଢନ୍ତୁ ଏହି ଖବର:  ଭାରତ ସହ ମିଶି ଗୁଗୁଲ୍ କରିବ ଏହି କାମ; ମୋଦିଙ୍କୁ ଭେଟି ଏମିତି କହିଲେ ସୁନ୍ଦର ପିଚାଇ

OTV is now on Whatsapp

Join and get latest news update delivered to you via whatsapp

Join Now