ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ଦିନରୁ ବେଆଇନ ଶରଣାର୍ଥୀଙ୍କୁ ଦେଶରୁ ତଡିବା ଅଭିଯାନରେ ଲାଗି ପଡିଛନ୍ତି । ଏହାର ପ୍ରଭାବ ଭାରତ ସମେତ ଅନେକ ଦେଶରେ ଦେଖିବାକୁ ମିଳୁଛି । ଆମେରିକାରେ ରହିବାକୁ ସ୍ୱପ୍ନ ଦେଖିଥିବା ୧୦୦ରୁ ଅଧିକ ଭାରତୀୟଙ୍କୁ କିଛି ଦିନ ତଳେ ଏକ ବିମାନ ଯୋଗେ ଭାରତରେ ଛଡାଯାଇଥିଲା । ଆଗାମୀ ଦିନରେ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବା ନେଇ ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି । ଏହାରି ମଧ୍ୟରେ ଆମେରିକା ଯିବାକୁ ଚାହୁଁଥିବା ଭାରତୀୟଙ୍କ ସହ ଜଡିତ ଏକ ରିସର୍ଚ୍ଚରେ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ବିଗତ ୫ ବର୍ଷରେ ଆମେରିକାରେ ଶରଣ ମାଗୁଥିବା ଭାରତୀୟଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଥିବା କୁହାଯାଇଛି ।
ପଢନ୍ତୁ ଏହି ଖବର: ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜି ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ
ଆମେରିକାର ଜନ୍ସ ହପକିନ୍ସ ୟୁନିଭରସିଟି ପକ୍ଷରୁ ଏହି ରିସର୍ଚ୍ଚ କରାଯାଇଛି । ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଆମେରିକାରେ ଶରଣ ଖୋଜୁଥିବା ଭାରତୀୟ ସଂଖ୍ୟା ପ୍ରାୟ ୪୭୦% ବୃଦ୍ଧି ପାଇଛି । ୨୦୧୮ରେ ଆମେରିକା ଯିବା ପାଇଁ ୯୦୦୦ ଭାରତୀୟ ଆବେଦନ କରିଥିଲେ । ୨୦୨୩ରେ ଏହି ସଂଖ୍ୟା ୫୧,୦୦୦ରେ ପହଞ୍ଚିଛି । ଅର୍ଥାତ୍ ପ୍ରାୟ ୫୧ ହଜାର ଭାରତୀୟ ଆମେରିକା ଯିବାକୁ ଆବେଦନ କରିଛନ୍ତି ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯଦିଓ ଆମେରିକାରେ ଶରଣ ମାଗୁଥିବା ଭାରତୀୟଙ୍କ ସଂଖ୍ୟା ବଢିଛି କିନ୍ତୁ ଏଠାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କ ସଂଖ୍ୟାରେ ବଡ଼ ହ୍ରାସ ଆସିଛି । ଆମେରିକୀୟ ସରକାରଙ୍କ ଡାଟା ଅନୁସାରେ, ୨୦୧୬ରେ ସର୍ବାଧିକ ବେଆଇନ ଭାରତୀୟ ଶରଣାର୍ଥୀ ଚିହ୍ନଟ ହୋଇଥିଲେ । ହେଲେ ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ୬୦ ପ୍ରତିଶତକୁ ହ୍ରାସ ପାଇଛି ।
ଡୋନାଲ୍ଡ ରାଷ୍ଟ୍ରପତି ହେବା ପୂର୍ବରୁ ହିଁ ଆମେରିକା ଇତିହାସରେ ସବୁଠୁ ବଡ ପ୍ରତ୍ୟପର୍ଣ ବ୍ୟବସ୍ଥା କରିବେ ବୋଲି କହିଥିଲେ । ସେହି ଅନୁସାରେ ଆମେରିକାର ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ ବେଆଇନ ଭାବେ ରହୁଥିବା ଶରଣାର୍ଥୀଙ୍କ ତାଲିକା ପ୍ରସ୍ତୁତ କରୁଛି । ବିନା ଦସ୍ତାବିଜରେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କୁ ଏଥିରେ ସାମିଲ କରି ତାଙ୍କ ଦେଶରେ ଛଡାଯାଉଛି । ନିକଟରେ ଟ୍ରମ୍ପ ସରକାର ବେଆଇନ ଭାବେ ରହୁଥିବା ୧୦୪ ଭାରତୀୟ ନାଗରିକଙ୍କୁ ବିମାନରେ ଆଣି ଅମୃତସରଠାରେ ଛାଡିଥିଲେ ।