/odishatv-khabar/media/post_attachments/uploadimage/library/16_9/16_9_0/Asim_Munir_1747824908.jpg)
Asim Munir
ଅପରେସନ ସିନ୍ଦୂରରେ ଶକ୍ତ ପ୍ରହାର ଖାଇବା ସତ୍ତ୍ୱେ ସେନା ମୁଖିଆ ପ୍ରୀତି ଛାଡ଼ୁନାହାନ୍ତି ପାକିସ୍ତାନ ସରକାର । ମହା ବିଫଳତା ପରେ ବି ସେନା ମୁଖ୍ୟ ଆସିମ ମୁନୀରଙ୍କୁ ଦେଶର ସର୍ବୋଚ୍ଚ ସାମରିକ ପଦବୀକୁ ପଦୋନ୍ନତି କରିଛନ୍ତି । ମୁନୀର ଫିଲ୍ଡ ମାର୍ଶାଲ ଭାବେ ନିଯୁକ୍ତି ପାଇଛନ୍ତି । ତେବେ ପାକିସ୍ତାନ ଇତିହାସରେ ମୁନୀର ହେଉଛନ୍ତି ଦ୍ୱିତୀୟ ବରିଷ୍ଠ ସେନା ଅଧିକାରୀ ଯାହାକୁ ଏହି ପଦୋନ୍ନତି ମିଳିଛି । ତାଙ୍କ ପୂର୍ବରୁ ୧୯୫୯ ମସିହାରେ ଆର୍ମି ଜେନେରାଲ ଆୟୁବ ଖାନ ପ୍ରଥମେ ଫିଲ୍ଡ ମାର୍ଶାଲ ଭାବେ ପଦୋନ୍ନତି ପାଇଥିଲେ ।
ଅଧିକ ପଢ଼ନ୍ତୁ:ଖୋଲୁଛି ଗୁମର; ‘ଜ୍ୟୋତିଙ୍କ ଡାଏରୀ କହିବ ସତ’
ପାକିସ୍ତାନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ, ମୁନିରଙ୍କୁ ଏହି ପଦୋନ୍ନତି କୁଆଡେ ଭାରତର 'ଅପରେସନ ସିନ୍ଦୂର' ବିପକ୍ଷରେ ସେନାର ସଫଳତା ପାଇଁ ଦିଆଯାଇଛି । ଭାରତ ସହ ସଂଘର୍ଷରେ ତାଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ମିଲିଟାରି ରାଙ୍କର ସର୍ବୋଚ୍ଚ ପଦବୀ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ଭାରତର 'ଅପରେସନ ସିନ୍ଦୂର'ରେ ମାଟି କାମୁଡିବା ପରେ ବି ପଦୋନ୍ନତି ନେଇ ଅସୀମ ମୁନୀରଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଛି । ମୁନୀର ନିଜକୁ ପ୍ରମୋଟ କରୁଥିବା କହିଛନ୍ତି ୟୁଜର୍ସ । ଜଣେ ୟୁଜର 'ଏକ୍ସ'ରେ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଭାରତଠାରୁ ପରାଜୟ ପରେ ବି କେମିତି କାହାକୁ ଏଭଳି ପଦୋନ୍ନତି ମିଳିପାରିବ ବୋଲି ପ୍ରଶ୍ନ କରିଛନ୍ତି ।
ତେବେ ଆତଙ୍କବାଦୀ ସହ ମିଛୁଆ ରାଷ୍ଟ୍ର ଆଖ୍ୟା ପାଇଥିବା ପାକିସ୍ତାନ ପାଇଁ ଏହା କିଛି ନୂଆ କଥା ନୁହେଁ । ପୂର୍ବରୁ ବହୁ ବାର ମିଛ କହି ଲଜ୍ଜିତ ହୋଇଥିବା ପାକିସ୍ତାନ ନିକଟରେ ଅପରେସନ ସିନ୍ଦୂର ପାଇଁ ବି ଲଜ୍ଜିତ ହୋଇଥିଲା । ଭାରତୀୟ ସେନାର ଆକ୍ରମଣକୁ ବାରମ୍ବାର ଅସ୍ୱୀକାର କରି ଆସିଥିଲା, କିନ୍ତୁ ଖୋଦ୍ ପ୍ରଧାନମନ୍ତ୍ରୀ ଶରିଫ ଭିଡିଓ ବାର୍ତ୍ତାରେ ଅପରେସନ ସିନ୍ଦୂରରେ ସାମରିକ ଘାଟି ଛିନଛତର ହୋଇଥିବା ମାନିଥିଲେ ।
ଇଣ୍ଡିଆନ ଆର୍ମି ମଧ୍ୟ ଅପରେସନ ସିନ୍ଦୂରରେ ପାକିସ୍ତାନ କିପରି ଅଣ୍ଟା ଭାଙ୍ଗି ପଡ଼ିଛି, ସେନେଇ ପ୍ରମାଣ ଦେଇଆସିଛି । ଏହା ସତ୍ତ୍ୱେ ସେନା ମୁଖ୍ୟଙ୍କୁ ଏତେ ବଡ଼ ଦାୟିତ୍ୱ ଦେବା ପାକିସ୍ତାନ ସରକାରରେ ସେନାର ଅଖଣ୍ଡ କ୍ଷମତା ଦର୍ଶାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)