• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅବିଶ୍ୱାସ ଲାଗୁଥିଲେ ବି ସତ, ଅସମ୍ଭବ ମନେ ହେଉଥିଲେ ବି ସମ୍ଭବ । ପ୍ରଳୟଙ୍କାରୀ ଭୂକମ୍ପର ୭ ଦିନ ପରେ ବି ତୁର୍କୀରେ ବିଶାଳ କଂକ୍ରିଟ ଧ୍ୱସଂସ୍ତୁପ ତଳୁ ଉଦ୍ଧାର ହେଉଛି ଜୀବନ । ଏମିତି ଗୋଟିଏ କି ଦୁଇଟି ଘଟଣା ନୁହେଁ, ପ୍ରଳୟର ସପ୍ତାହେ ପରେ ବି କାଲି ତୁର୍କୀର ଏକାଧିକ ସ୍ଥାନରୁ ଆଶ୍ଚର୍ଯ୍ୟଜନକ ଭାବେ ଉଦ୍ଧାର ହୋଇଛନ୍ତି ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଥିବା ଅନେକ ଭୂକମ୍ପ ପ୍ରଭାବିତ ।

ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗାଜିଆନ୍ତେପ ଅଞ୍ଚଳରେ ଏକ ଭଙ୍ଗା କୋଠା ତଳୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସେହିଭଳି ଆଦିୟାମାନ ପ୍ରଦେଶର ବେସନି ଜିଲ୍ଲାରେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି, ଖାଦ୍ୟ, ପାଣି ଓ ମୁକ୍ତ ପବନ ବିନା ଏତେଦିନ ଧରି କେମିତି ସୁରକ୍ଷିତ ଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେହିପରି ତୁର୍କୀର ହତୟ ଅଞ୍ଚଳରେ ମଧ୍ୟ ଧ୍ୱଂସ ସ୍ତୁପ ତଳେ ୭ ଦିନ ଧରି ଜୀବନ ସହ ସଂଘର୍ଷ କରୁଥିବା ଜଣେ ୭ ବର୍ଷର ବାଳକ ଓ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି । ଯାହା କେବଳ ଉଦ୍ଧାରକାରୀ ଦଳଙ୍କ ମନୋବଳ ବୃଦ୍ଧି ନୁହେଁ, ବରଂ ଏ ମହାବିପତ୍ତି ସମୟରେ ଅନେକଙ୍କ ମୁହଁରେ ହସ ଫୁଟାଇ ପାରିଛି ।

ଅଧିକ ପଢ଼ନ୍ତୁ: ପ୍ରଳୟ ପଞ୍ଝାରେ ଛାରଖାର ତୁର୍କୀ-ସିରିୟା !

ଏପଟେ ମହାପ୍ରଳୟ ପରେ ମୃତ୍ୟୁର ଉପତ୍ୟକାରେ ଭଙ୍ଗା କୋଠା ତଳୁ ଭାରତୀୟ ଉଦ୍ଧାରକାରୀ ଦଳକୁ ଜୀବନ ସନ୍ଧାନର ସୂଚନା ଦେଇ ପୁଣି ଚର୍ଚ୍ଚାରେ NDRFର ଦୁଇ ସ୍ନିଫର ଡଗ୍ ଜୁଲି ଓ ରୋମିଓ । ଗତକାଲି ତୁର୍କୀର ନୁର୍ଦାଗୀ ଅଞ୍ଚଳରୁ ଜଣେ ୬ ବର୍ଷର ଝିଅର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ଉଭୟ ଜୁଲି ଓ ରୋମିଓ । ଏହା ପୂର୍ବରୁ ମଧ୍ୟ ଗାଜିଆନ୍ତେପ୍ ଅଞ୍ଚଳରେ କଂକ୍ରିଟ ସ୍ତୁପ ତଳେ ଚାପି ହୋଇଥିବା ଏକ ୭ ବର୍ଷ ଝିଅକୁ ଉଦ୍ଧାର କରିବାରେ ଏମାନେ ନେଇଥିଲେ ମୁଖ୍ୟ ଭୂମିକା । ବିଦେଶ ମାଟିରେ ବି NDRF ଟିମର ସ୍ନିଫର ଡଗ୍ ହନି ଓ ରାମ୍ବୋ ମଧ୍ୟ ଉଦ୍ଧାରାକରୀ ଦଳଙ୍କ କାର୍ଯ୍ୟକୁ ସହଜ କରୁଥିବାରୁ ଏମାନେ ବି ଖବର ସିରୋନାମାରେ ।

ତୁର୍କୀ ଓ ସିରିଆ ଭୂକମ୍ପର ଅଷ୍ଟମ ଦିନରେ ମୃତ୍ୟୁସଂଖ୍ୟା ୩୬ ହଜାର ପାର କରିଛି । ତା ଭିତରୁ କେବଳ ତୁର୍କୀରେ ମୃତକଙ୍କ ସଂଖ୍ୟା ୩୧ ହଜାର ୬ ଶହ ଅତିକ୍ରମ କରିଛି । ୟା ଭିତରେ ଉଭୟ ଦେଶରେ ଉଦ୍ଧାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ୟୁଏନ୍ ଏଡର ମୁଖ୍ୟ ସୂଚନା ଦେଇଛନ୍ତି ।