• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶିଶୁ ଉଦ୍ଧାର । ଜନ୍ମ ନେବାର ଦି ମାସ ହେଇନି । ଏବେ ଦ୍ୱିତୀୟ ଜନ୍ମ ମିଳିଛି । ମରଣ ମୁହଁରୁ ଫେରିଛି କଅଁଳ ଶିଶୁ । ତୁର୍କୀର ହେତେ ଅଂଚଳରେ ଭୟାବହ ଭୂକମ୍ପ ଛାଡିଯାଇଥିବା ଭଗ୍ନାବଶେଷ ତଳୁ ୫ ଦିନ ପରେ ଉଦ୍ଧାର ହୋଇଛି ନବଜାତ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହି ଚମତ୍କାର କରିଦେଖାଇଛନ୍ତି ରେସକ୍ୟୁ ଟିମ୍ । ତୁର୍କୀ ଓ ସିରିୟାରେ ଭୁଶୁଡି ପଡିଥିବା କୋଠାର କଂକ୍ରିଟ ପାହାଡ ଭିତରୁ ଜୀବନ୍ତ ଉଦ୍ଧାର ହେଉଛନ୍ତି ଏଭଳି ଅନେକ ଶିଶୁ । ଭଗ୍ନାବଶେଷ ଭିତରୁ ଜୀବନ ଖୋଜୁ ଖୋଜୁ ମୃତଦେହ ବି ମିଳୁଛି । ତଥାପି ଦିନ ରାତି ଏକ କରି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ରେସକ୍ୟୁ ଟିମ୍ । ପ୍ରକୃତି ରଚିଥିବା ତାଣ୍ଡବକୁ ସାତ ଦିନ ବିତିଥିବା ବେଳେ ଏବେବି ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ସେପଟେ ଭୂକମ୍ପର ପ୍ରଳୟରୁ ବଂଚିଯାଇଥିବା ଜୀବନ ଏବେ ବଂଚିବାକୁ ସଂଘର୍ଷ କରୁଛନ୍ତି । ପୀଡିତଙ୍କ ଅବସ୍ଥା କହିଲେ ନସରେ । ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହିଛନ୍ତି ଲକ୍ଷାଧିକ ଲୋକ । ଜୀବନ ଦୁର୍ବିସହ ହୋଇପଡିଛି । ରହିବାକୁ ମୁଣ୍ଡ ଉପରେ ଛାତ ନାହିଁ କି ବଞ୍ଚିବାକୁ ଖାଦ୍ୟ । ତା ସାଙ୍ଗକୁ ପାନୀୟ ଜଳର ବି ଘୋର ସଙ୍କଟ । ପରିବାର ଓ ଘରଦ୍ୱାର ହରାଇଥିବା ଲୋକେ ରାହା ଖୋଜୁଛନ୍ତି ନୂଆ ଜୀବନ ଜିଇଁବାକୁ । ଭୂକମ୍ପରେ ତୁର୍କୀ ଓ ସିରିୟାରେ ଏଯାଏଁ ୩୦ ହଜାର ଜୀବନ ଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିପାରେ ବୋଲି ଜାତିସଂଘ ଆକଳନ କରିଛି । 

ଏହାରି ଭିତରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସହାୟତାର ହାତ ବଢାଇଛିି ବିଶ୍ୱ ବ୍ୟାଙ୍କ୍ । ଭୂକମ୍ପ ପୀଡିତଙ୍କ ପାଇଁ ଜରୁରିକାଳୀନ ଭିସା ଦେବାକୁ ଘୋଷଣା କରିଛି ଜର୍ମାନୀ । ଆମେରିକା ସମେତ ୫୦ରୁ ଅଧିକ ଦେଶ ସହାୟତା ପାଇଁ ଆଗେଇ ଆସିଛନ୍ତି । ଅପରେସନ୍ ଦୋସ୍ତ ଜରିଆରେ ଭାରତ ମଧ୍ୟ ସହାୟତା ଜାରି ରଖିଛି । ତୁର୍କୀରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫର ୨ଶହ ଜଣିଆ ଟିମ୍ । ଏଥିସହ ୨୩ ଟନ୍‌ରର ରିଲିଫ୍ ସାମଗ୍ରୀ ନେଇ ତୁର୍କୀରେ ପହଁଚିଛି ଅପରେସନ 
ଦୋସ୍ତର ସପ୍ତମ ଫ୍ଲାଇଟ୍ । ଯେଉଁଥିରେ ଜେନ୍ ସେଟ୍, ସୋଲାର ଲ୍ୟାମ୍ପ ଏବଂ ଜରୁରୀ ମେଡିକାଲ ସାମଗ୍ରୀ ରହିଛି ।