• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାକିସ୍ତାନରେ ସ୍ଥିତି ଗମ୍ଭୀର । ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଗିରଫ କରାଯିବା ପରେ ପାକିସ୍ତାନରେ ସ୍ଥିତି ଅଣାୟତ ହେବାରେ ଲାଗିଛି । କେବଳ ସାଧାରଣ ଜନତାଙ୍କ ମଧ୍ୟରେ ନୁହେଁ ପାକିସ୍ତାନକୁ ପରୋକ୍ଷରେ ଚଳାଉଥିବା ସେନାରେ ବି ବିଦ୍ରୋହର ସ୍ୱର ଦେଖିବାକୁ ମିଳିଛି । ପ୍ରାୟ ୬ ଜଣ ସେନା ଅଧିକାରୀ ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ବିରୋଧ କରିଛନ୍ତି । ତେବେ ଆଗକୁ ଏହି ବିଦ୍ରୋହ ଆହୁରି ତେଜିବ ବୋଲି ଆଶଙ୍କା କରାଯାଉଛି ।

ଅଧିକ ପଢ଼ନ୍ତୁ: ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି; ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅନ୍ୟପଟେ ଇମ୍ରାନ୍‌ଙ୍କ ଗିରଫ ପରେ ପାକିସ୍ତାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଘରଦ୍ୱାର ଜଳିବା ସହ ଗାଡ଼ି ମଟର ମଧ୍ୟ ଜଳୁଥିବା ଦେଖାଯାଇଛି । ପାକିସ୍ତାନରେ ଏବେ ଜୁଆଡ଼େ ଦେଖିବ ଖାଲି ନିଆଁ ଆଉ ଧୁଆଁ ଦେଖାଯାଉଛି । ଇମ୍ରାନ ଖାନ୍‌ଙ୍କ ସମର୍ଥକ ଓ ତାଙ୍କ ଦଳ ପିଟିଆଇର କାର୍ଯ୍ୟକର୍ତ୍ତା ସବୁଠି ହିଂସାକାଣ୍ଡ ଭିଆଇଛନ୍ତି । ଭଙ୍ଗାରୁଜା କରିବା ସହ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଦୋକାନ ବଜାର ବନ୍ଦ କରିବା ସହ ଅନେକ ସ୍ଥାନରେ ଯାତାୟତ ଠପ୍‌ କରିଦେଇଛନ୍ତି ।

ବର୍ତ୍ତମାନର ସରକାର ଉପରେ ଲୋକଙ୍କ ଆକ୍ରୋଶ ଧିରେ ଧିରେ ବଢ଼ୁଥିବା ଦେଖାଯାଇଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ହେଲା, ସେନାରେ ବିଦ୍ରୋହ । ଯାହାକି ସାରା ବିଶ୍ୱକୁ ଚମକାଇ ଦେଇଛି । କାରଣ ୬ ଜଣ ବଡ଼ ସେନାଧିକାରୀ, ପାକିସ୍ତାନର ସେନାଧ୍ୟକ୍ଷ ଓ ସରକାର ବିରୋଧରେ ବିଦ୍ରୋହ କରିବା ଆରମ୍ଭ କରିଛନ୍ତି । ତେବେ ଏହି ଅଭିଯୋଗକୁ ପାକିସ୍ତାନ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇ ନାହିଁ, କିନ୍ତୁ କୁହାଯାଇଛି ଯେ, ଯେଉଁମାନେ ବିଦ୍ରୋହ କରିଛନ୍ତି ସେମାନେ ଅବସର ପ୍ରାପ୍ତ ସେନାଧିକାରୀ ।

ପାକିସ୍ତାନ ସେନାର ଜଣେ ବରିଷ୍ଠ ଅଧିକାରୀ ଆଦିଲ ରାଜା ଏକ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ପାକିସ୍ତାନ ସେନାର ୬ ଜଣ ଲେପ୍ଟନାଣ୍ଟ ଖୋଲାଖୋଲି ଭାବେ ପାକିସ୍ତାନ ସରକାର ଏବଂ ସେନାଧ୍ୟକ୍ଷ ଅସୀମ ମୁନିରଙ୍କୁ ବିରୋଧ କରିଛନ୍ତି । ତେବେ ସେହି ବି୍ରୋହୀ ସେନା ଅଧିକାରୀମାନେ ହେଲେ, ଆସିଫ୍ ଗଫୁର, ଅସିମ୍‌ ମଲ୍ଲିକ୍, ନୌମାନ ଜାକ୍ରିଆ, ସାକିବ୍‌ ମଲ୍ଲିକ୍, ସଲମାନ ଘାନି, ସରଦାର ହସନ୍‌ ଆଝାର୍ । ସେମାନେ ପାକିସ୍ତାନ ସରକାର ଓ ସେନାଧ୍ୟକ୍ଷଙ୍କୁ ବିରୋଧ କରିବା ସହ ରାଷ୍ଟ୍ରପତି, ସୁପ୍ରିମ୍‌କୋର୍ଟ ଚିଫ୍‌ ଜଷ୍ଟିସ ଏବଂ ଚେୟାରମ୍ୟାନ୍‌ ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି ଦ୍ୱାରା ଇମ୍ରାନ୍‌ଙ୍କ ମାମଲାର ସମାଧାନ କରାଯାଉ ବୋଲି ଦାବିକୁ ସମର୍ଥନ କରିଛନ୍ତି । ଏହି କ୍ରମରେ ପାକିସ୍ତାନ ପାଇଁ ଆଗାମୀ ୪୮ରୁ ୭୨ ଘଣ୍ଟା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । 

କାରଣ ପାକିସ୍ତାନରେ ଏବେ ଯେଉଁଭଳି ସ୍ଥିତି ରହିଛି, ତାହା ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ରୋକିବା ପାଇଁ ଫୋର୍ସ ମୁତୟନ କରାଯାଇଛି ।