• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମୟ ଯେତେ ବିତୁଛି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଘମାଘୋଟ ପରିସ୍ଥିତି ଅଧିକ ବିଗୁଡ଼ୁଛି । ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଗାଜାପଟ୍ଟି ଉପରେ ଘନ ଘନ ବୋମାମାଡ଼ ପରେ ଏବେ ସ୍ଥଳ ପଥରେ ଅପରେସନ୍ ଆରମ୍ଭ ହୋଇଛି । ଗତକାଲି ରାତିରୁ ଇସ୍ରାଏଲ୍ ସେନା ଗାଜାରେ ପ୍ରବେଶ କରିବା ସହ ଏନକାଉଣ୍ଟର୍ ଆରମ୍ଭ କରିଛି ।

ହମାସର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି । ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ହମାସ୍ । ଗାଜା ଉପରେ ଏୟାର ଷ୍ଟ୍ରାଇକକୁ ବନ୍ଦ ନକଲେ ଏହାର ଚରମ ପରିସ୍ଥିତି ଭୋଗିବାକୁ ପଡ଼ିବ ବୋଲି ବିବୃତି ଜାରି କରିଛନ୍ତି ହମାସ୍ ଆତଙ୍କବାଦୀ ।

ଅଧିକ ପଢ଼ନ୍ତୁ: ଇସ୍ରାଏଲ୍- ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ: ୨୦ ମିନିଟ୍ ଭିତରେ ୫ ହଜାର ରକେଟ୍ ମାଡ଼

ଗାଜା ସୀମାରେ ଗତ ଦୁଇ ଦିନ ତଳେ ଏକ ନେଚର୍ ପାର୍ଟି ଚାଲିଥିବାବେଳେ ଶତାଧିକ ସଂଖ୍ୟାରେ ଥିବା ଇସ୍ରାଏଲ୍ ଓ ଅନ୍ୟ ଦେଶର ନାଗରିକଙ୍କୁ ଅପହରଣ କରିଛନ୍ତି ହମାସ୍ ଆତଙ୍କବାଦୀ । ଏମାନଙ୍କୁ ମୁକୁଳାଇବା ଏବେ ଇସ୍ରାଏଲ୍ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ସେପଟେ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ । ଯୁଦ୍ଧ ଇସ୍ରାଏଲ୍ ଆରମ୍ଭ କରିନି କିନ୍ତୁ ଶେଷ ଜରୁର୍ କରିବ ବୋଲି ପାଲେଷ୍ଟାଇନକୁ ଏଭଳି କଡ଼ା ଭାଷାରେ ଚ୍ୟାଲେଞ୍ଜ କରିବା ସହ ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନନେହୁା । ହମାସ୍ ଭଲ ଭାବେ ବୁଝିବ ଇସ୍ରାଏଲ୍ ଉପରେ ଆକ୍ରମଣ କରି କେତେ ବଡ଼ ଭୁଲ୍ କରିଛି ।

ହମାସକୁ ଉଚିତ୍ ଜବାବ ଦେବ ଇସ୍ରାଏଲ୍ । ଖାଲି ହମାସ୍ ନୁହେଁ ଅନ୍ୟ ଶତ୍ରୁମାନେ ବି ଏହାକୁ ସବୁବେଳେ ମନେ ରଖିବେ ବୋଲି ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ । ହମାସ୍ ନୀରିହ ଲୋକଙ୍କ ଉପରେ ଆକ୍ରମଣ କରିଛି, ଯୁବକ-ମହିଳାଙ୍କୁ ହତ୍ୟା କରିଛି, ଆଉଟଡୋର୍ ଫେଷ୍ଟିଭାଲ୍ ଚାଲିଥିବାବେଳେ ଅନେକଙ୍କୁ ଅପହରଣ କରିଛି । ଖାଲି ଏତିକି ନୁହେଁ ହମାସ୍ ହେଉଛି ISIS ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି ।

ଏହି ଅବସରରେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ୍ ଜଣାଇବା ସହ ସମସ୍ତ ରାଷ୍ଟ୍ର ଯେଉଁମାନେ ଏହି ବର୍ବରତାକୁ ବିରୋଧ କରୁଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇସ୍ରାଏଲ୍ ଜିତିବ ଓ ଏହା ପୁରା ବିଶ୍ୱରେ ମାନବବାଦର ବିଜୟ ହେବ ବୋଲି ସେ ଦୋହରାଇଛନ୍ତି ।