Advertisment

ISKON Ratha Jatra: ଜିଦ୍‌ ଛାଡ଼ିଲା, ରଥଯାତ୍ରା ନକରି ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରିବ ସଂସ୍ଥା

ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦର ସୂଚନା । ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜା ।

author-image
Satyendu Shekher Mishra
ISKON Ratha Jatra

ISKON Ratha Jatra

ବାତିଲ ହେଲା ISKONର ଅଦିନ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ବାତିଲ କରାଯାଇଛି। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ନିଷ୍ପତ୍ତି ହୋଇଥିବା ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ସୂଚନା ଦେଇଛି । ତେବେ ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ।

Advertisment

ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜା । ଆସନ୍ତା ୯ ତାରିଖରେ ହ୍ୟୁଷ୍ଟନ ସହରରେ ଇସ୍କନ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ସ୍ଥିର ହୋଇଥିଲା । ତେବେ ଗଜପତି ମହାରାଜାଙ୍କ କ୍ଷୋଭ ପରେ ସ୍ନାନ ଯାତ୍ରା ବାତିତ ହୋଇଥିଲା । ଏବେ ଅଦିନ ରଥଯାତ୍ରା ବି ବାତିଲ ହୋଇଛି । ISKONର ଏଭଳି ଅଦିନ ରଥଯାତ୍ରାକୁ ନେଇ ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।

କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ରେ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଧରି ବସିଥିଲା ISKON । ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଥିଲା ସଂସ୍ଥା । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରେସମିଟ୍ କରିଥିଲେ ଗଜପତି ମହାରାଜା। ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ହେଉଛି ବୋଲି କହିଥିଲେ । ମହାପ୍ରଭୁଙ୍କ ପରମ୍ପରାରେ ବ୍ୟତିକ୍ରମ ହେବା ଠିକ୍ ନୁହେଁ ବୋଲି ସେ କହିଥିଲେ । ପୂର୍ବରୁ ସେ ଏନେଇ ISKONକୁ ଚିଠି ମଧ୍ୟ ଲେଖିଥିଲେ । ତାସତ୍ତ୍ୱେ ବି ଇସ୍କନ ଜିଦ୍‌ ଧରି ବସିଥିଲା । କିନ୍ତୁ ୩ ତାରିଖ ସ୍ନାନଯାତ୍ରାକୁ ବାତିଲ କରିଥିଲା ।

Advertisment

‘ମାର୍ଚ୍ଚରେ ISKONର ଗଭର୍ଣ୍ଣିଂ କାଉନସିଲ ବୈଠକ ରହିଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ଆମେ ଚାହୁଁଛୁ ଆଲୋଚନା ଦ୍ୱାରା ସମାଧାନ ହେଉ। ଯଦି ମାନିବେନି ଆମ ପାଖରେ ଆଇନର ରାସ୍ତା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଏଥର ଆମେ ଛାଡ଼ିବାନି, ବହୁତ ହୋଇଗଲା’ ବୋଲି କହି ଚେତାବନୀ ଦେଇଥିଲେ ଗଜପତି। ୧୯୬୯ରୁ ଇସ୍କନ ଅଦିନରେ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଅଦିନ ରଥଯାତ୍ରା କରୁଥିଲା ଇସ୍କନ।

ଅନ୍ୟପଟେ ଅଦିନିଆ ରଥଯାତ୍ରାକୁ ନେଇ ହ୍ୟୁଷ୍ଟନ ସହରରୁ ବି ଶୁଭିଥିଲା ଇସ୍କନ ବିରୋଧୀ ସ୍ୱର। ହ୍ୟୁଷ୍ଟନରୁ ପ୍ରବାସୀ ଓଡ଼ିଆ ଓ ପ୍ରବାସୀ ଭାରତୀୟମାନେ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ନଖେଳିବାକୁ ସେମାନେ ତାଗିଦ୍ ବି କରିଥିଲେ । ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହେଉ କି ଗଜପତି ମହାରାଜାଙ୍କ ଚିଠି । ଏସବୁକୁ ବେଖାତିର କରି ଆସୁଥିଲା ଇସ୍କନ । ହେଲେ ଏବେ ଅଦିନିଆ ରଥଯାତ୍ର ନକରି ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରିବ ବୋଲି କହିଛି ISKON ।

ହ୍ୟୁଷ୍ଟନ ସହରରେ ଅଦିନିଆ ରଥଯାତ୍ରାକୁ ନେଇ ବିରୋଧ ବଢିବାରୁ ଗତ ୩ ତାରିଖରେ ପ୍ରଥମେ ସ୍ନାନଯାତ୍ରା କାର୍ଯ୍ୟକ୍ରମରୁ ଓହଥିଲା ଇସ୍କନ । ହେଲେ ଆସନ୍ତା ୯ ତାରିଖ ରଥଯାତ୍ରା ଜିଦରେ ଅଟଳ ଥିଲା । ଶନିବାର ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଫେଷ୍ଟିଭାଲ୍ ଅଫ୍ ବ୍ଲିସ୍ ନାଁରେ ଲେଜିଅନ୍ ପାର୍କରେ ଆୟୋଜନ କରିବାର ଥିଲା ରଥଯାତ୍ରା । ମଧ୍ୟାହ୍ନ ୧୨ଟାରୁ ପରେଡ୍ ଷ୍ଟାର୍ଟ ସହ ଅପରାହ୍ନ ୩ଟାରେ କଲର ଫେଷ୍ଟ କାର୍ଯ୍ୟକ୍ରମ କରିବାକୁ ଲିଫଲେଟ୍ ଛପାଯାଇଥିଲା । ଯାହାକୁ ନେଇ ଆମର ଏଠି ପଲ୍ଲୀରୁ ଦିଲ୍ଲୀ ଯାଏଁ ପ୍ରତିବାଦର ସ୍ୱର ଉଠୁଥିଲା ।

Ratha Jatra Ratha Yatra ISKON
Advertisment
Advertisment