• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ପ୍ୟାରିସ୍ ଗସ୍ତ ସାରି ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ବିଶେଷଭାବେ ପ୍ରଯୁକ୍ତିବିଦ୍ୟା, ବ୍ୟାପାର, ପ୍ରତିରକ୍ଷା, ନିରାପତ୍ତା, ଶକ୍ତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଭାଗିତା ବୃଦ୍ଧି ଉପରେ ଆଲୋଚନା ହୋଇପାରେ । ଏହାବ୍ୟତୀତ ଆତଙ୍କବାଦ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର, H1B ଭିସା ଆଦି ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା କରିପାରନ୍ତି । ତେବେ ଅନେକ ଦେଶ ଉପରେ ଟ୍ରମ୍ପଙ୍କ ଟ୍ରେଡ ଟାରିଫ୍ ଲାଗୁ ନେଇ ଉତ୍ତେଜନା ମଧ୍ୟରେ ଏହି ଦ୍ୱିପାକ୍ଷିକ ବୈଠକ ହେବାକୁ ଯାଉଛି । 

ପଢନ୍ତୁ ଏହି ଖବର: ଭାରତ ସହ ମିଶି ଗୁଗୁଲ୍ କରିବ ଏହି କାମ; ମୋଦିଙ୍କୁ ଭେଟି ଏମିତି କହିଲେ ସୁନ୍ଦର ପିଚାଇ

ଦ୍ୱିତୀୟ ଥର ଲାଗି ଡୋନଲ୍ଡ ଟ୍ରମ୍ପ ଆମେରିକାର କ୍ଷମତା ଗ୍ରହଣ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହେବ । ତେଣୁ ଏହାକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ମୋଦି ଆମେରିକାରେ ପହଞ୍ଚି ଟ୍ବିଟ୍ କରିଛନ୍ତି, ''ଭାରତ-ଆମେରିକା ମଧ୍ୟରେ ବୈଶ୍ୱିକ ରଣନୀତିକ ସହଭାଗିତା ଆହୁରି ମଜଭୁତ କରିବାକୁ ଓ ଆଗକୁ ବଢାଇବାକୁ ଉତ୍ସୁକ ଅଛୁ । ନାଗରିକଙ୍କ ସ୍ୱାର୍ଥ ଓ ପୃଥିବୀର ଉନ୍ନତ ଭବିଷ୍ୟତ ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବୁ ।'' 

ପିଏମ୍ ମୋଦି ଶିଳ୍ପପତି ଏଲନ ମସ୍କଙ୍କ ସହିତ ଆମେରିକା ପ୍ରଶାସନର ବହୁ ବରିଷ୍ଠ ନେତା ଓ ବ୍ୟବସାୟୀଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି । ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ ପରେ ମୋଦି ହେଉଛନ୍ତି ଚତୁର୍ଥ ବିଶ୍ୱନେତା ଯାହାଙ୍କୁ ସେ ଭେଟିବେ । ଏହାପୂର୍ବରୁ ସେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ଜାପାନର ଶିଗେରୁ ଇଶିବା, ଜୋର୍ଦ୍ଦାନ ରାଜା ଅବଦୁଲ୍ଲା ଦ୍ବିତୀୟଙ୍କୁ ଭେଟିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ପ୍ୟାରିସରୁ ଫେରି ଭାରତୀୟ ସମୟ ଅନୁସାରେ ଆଜି ଭୋରରେ ୱାସିଂଟନ ଡିସିରେ ଅବତରଣ କରିଥିଲେ । ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ତେବେ ଆମେରିକାରେ ପହଞ୍ଚି ପ୍ରଥମେ ସେ ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବର୍ଡଙ୍କ ସହ ସାକ୍ଷାତ କରିଛନ୍ତି । ଏଥିସହ ବ୍ଲେୟାର ହାଉସରେ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିଛନ୍ତି । ଆଜି ରାତିରେ ମୋଦିଙ୍କୁ ହ୍ୱାଇଟ୍ ହାଉସରେ ଭବ୍ୟ ସ୍ୱାଗତ କରାଯିବ । ଏଠାରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ । ବିଶ୍ୱରେ ଟାରିଫ୍ ଟେନସନ ମଧ୍ୟରେ ମୋଦିଙ୍କ ଏହି ଗସ୍ତ ଭାରତ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।


ବୁଧବାର ପ୍ୟାରିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା । ବୈଶ୍ୱିକ ଆହ୍ବାନର ସମାଧାନ ଓ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ମଙ୍ଗଳବାର ମୋଦି ମାକ୍ରନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ । 

ପଢନ୍ତୁ ଏହି ଖବର:  ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକା ପ୍ରକାଶିତ, ଏତିକି ନମ୍ବରରେ ରହିଛି ଭାରତ

 

OTV is now on Whatsapp

Join and get latest news update delivered to you via whatsapp

Join Now