ଲଣ୍ଡନରେ ରହୁଥିବା ଭାରତୀୟମାନେ ଖଲିସ୍ତାନୀ ଆନ୍ଦୋଳନକାରୀଙ୍କୁ ଦେଇଛନ୍ତି କଡା ଜବାବ । ଭାରତୀୟ ହାଇ କମିଶନ ଆଗରେ ଏକତ୍ରିତ ହୋଇ ଦେଇଛନ୍ତି ‘ଭାରତ ମାତା କି ଜୟ’ ନାରା । ଭାରତରେ ଅଲଗା ଶିଖ୍ ରାଷ୍ଟ୍ର ଗଠନ ଦାବିରେ କିଛି ଖଲିସ୍ତାନୀ ସାଧାରଣତନ୍ତ୍ର ଦିବସ ଅବସରରେ ଲଣ୍ଡନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏକ ଶିଖ୍ ରାଷ୍ଟ୍ର ଗଠନ ଦାବିରେ କିଛି ଖଲିସ୍ତାନୀ ବିକ୍ଷୋଭ କରିଥିଲେ । ସେମାନେ ହାତରେ ପ୍ଲାକାର୍ଡ ଧରିଥିଲେ ଓ ଭାରତ ବ୍ରୋଧୀ ସ୍ଲୋଗାନ ଦେଇଥିଲେ । ଭାରତରେ ବିଶେଷ କରି ପଞ୍ଜାବରେ ମାନବିକ ଅଧିକାରର ଉଲ୍ଲଂଘନ ହେଉଥିବା ସେମାନେ ଅଭିଯୋଗ କରିଥିଲେ ।
ତେବେ ଏହି ବିଚ୍ଛିନ୍ନତାବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ କାଉଣ୍ଟର କରିଛନ୍ତି । ସେମାନେ ଯେଉଁ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଠିକ୍ ସେହି ସ୍ଥାନରେ ଭାରତୀୟ ‘ବନ୍ଦେ ମାତରଂ; ଗାଇବା ସହ ‘ଭାରତ ମାତା କି ଜୟ’ ନାରା ଦେଇଛନ୍ତି । ଭାରତ ଏକ ରହିଛି ଓ ଏକ ରହିବ ବୋଲି ସାରା ଇଂଲଣ୍ଡକୁ ଜଣାଇ ଦେଇଛନ୍ତି । ବିଚ୍ଛିନ୍ନତାବାଦୀଙ୍କର ଦାବି ଆଦୌ ଠିକ୍ ନୁହେଁ ବୋଲି ବିଦେଶରେ ଖୋଲାଖୋଲି କହିଛନ୍ତି । ହାତ ଗଣତି କିଛି ଲୋକ ଏପରି କରୁଥାଇପାରନ୍ତି, କିନ୍ତୁ ଭାରତ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି । ଦେଶ ବାହାରେ ଥିଲେ ବି ଭାରତ ପାଇଁ ଏକାଠି ହୋଇ ଜାତୀୟତାବାଦର ପରିଚୟ ଦେଇଛନ୍ତି । କେବଳ ସେତିକି ନୁହେଁ ମୁହାଁମୁହିଁ ହେବାକୁ ମଧ୍ୟ ପଛେଇନାହାନ୍ତି । ହିଂସାକାଣ୍ଡର ଆଶଙ୍କା କରି ଏହି ସମୟରେ ପୋଲିସ ଉଭୟ ଗୋଷ୍ଠୀଙ୍କୁ ଅଲଗା କରିଥିଲା । ଭାରତୀୟମାନେ ସାଧାରଣତନ୍ତ୍ର ଦିବସରେ ହାଇ କମିଶନରେ ତ୍ରିରଙ୍ଗା ଉଡାଇଥିଲେ । ପାଳନ କରିଥିଲେ ସାଧାରଣତନ୍ତ୍ର ଦିବସ ।
ଅଧିକ ପଢ଼ନ୍ତୁ : ବିଶ୍ୱ ଦେଖିଲା ଭାରତର ପରାକ୍ରମ, ପରଖିଲା ସେନାର ଶୌର୍ଯ୍ୟ
ଏଥିରେ ଯୋଗ ଦେଇଥିବା ଜଣେ ଭାରତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ବିଚ୍ଛିନ୍ନତାବାଦୀମାନେ ଭାରତୀୟ ଜାତୀୟ ପତାକାକୁ ଅସମ୍ମାନ କରୁଥିଲେ, ଆମେ ତାର ପ୍ରତିବାଦ କଲୁ ଓ ଜବାବ ବି ଦେଲୁ । ଏହାପରେ ସେମାନେ ସେଠାରୁ ଚାଲିଗଲେ । ଆମେ ଯେଉଁଠି ଥିଲେ ବି ପ୍ରଥମେ ଆମେ ଭାରତୀୟ । ଆମ ଦେଶ ପାଇଁ ଆମେ ଗର୍ବିତ । ଆମ ଦେଶ ଆମର ଗର୍ବ । ବିଭିନ୍ନତା ଭିତରେ ଏକତା ହିଁ ଆମର ମହାନ ପରମ୍ପରା । ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆମେ ଦେଶ କଥା କହିବୁ । ଏପରିକି ଦେଶ ପାଇଁ ଆମେ ପ୍ରାଣବଳି ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ପ୍ରଥମେ ଦେଶ ତା ପରେ ଆଉ ଯାହା ବୋଲି ସେ କହିଛନ୍ତି ।