ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବିଦେଶ ଭ୍ରମଣରେ ଯିବା ଦମ୍ପତିଙ୍କୁ ମହଙ୍ଗା ପଡ଼ିଲା । କ୍ଷଣିକ ମଧ୍ୟରେ ସବୁ ଖୁସି ପାଣିଫୋଟକା ପରି ମିଳାଇ ଯାଇଥିଲା । ନୂଆ ଜାଗାରେ କିଛି ଅଭୁଲା ସ୍ମୃତି ସାଉଣ୍ଟିବା ଆଗରୁ ଯୁବକଙ୍କ ଜଙ୍ଘର ହାଡ଼ ଭାଙ୍ଗିଯାଇଥିଲା । ଆଉ ସେହି ଭାରତୀୟ ପରିବାରର କାଜାଖସ୍ତାନ ଯାତ୍ରା ଦୁଃସ୍ୱପ୍ନରେ ପରିଣତ ହୋଇଯାଇଥିଲା । କାଜାଖସ୍ତାନ ଏପରି ଏକ ଦେଶ, ଯେଉଁଠି ଖୁବ ଶସ୍ତାରେ ଭ୍ରମଣ କରିବାର ସୁଯୋଗ ମିଳେ । ରାତ୍ରି ଜୀବନକୁ ଭଲ ପାଉଥିବା ଲୋକଙ୍କ ପାଇଁ କାଜାଖସ୍ତାନ ଏକ ସ୍ୱର୍ଗଠାରୁ କମ୍ ନୁହେଁ । ଅତି ଅଳ୍ପ ଟଙ୍କାରେ ସ୍ୱାଦିଷ୍ଟ ଭୋଜନ ମଧ୍ୟ ସେଠାରେ ମିଳିଯାଏ ।
ଅଧିକ ପଢ଼ନ୍ତୁ: ବିମାନ ଯାତ୍ରା ବେଳେ ହ୍ୟାଣ୍ଡ ବ୍ୟାଗ୍ କଟକଣା, ଓଜନ ୭ କିଲୋରୁ ଅଧିକ ହେଲେ ଲାଗିବ ଡବଲ ଚାର୍ଜ
Also Read
ନୂଆବର୍ଷରେ କିଛି ନୂଆ କରିବା ଆଶାରେ ଭାରତୀୟ ଦମ୍ପତି ମଧ୍ୟ କାଜାଖସ୍ତାନ ଯାତ୍ରା କରିଥିଲେ । ହେଲେ ବୁଲିବେ କ’ଣ, ସେମାନଙ୍କୁ ହସ୍ପିଟାଲରେ ଚକ୍କର କାଟିବାକୁ ପଡ଼ିଥିଲା । ଦୁଇ ଛୋଟ ପିଲାଙ୍କୁ କାଖରେ ଜାକି ମହିଳା ଜଣକ ସ୍ୱାମୀ ପାଇଁ ସାହାଯ୍ୟ ମାଗୁଥିଲେ । ଭ୍ରମଣ ପାଇଁ ଉପଯୋଗୀ ଦେଶରେ ସ୍ୱାମୀଙ୍କୁ ଠିକ୍ କରାଇବାର ଖର୍ଚ୍ଚ ଏତେ ଆସିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ଜେଡି ନାମକ ଜଣେ ସୋସିଆଲ ମିଡିଆ ୟୁଜର ଏକ୍ସ ପ୍ଲାଟଫର୍ମରେ ସଂପୃକ୍ତ ପରିବାରର ପୀଡ଼ା ସମ୍ପର୍କରେ ବଖାଣିଛନ୍ତି । ଯଦ୍ୱାରା ଅନ୍ୟ ଯାତ୍ରୀଙ୍କୁ ବିଦେଶ ଯିବା ପୂର୍ବରୁ ଯାତ୍ରା ବୀମା କରାଇବାର ପରାମର୍ଶ ମିଳିପାରିବ । ଏହି ୟୁଟ୍ୟୁବର କହିଛନ୍ତିଯେ, ଏହି ଘଟଣା ଜାଣିବା ପରେ ସମସ୍ତେ ବିଦେଶ ଯିବା ଆଗରୁ ଟ୍ରାଭେଲ୍ ଇନସୁରାନ୍ସ କରାଇନେବା ଆବଶ୍ୟକ। ନଚେତ୍ ଏମିତି ସମସ୍ୟା ଆସିଲେ କ’ଣ କରିବେ ? ଦୁର୍ଘଟଣାର ସାମ୍ନା କରିଥିବା ସେହି ପରିବାର ହେଲେ କେରଳର ମୂଳ ବାସିନ୍ଦା ।
ବର୍ତ୍ତମାନ କୁଏତରେ ରହୁଥିବା ପରିବାର ନବବର୍ଷ ଛୁଟି କଟାଇବା ପାଇଁ ମଧ୍ୟ ଏସୀୟ ଦେଶ କାଜାଖସ୍ତାନ ଭ୍ରମଣରେ ଯାଇଥିଲେ । ସାଙ୍ଗରେ ଥିଲେ ସ୍ତ୍ରୀ, ୪ ଓ ୬ ବର୍ଷର ଦୁଇ ଛୋଟ ଛୁଆ । ହେଲେ ଶୁକ୍ରବାର ଦିନ ଦୁର୍ଭାଗ୍ୟବଶତଃ ବରଫରେ ଯୁବକଙ୍କ ଗୋଡ଼ ଖସିଯାଇଥିଲା । ବରଫରେ ପଡ଼ିଯିବା ପରେ ତାଙ୍କ ଜଙ୍ଘ ହାଡ଼ରେ ଗଭୀର ଆଘାତ ଲାଗିଥିଲା ଓ ହାଡ଼ ଭାଙ୍ଗି ଯାଇଥିଲା । ଏହି ଦୁର୍ଘଟଣା ପରେ ଏହି ବ୍ୟକ୍ତିଙ୍କୁ କାଜାଖସ୍ତାନର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତୁରନ୍ତ ଅସ୍ତ୍ରୋପଚାର କରାଯିବା ଜରୁରୀ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ହେଲେ ସେ ଦେଶର ଚିକିତ୍ସା ବ୍ୟବସ୍ଥା ଉପରେ ମହିଳାଙ୍କର ଭରସା ନଥିଲା । ଏଥିପାଇଁ ସେଠାରେ ରହୁଥିବା ମାଲାୟଲି ଲୋକଙ୍କ ସହ ସମ୍ପର୍କ କରିଥିଲେ ମହିଳା ଜଣକ । କାଜାଖସ୍ତାନରେ ଚିକିତ୍ସା ସେବା ଅତ୍ୟନ୍ତ ନିମ୍ନମାନର ଓ ଖର୍ଚ୍ଚବହୁଳ ହୋଇଥିବାରୁ ସେଠାରେ ସର୍ଜରୀ ନକରାଇବାକୁ ପରାମର୍ଶ ଦେଇଥିଲେ ସେଠାକାର ମାଲାୟଲି ବାସିନ୍ଦା । ସର୍ଜରୀ ପାଇଁ କୁଏତ୍ କିମ୍ବା କେରଳ ଫେରିଯିବା ପାଇଁ କହିଥିଲେ ।
ତେବେ ପ୍ରାଥମିକ ଚିକିତ୍ସା ନପାଇ ସ୍ୱାମୀ କଷ୍ଟରେ ଚିତ୍କାର କରୁଥିବା ବେଳେ ମହିଳା ଜଣକ ନିରୁପାୟ ହୋଇପଡ଼ିଥିଲେ । ସ୍ୱାମୀକୁ ସମ୍ଭାଳିବେ ନା କାଖରେ ଥିବା ଦୁଇ କୁନି କୁନି ଛୁଆକୁ ସମ୍ଭାଳିବେ । ଏପରି ଦୁଃସମୟରେ କାହାକୁ ସାହାଯ୍ୟ ମାଗିବେ ବୋଲି ଚିନ୍ତାରେ ପଡ଼ିଥିଲେ । ବାହାର ଦେଶରେ ବା କିଏ ସାହାଯ୍ୟ କରିବା ପାଇଁ ଆଗେଇ ଆସିବ । ଶେଷରେ ଅନ୍ୟ ଉପାୟ ନପାଇ ଭାରତୀୟ ଦୂତାବାସ ସହ ସମ୍ପର୍କ କରିଥିଲେ ମହିଳା । ଏଠାରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା ।
ଭାରତୀୟ ଦୂତାବାସର ଅଧିକାରୀମାନେ ତାଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ମଧ୍ୟ ସାହାଯ୍ୟ କରିନଥିଲେ । କେବଳ ଏୟାର ଆସ୍ଥାନାର ନମ୍ବର ଦେବାପରେ ନିଜ ଉପରୁ ଦାୟିତ୍ୱ ହଟାଇ ନେଇଥିଲେ । ଆହତଙ୍କ ସାଥୀରେ ଯିବାପାଇଁ ମଧ୍ୟ କେହି ବାହାରିନଥିଲେ । ଜଣେ ଭାରତୀୟ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ଚୁପ ବସିଯାଇଥିଲେ ଅଧିକାରୀ । ଅନ୍ୟପଟେ ଭାଷା ପ୍ରତିବନ୍ଧକ ସମସ୍ୟାକୁ ଆହୁରି ଜଟିଳ କରିଦେଇଥିଲା । ତାଙ୍କ କଥା କେହି ବୁଝିପାରୁନଥିଲେ। ଅନେକ କଷ୍ଟରେ ଭାରତକୁ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ପରିବାର ସାମ୍ନାରେ ଆଉ ଏକ ନୂଆ ବିପଦ ବାଟ ଓଗାଳିଥିଲା । ଜଙ୍ଘର ହାଡ଼ ଭାଙ୍ଗି ଯାଇଥିବାରୁ ବ୍ୟକ୍ତି ଜଣକ ବିମାନରେ ବସି ଯାତ୍ରା କରିବାକୁ ଅକ୍ଷମ ଥିଲେ । ହେଲେ କାଜାକସ୍ତାନରୁ ଉଡ଼ାଣ ଭରୁଥିବା କୌଣସି ବି ବିମାନରେ ଷ୍ଟ୍ରେଚର ସୁବିଧା ନଥିଲା ।
ଅନ୍ୟପଟେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦେଶକୁ ଫେରାଇ ଆଣିବାର ଖର୍ଚ୍ଚ ବହୁତ ଥିଲା । ଭାରତ ପାଇଁ ଏୟାର ଆମ୍ବୁଲାନ୍ସର ମୁଲ୍ୟ ଥିଲା ୬-୭ ମିଲିୟନ ଡଲାର । ଜଣେ ବେସରକାରୀ ଚାକିରିଆ ପାଖରେ ଏତେ ଟଙ୍କା ଆସିବ କୁଆଡ଼ୁ ? ମହିଳା ଜଣକଙ୍କ ସ୍ୱାମୀ ଓ ପିଲାଙ୍କୁ ନେଇ କାଜାକସ୍ତାନରୁ ବାହାରିବାକୁ ଚାହୁଁଥିଲେ । ଅନେକ ଚେଷ୍ଟା ପରେ ବି କୌଣସି ଏୟାର ଲାଇନ୍ସ ସାହାଯ୍ୟ କରିବାକୁ ଚାହୁଁନଥିଲେ ।
ହେଲେ ଅରକ୍ଷିତଙ୍କୁ ଦଇବ ସାହା ପରି ତାଙ୍କୁ ଏକ ଇଣ୍ଡିଗୋ ଫ୍ଲାଇଟ ମିଳିଥିଲା । କେରଳର ଜଣେ ଇଣ୍ଡିଗୋ ଇଞ୍ଜିନିୟର ଏହି ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ବିମାନରୁ ୮ଟି ସିଟ ହଟାଇ ବିମାନରେ ଏକ ଷ୍ଟ୍ରେଚର ଲଗାଇବା ପାଇଁ ସ୍ୱତନ୍ତ୍ର ଅନୁମତି ମିଳିଥିଲା ।
ଏସବୁ ପରେ ବି ଇଣ୍ଡିଗୋ ଏହି ପରିବାରକୁ କେବଳ ଦିଲ୍ଲୀ ପର୍ଯ୍ୟନ୍ତ ନେଇଯିବା ପାଇଁ ଅନୁମତି ମିଳିଥିଲା । ରାଜଧାନୀରେ ପହଞ୍ଚିବା ପରେ ନିଜେ ନିଜର ବ୍ୟବସ୍ଥା କରିବାକୁ ପଡ଼ିବ । ତେବେ ଶେଷରେ କାଗଜପତ୍ର କାମ ସରିବା ପରେ ଗତ ରାତି ତାଙ୍କୁ ଉଡ଼ାଣ ଭରିବାକୁ ଅନୁମତି ମିଳିଥିଲା ।
ହେଲେ ଏତିକିରେ ପରିବାରର ଦୁଃଖ ସରିନଥିଲା । କାଜାଖସ୍ତାନର କୌଣସି ମେଡିକାଲରୁ ଦସ୍ତଖତ ଆଣିବା ପାଇଁ ଇଣ୍ଡେିଗୋ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଥିଲା । ହେଲେ କାଜାକସ୍ତାନର ଡାକ୍ତର ବିନା ଚିକିତ୍ସାରେ କୌଣସି ପ୍ରକାର ଦସ୍ତଖତ କରିବା ପାଇଁ ରାଜି ହୋଇନଥିଲେ ।
ଏହାକୁ ଦୃଷ୍ଟିରେ ରଖି ବିଦେଶ ଭ୍ରମଣ ସମୟରେ ସମସ୍ତ ଘଟଣା ପାଇଁ ପ୍ରସ୍ତୁତ ରହିବାକୁ ଅନ୍ୟ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏହି ସୋସିଆଲ ମିଡିଆ ୟୁଜର । ବିଶେଷ କରି ଜରୁରୀକାଳୀନ ସେବା ଏବଂ ସ୍ଥାନୀୟ ଭାରତୀୟ ସଙ୍ଗଠନର ଯୋଗାଯୋଗ ସୂଚନା ସହିତ ଭାଷା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଏକ ଭଲ ଅନୁବାଦକ ଆପ୍ ଆଦି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।